ପାକିସ୍ତାନ: ୯ ମେ ହିଂସା ସମ୍ପର୍କିତ ଆଉ ୪ ମାମଲାରେ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ୍

Published By : Prameya-News7 Bureau | November 09, 2024 IST

ଲାହୋର ୯।୧୧:  ପାକିସ୍ତାନ ଆତଙ୍କବାଦ ନିରୋଧ କୋର୍ଟ ଲାହୋର ଜଳାପୋଡାର ୪ ମାମଲାରେ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ତେବେ ଅନ୍ୟ ୮ଟି ମାମଲର ଶୁଣାଣିକୁ କୋର୍ଟ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି। ଇମ୍ରାନ ଖାନ ଏବେ ବିଭିନ୍ନ ମାମଲାରେ ରାୱଲପିଣ୍ଡିର ଅଦିଆଲା ଜେଲରେ ବନ୍ଦୀ ଅଛନ୍ତି। ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଶୀର୍ଷ ନେତା ଇମ୍ରାନ ଖାନଙ୍କ ବିରୋଧରେ ମେ ୨୦୨୩ ହିଂସାକୁ ନେଇ ଲାହୋରରେ ୧୨ଟି ମୋକଦ୍ଦମା ରୁଜୁ ହୋଇଥିଲା। 

ଭ୍ରଷ୍ଟାଚାର ମାମଲାରେ ଇମ୍ରାନଙ୍କ ଗିରଫ ପରେ ହୋଇଥିବା ହିଂସାକୁ ନେଇ ରୁଜୁ ମାମଲାରେ ସରକାରୀ ଓ ସୈନ୍ୟ ସୌଧ ଉପରେ ଆକ୍ରମଣ ମୋକଦ୍ଦମା ମଧ୍ୟ ରହିଛି। ଆତଙ୍କବାଦୀ ରୋଧୀ କୋର୍ଟ ତାଙ୍କ ମଡେଲ ଟାଉନ ଅଞ୍ଚଳରେ ଥିବା ପାକିସ୍ତାନ ମୁସ୍ଲିମ ଲିଗ- ନୱାଜ (ପିଏମଏଲ-ଏନ)କାର୍ଯ୍ୟାଳୟ ଜଳାପୋଡା, କଲମା ଚୌକ ନିକଟରେ କଣ୍ଟୈନର ପୋଡି, ଗୁଲବର୍ଗରେ ପୋଲିସ ବାହନ ପୋଡି ଓ ୯ ମେ ୨୦୨୩ ଦଙ୍ଗାକାଳରେ ଶେରପାଓ ବ୍ରିଜ ଉପରେ ହିଂସା ସମ୍ପର୍କିତ ୪ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। 

ତେବେ ଇମ୍ରାନ ଜାମିନ ମିଳିବା ପରେ ବି ଜେଲରୁ ମୁକୁଳିବାର ଏବେ ସମ୍ଭାବନା ନାହିଁ। ପଞ୍ଜାବ ସରକାରଙ୍କ ବିଧି ଅଧିକାରୀ ଫରହାଦ ଅଲ୍ଲୀ ଶାହ କୋର୍ଟଙ୍କୁ ତାଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିବାକୁ ଅପିଲ କରିଥିଲେ। ତେବେ ଇମ୍ରାନ ଖାନଙ୍କ ପକ୍ଷରୁ ବାରିଷ୍ଟର ସଲମାନ ସଫଦର ପୂର୍ବରୁ ହିଁ ତାଙ୍କ ତର୍କ ପୁରା କରିସାରିଥିଲେ। ତେବେ ଅଭିଯୋଗକାରୀ ପକ୍ଷ ତଥ୍ୟ ବିପରୀତ ତର୍କ ଉପସ୍ଥାପନ କରୁଥିବାର କହି ଅଧିକ ତର୍କ ରଖିବାକୁ ଟାହିଁଥିଲେ। ତେବେ କୋର୍ଟ ଇମ୍ରାନଙ୍କୁ ୪ଟି ମାମଲାରେ ଜାମିନ ମଞ୍ଜୁର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.