କାନାଡା ବିରୋଧରେ ଭାରତର ଆଉ ଏକ କଡ଼ା ଆକ୍ସନ, ହାଇକମିଶନରଙ୍କ ସମେତ ୬ କୂଟନୀତିଜ୍ଞଙ୍କୁ ନୂଆଦିଲ୍ଲୀ ଛାଡ଼ିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭିତ୍ତିହୀନ ଅଭିଯୋଗ ଆଣିଥିବା କାନାଡା ସରକାର ବିରୋଧରେ ଭାରତ ଆଉ ଏକ କଡ଼ା ଆକ୍ସନ ନେଇଛି । ଭାରତ ସରକାର କାନାଡା ଦୂତାବାସର ୬ ଜଣ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୯ ରାତି ୧୨ଟା ସୁଦ୍ଧା ଦେଶ ଛାଡ଼ିବା ପାଇଁ କୁହାଯାଇଛି । ଭାରତ ଯେଉଁ ଛଅ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ସେମାନଙ୍କ ମଧ୍ୟରେ ଆକ୍ଟିଂ ହାଇକମିଶନର ଷ୍ଟିୱର୍ଟ ରସ୍ ହ୍ୱିଲର, ଡେପୁଟି ହାଇକମିଶନର ପ୍ୟାଟ୍ରିକ୍ ହେବର୍ଟ, ଫର୍ଷ୍ଟ ସେକେଟ୍ରାରୀ ମୈରୀ କୈଥରିନ୍ ଜୋଲି, ଫର୍ଷ୍ଟ ସେକ୍ରେଟାରୀ ଲୈନ ରସ୍ ଡେଭିଡ୍ ଟ୍ରାଇଟ୍ସ, ଫର୍ଷ୍ଟ ସେକ୍ରେଟାରୀ ପାଉଲ ଓରଜୁଏଲାଙ୍କ ନାଁ ସାମିଲ ରହିଛି ।

ଏହି ନିର୍ଦ୍ଦେଶର କିଛି ଘଣ୍ଟା ପୂର୍ବରୁ ଭାରତ ସରକାର କାନାଡାରେ ଅବସ୍ଥାପିତ ନିଜ ରାଷ୍ଟ୍ରଦୂତ ଏବଂ ଟାର୍ଗେଟ୍ କରାଯାଉଥିବା ଅନ୍ୟ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କୁ ସ୍ୱଦେଶ ଫେରାଇ ଆଣିବେ ବୋଲି ଘୋଷଣା କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଥିଲା । ଏହା ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ନୂଆ ଦିଲ୍ଲୀରେ କାନାଡା ହାଇକମିଶନରଙ୍କୁ ତଲବ କରିଥିଲା । ଏହାସହ କାନାଡା ଦ୍ୱାରା ଭାରତୀୟ ହାଇକମିଶନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ କୌଣସି ମାମଲାରେ ତଦନ୍ତ ପାଇଁ ତଲବ କରାଯିବାକୁ କଡ଼ା ଭର୍ତ୍ସନା କରିଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି ।

କାନାଡା ରବିବାର କହିଥିଲା ଯେ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି ଏବଂ ଏମାନଙ୍କୁ ପର୍ସନ ଅଫ୍ ଇନଟ୍ରେଷ୍ଟ ବୋଲି କହିଥିଲା । ଅର୍ଥାତ୍ କାନାଡା ସରକାର ଭାରତୀୟ ହାଇକମିଶନ ଏବଂ କୂଟନୀତିଜ୍ଞଙ୍କ ଏହି ମାମଲାରେ ସନ୍ଦିଗ୍ଧ ମାନୁଛି । ସୋମବାର ଅପରାହ୍ଣରେ ଭାରତର ବିଦେଶ ମନ୍ତ୍ରଣାଳୟ ସୋମବାର କହିଥିଲା ଯେ କାନାଡାର ବ୍ୟବହାର ଏହି ମାମଲାରେ ଅତ୍ୟନ୍ତ ଆପତ୍ତିଜନକ ଏବଂ ଦୁଇ ଦେଶର ସମ୍ପର୍କ ପାଇଁ ଠିକ୍ ନୁହେଁ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ଟ୍ରୁଡୋ ସରକାର ବିନା କୌଣସି ପ୍ରମାଣରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ରାଜନୈତିକ ଏଜେଣ୍ଡା ଚଲାଇବା ପାଇଁ ଏହିପରି ଭିତ୍ତିହୀନ ଅଭିଯୋଗ ଆଣି ଭାରତର ଛବି ଖରାପ କରିବା ପାଇଁ ଉଦ୍ୟମ କରାଯାଉଛି । ଭାରତ ସରକାର କହିଥିଲେ ଯେ ଟ୍ରୁଡୋ ସରକାରଙ୍କ ଏହି ଏଜେଣ୍ଡା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରେରିତ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.