ନୀଳଗିରି ୧୮/୧: ଆକ୍ସନ ମୋଡ୍ରେ ପ୍ରଶାସନ । ସାବାଡ ହେବେ ବାଲି ମାଫିଆ । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ରାସ୍ତାରୁ ଉଠିଲେ ଆନ୍ଦୋଳନକାରୀ । କିଛି ଦିନ ଧରି ବାଲେଶ୍ବର ଜିଲ୍ଲା ନୀଳଗିରି ଅଧୀନ ସୋନନଦୀ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ବାଲି ମାଫିଆ । ମାଟିଆଳି ଠାରୁ ବେଗୁନିଆ ଯାଏ ନଦୀ ପଠାକୁ କବ୍ଜା କରି ରଖିଛନ୍ତି ମାଫିଆ । ଏମିତିକି ଗୋଚର ଓ ପଡିଆ ଜମି ମଧ୍ୟ ଛାଡିନାହାନ୍ତି ।
ରାତି ଅଧିଆ ଚାଲିଛି ବାଲି ଚାଲାଣ । ଶହ ଶହ ଟ୍ରାକ୍ଟରରେ ବାଲି ବାହାରକୁ ଚାଲାଣ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।
ଗତ ବର୍ଷ ସେହି ଅଞ୍ଚଳରେ ମାଫିଆ ପ୍ରାୟ କୋଟିଏ ଟଙ୍କାର ବାଲି ତାଡିନେବା ଯୋଗୁ ବିରାଟ ଗାତ ସୃଷ୍ଟି ହୋଇଥିଲା । ନଦୀ ପାଖରେ ଥିବା ବିରାଟ ଖେଳ ପଡିଆ, ଗୋଚର ଜମି ନଦୀ ଗର୍ଭକୁ ଗଲାଣି । ଅନେକ ଗୋରୁ ଗାଇଙ୍କ ଗାତରେ ପଡି ଜୀବନ ଗଲାଣି । ଗତ ବର୍ଷ ଶୌଚ ପାଇଁ ଯାଇଥିବା ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିଲା । ଏତେ ସବୁ ଅଘଟଣ ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗି ନଥିଲା । ବେଧଡକ ବାଲି ଚାଲାଣ ଚଲାଇଥିଲେ ମାଫିଆ ।
ଶେଷରେ ପୋଲିସ ପ୍ରଶାସନ ଉପରେ ଭରସା ତୁଟାଇ ରାସ୍ତାକୁ ଓହ୍ଲାଇଥିଲେ କାଠପାଳ ଅଞ୍ଚଳବାସିନ୍ଦା । ଗାଁ ସୁରକ୍ଷା ଓ ନଦୀ ସୁରକ୍ଷା ପାଇଁ ଶନିବାର ସକାଳୁ ବାଲେଶ୍ବର ମିତ୍ରପୁର ଉଦଳା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଯେପର୍ଯ୍ୟନ୍ତ ଗାଁ ସୁରକ୍ଷା ପାଇଁ ପଥର ପ୍ୟାକିଂ ଓ ଗାର୍ଡ ୱାଲ ନିର୍ମାଣ ନହୋଇଛି,ନଦୀ ଉପରେ ବେଆଇନ ରାସ୍ତା ନ ହଟିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର ଚାଲିବା ନେଇ ଚେତାବନୀ ଦେଇଥିଲେ ଆନ୍ଦୋଳନକାରୀ ।
ଲୋକଙ୍କ ଅସନ୍ତୋଷ ବଢୁଥିବା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ ନୀଳଗିରି ପୋଲିସ, ତହସିଲଦାର ଓ ଖଣିଜ ବିଭାଗର ଅଧିକାରୀ। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏକ ସ୍କ୍ବାର୍ଡ ଗଠନ କରି ବାଲି ମାଫିଆଙ୍କ ଉପରେ ଫାଇନ କରାଯିବ । ନଦୀ ଉପରେ ହୋଇଥିବା ବେଆଇନ ରାସ୍ତା ହଟାଇବା ସହ ସେହି ସ୍ଥାନରେ ୧୪୪ ଧାରା ଜାରି କରିବା ନେଇ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଥିଲା ରାସ୍ତା ଅବରୋଧ ।