ଗାଜାରେ ଥମୁନି ଇସ୍ରାଏଲର ସୈନ୍ୟ କାର୍ଯ୍ୟାନୁଷ୍ଠାନ, ୯୯ ହଜାରକୁ ପହଞ୍ଚିଲାଣି ଆହତଙ୍କ ସଂଖ୍ୟା, ଜାଣନ୍ତୁ ମୃତ୍ୟୁସଂଖ୍ୟା କେତେ?

Published By : Prameya-News7 Bureau | October 20, 2024 IST

ଜେରୁଜେଲମ ୨୦।୧୦: ଗାଜାରେ ଇସ୍ରାଏଲର ଆକ୍ରମଣ ଏ ପର୍ଯ୍ୟନ୍ତ ଥମିନି। ୟାହ୍ୟା ସିନବାରର ମୃତ୍ୟୁ ସହ ଯୁଦ୍ଧ ଶେଷ ହୋଇଯିବ ବୋଲି କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ତେବେ  ରଖିଥିଲେ ବନ୍ଧକଙ୍କ ମୁକ୍ତି ସର୍ତ୍ତ। ଏପର୍ଯ୍ୟନ୍ତ ବନ୍ଧକଙ୍କ ମୁକ୍ତିରେ କୌଣସି ଅଗ୍ରଗତି ହୋଇ ନଥିବା ବେଳେ ଉତ୍ତର ଗାଜାରେ ଇସ୍ରାଏଲର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇସ୍ରାଏଲୀ ସେନା ଗାଜାର ବେତ ଲାହିୟାରେ ଭୀଷଣ ବୋମା ବର୍ଷା କରିଛନ୍ତି। 

ପାଲେଷ୍ଟାଇନ ଏନକ୍ଲେଭର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅନୁସାରେ ଉତ୍ତର ଗାଜାରେ ଇସ୍ରାଏଲ ଆକ୍ରମଣ ଯୋଗୁ ପାଖାପାଖି ୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଧ୍ୱଂସସ୍ତୁପ ତଳେ ଦବି ରହିଛନ୍ତି। ଏହି ଆକ୍ରମଣରେ ୪୦ ଜଣ ନିଖୋଜ ଥିବା କୁହାଯାଉଛି। ୟାହ୍ୟା ସିନବାରଙ୍କ ହତ୍ୟା ପରେ ଗାଜାରେ ଇସ୍ରାଏଲର ଏହା ସବୁଠୁ ବଡ଼ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି। ସିନବାରଙ୍କ ମୃତ୍ୟୁ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଥିଲେ ଯେ ବନ୍ଧକଙ୍କ ମୁକ୍ତି ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲ ସେନାର ଅଭିଯାନ ଜାରି ରହିବ। 

ସେହି ଅନୁସାରେ ଇସ୍ରାଏଲୀ ସେନା ଉତ୍ତର ଗାଜାରେ ବଡ଼ ଧରଣର ଅଭିଯାନ ଚଳାଇଛି। ସେନା ପୂର୍ବରୁ ଏହି ଅଞ୍ଚଳକୁ ଘେରାଉ କରିଥିଲା ଓ ଆବାସୀୟ ବିଲ୍ଡିଂଗୁଡିକୁ ନଷ୍ଟଭ୍ରଷ୍ଟ କରିବା ସହ ଜୋରଦାର ଗିରଫଦାରୀ ଚଳାଇଛି। ଫଳରେ ଉତ୍ତର ଗାଜାରେ ରହୁଥିବା କେତେକ ପାଲେଷ୍ଟେନିୟ ପରିବାର ଫଶି ଯାଇଛନ୍ତି। ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ ପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ୪୨ ହଜାର ୬୦୩ ଜଣ ପାଲେଷ୍ଟେନିୟ ଲୋକଙ୍କ ମୃତ୍ୟୁ ହେଲାଣି। ମୃତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଅଛନ୍ତି। 

ଗାଜା ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଯୁଦ୍ଧରେ ୯୯,୭୯୫ ଜଣ ଆହତ ହୋଇଛନ୍ତି। ବିଶେଷଜ୍ଞଙ୍କ ଅନୁମାନ ମୃତକଙ୍କ ସଂଖ୍ୟା ଆହତ ସଂଖ୍ୟାରୁ ଅନେକ ଗୁଣା ଅଧିକ ହୋଇପାରେ। କାରଣ ବିଶାଳ ଭବନ ଗୁଡିକରର ଧ୍ୱଂସସ୍ତୁତ ତଳେ ଅନୁନ୍ୟ ୧୦ ହଜାର ଲୋକଙ୍କ ମୃତଦେହ ଦବି ରହିଛି। ମନ୍ତ୍ରାଳୟଙ୍କ ଅନୁସାରେ ମୃତକଙ୍କ ସଂଖ୍ୟାରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସାମିଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.