ନୂଆଦିଲ୍ଲୀ: ତିବ୍ବତର ସବୁଠୁ ପବିତ୍ର ସହର ନିକଟରେ ମଙ୍ଗଳବାର ଆସିଥିବା ୭.୧ ତୀବ୍ରତାର ଭୂକମ୍ପରେ ୧୩୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଅନ୍ୟପଟେ ଶତାଧିକ ଲୋକ ଆହତ ହୋଇଛନ୍ତି । ମୃତକ ସଂଖ୍ୟା ଆହୁରି ବଢିପାରେ । ଚୀନର ସମାଚାର ଏଜେନ୍ସି ଶିନହୁଆ ଅନୁସାରେ, ଭୂକମ୍ପ ପରେ ଅନେକ ଝଟକା (Aftershocks) ଆସିଛି । ଭୂକମ୍ପର କିଛି ଘଣ୍ଟା ପରେ ହିଁ ୪.୪ ତୀବ୍ରତା ସହ ଭୂପୃଷ୍ଠ ୧୫୦ଥର ଥରିଥିଲା । ଭୂକମ୍ପ ଏବଂ ପରେ Aftershocks ଯେଉଁ ଅଞ୍ଚଳକୁ ଆସିଥିଲା, ସେଠାକାର ଜନସଂଖ୍ୟା ୬୯୦୦ । ଏଠାରେ ୧୦୦୦ରୁ ଅଧିକ ଘର ମାଟିରେ ମିଶିଯାଇଛି । ଆଖି ଯେତେ ଦୂର ଯାଏଁ ପହଞ୍ଚୁଥିଲା, କେବଳ ପ୍ରକୃତର ତାଣ୍ଡବଳୀଳା ଦେଖାଯାଉଥିଲା ।
ଭୂକମ୍ପ ଆଜି ସକାଳ ୯.୦୫ ମିନିଟ (ଚୀନ ସମୟ ଅନୁସାରେ)ରେ ହୋଇଥିଲା । ଏହାର କେନ୍ଦ୍ର ଡିଙ୍ଗରୀ କାଉଣ୍ଟିର ତ୍ସ୍ୟୋଗୋ ଟାଉନଶିପରେ ୨୮.୫ ଡିଗ୍ରି ଉତ୍ତର ଅକ୍ଷାଂଶ ଏବଂ ୮୭.୫ ଡିଗ୍ରି ପୂର୍ବ ଦ୍ରାଘିମାରେ ଭୂପୃଷ୍ଠଠାରୁ ୧୦ କିଲୋମିଟର ଗଭୀରରେ ରହିଥିଲା । ଭୂକମ୍ପର କେନ୍ଦ୍ର ୨୦ କିଲୋମିଟର ପରିଧିରେ ୨୭ ଗାଁ ଯାଏ ଥିଲା । ଭୂକମ୍ପ ପରେ ଉଦ୍ଧାରକାର୍ଯ୍ୟ ପାଇଁ ୩୪୦୦ରୁ ଅଧିକ ଉଦ୍ଧାରକର୍ମୀ ଏବଂ ୩୪୦ରୁ ଅଧିକ ମେଡିକାଲ ଷ୍ଟାଫଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି ।
ଟିଙ୍ଗରୀ ଏବଂ ଏହାର ଆଖପାଖ ଅଞ୍ଚଳର ହାରହାରି ଉଚ୍ଚତା ପ୍ରାୟ ୪୦୦୦ରୁ ୫୦୦୦ ମିଟର । ଭୂକମ୍ପର କେନ୍ଦ୍ର ଭୂପୃଷ୍ଠଠାରୁ ମାତ୍ର ୧୦ କିଲୋମିଟର ତଳେ ଥିବାରୁ ଏହାର ଅଧିକ ପ୍ରଭାବ ପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ଭୂକମ୍ପ କେନ୍ଦ୍ରର ଗଭୀରତା ଯେତେ କମ ସେତେ ଅଧିକ ପ୍ରଭାବ ପକାଇଥାଏ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭୂକମ୍ପ ପ୍ରଭାବିକ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଲୋକଙ୍କ ନିକଟରେ ସମସ୍ତ ସୁବିଧା ଏବଂ ପୁନର୍ବାସ କାର୍ଯ୍ୟକୁ ପ୍ରଭାବୀ ରୂପେ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।