UPSC ପାଇଁ ଛାଡ଼ିଲେ ମଡେଲିଂ କ୍ୟାରିୟର; ପ୍ରଥମ ପ୍ରୟାସରେ ପାଇଲେ ସଫଳତା, IAS ନୁହେଁ ବାଛିଲେ IFS

Published By : Prameya-News7 Bureau | February 03, 2025 IST

ମୁମ୍ଵାଇ ୦୩।୦୨; ପ୍ରତ୍ୟେକଙ୍କ ସଫଳତାର କାହାଣୀ ଭିନ୍ନ ଭିନ୍ନ ଥାଏ। ଆଜି, ଆମେ ଆପଣଙ୍କୁ ଏପରି ଜଣେ ସଫଳତାର କାହାଣୀ କହିବାକୁ ଯାଉଛୁ, ଯିଏ ମଡେଲିଂରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ସେ ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ଥିଲେ, କିନ୍ତୁ ତା’ପରେ ସେ ୟୁ-ଟର୍ଣ୍ଣ ନେଲେ ଏବଂ UPSC କରିବାକୁ ନିଷ୍ପତ୍ତି ନେଲେ। ପ୍ରଥମ ପ୍ରୟାସରେ ହିଁ ସେ ସଫଳତା ପାଇଥିଲେ। କିନ୍ତୁ ଏଥର ସିଭିଲ୍ ସର୍ଭିସ୍ IAS ବାଛି ନଥିଲେ। ତେବେ ଆସନ୍ତୁ ଜାଣିବା ୨୦୧୮ ବ୍ୟାଚର UPSC ଟପର୍ ଐଶ୍ୱର୍ଯ୍ୟା ଶିଓରାନଙ୍କ ବିଷୟରେ...

ଦିଲ୍ଲୀରୁ ପାଠପଢ଼ା 

ଐଶ୍ୱର୍ଯ୍ୟାଙ୍କ ବାପା ଅଜୟ କୁମାର। ଯିଏ ରାଜସ୍ଥାନରେରୁହନ୍ତି। ସେ ସେନାରେ ଜଣେ କର୍ଣ୍ଣେଲ ଥିଲେ। ସେ ୯ମ ତେଲେଙ୍ଗାନା ଏନସିସି ବାଟାଲିୟନର କମାଣ୍ଡିଂ ଅଫିସର ଥିଲେ। ହେଲେ ଐଶ୍ୱର୍ଯ୍ୟା ତାଙ୍କର ସ୍କୁଲ ଶିକ୍ଷା ଦିଲ୍ଲୀରୁ କରିଥିଲେ। ସେ ଦିଲ୍ଲୀର ସଂସ୍କୃତି ସ୍କୁଲରୁ ଦ୍ୱାଦଶ ଶ୍ରେଣୀରେ ୯୭.୫% ମାର୍କ ପାଇଥିଲେ। ଏହା ପରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ୍‌ ଅଫ କମର୍ସରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ଫେମ୍‌ ନେମ୍‌ ହାସଲ କରିଛନ୍ତି

କଲେଜ ସମୟରେ ଐଶ୍ୱର୍ଯ୍ୟା ମଡେଲିଂ ପ୍ରତି ଆଗ୍ରହୀ ହୋଇଥିଲେ ଏବଂ ଏକ ବ୍ୟୁଟି ପିଜାଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୦୧୪ ମସିହାରେ ସେ ମିସ୍ କ୍ଲିନ୍ ଆଣ୍ଡ୍ କ୍ଲିଅର୍ ଫ୍ରେସ୍ ଫେସ୍ ଉପାଧି ପାଇଥିଲେ। ତାଙ୍କୁ ୨୦୧୫ ମସିହାରେ ମିସ୍ ଦିଲ୍ଲୀ ମୁକୁଟ ପିନ୍ଧାଯାଇଥିଲା। ୨୦୧୬ରେ, ଐଶ୍ୱର୍ଯ୍ୟା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲିଷ୍ଟ ଥିଲେ। ଫ୍ୟାଶନ୍ ଶିଳ୍ପରେ ନାମ ଅର୍ଜନ କରିବା ପରେ, ସେ ସିଭିଲ୍ ସର୍ଭିସ୍ ଆଡକୁ ମୁହାଁଇଲେ।

ଐଶ୍ୱର୍ଯ୍ୟା ହେଲେ UPSC ଟପର୍ 

୨୦୧୮ରେ, ଐଶ୍ୱର୍ଯ୍ୟା IIM ଇନ୍ଦୋର ପରୀକ୍ଷାରେ ପାସ୍ କରିଥିଲେ। କିନ୍ତୁ ସେ କଲେଜରେ ଆଡମିସନ୍ ନେଇ ନଥିଲେ। ଏହି ସମୟ ମଧ୍ୟରେ ଐଶ୍ୱର୍ଯ୍ୟା UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୧୦ ମାସର କଠିନ ପରିଶ୍ରମ ପରେ, ଐଶ୍ୱର୍ଯ୍ୟା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଦେଇଥିଲେ ଏବଂ କୌଣସି ପ୍ରଶିକ୍ଷଣ ବିନା, ସେ ତାଙ୍କର ପ୍ରଥମ ପ୍ରୟାସରେ ୯୩ତମ ରାଙ୍କ୍ ହାସଲ କରିଥିଲେ। ଐଶ୍ୱର୍ଯ୍ୟାଙ୍କ ପାଖରେ IAS ହେବାର ସୁଯୋଗ ଥିଲା, କିନ୍ତୁ ସେ IFS (ଭାରତୀୟ ବୈଦେଶିକ ସେବା) ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସେ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.