ମୁମ୍ୱାଇରେ ଯୁବକଙ୍କୁ ପିଟିପିଟି ହତ୍ୟା, ପୁଅକୁ ବଞ୍ଚାଇବା ପାଇଁ ଉପରେ ଶୋଇ ଗଲା ମାଆ, କାକୁତି ମିନତି ହେଉଥିଲେ ବାପା

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ମୁମ୍ୱାଇର ମଲାଡରେ ଓଭରଟେକିଂ ବିବାଦକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ଯୁବକଙ୍କ ମାଆ ଏବଂ ବାପା ପୁଅକୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ କରିବା ସତ୍ତ୍ୱେ, ଭିଡ଼ ହିଂସାରୁ ନିଜ ରକ୍ତକୁ ବଞ୍ଚାଇ ପାରିଲେ ନାହିଁ । ଏହି ପୂରା ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ଅକ୍ଟୋବର ୧୨ର ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ମହାରାଷ୍ଟ୍ର ନବନିର୍ମାଣ ସେନାର ସଦସ୍ୟ ଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ୯ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଘଟଣା ସମୟରେ ଯୁବକଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲା । ଯୁବକ ନିଜ ବାଇକରେ ଯିବା ବେଳେ ହଠାତ୍ ଜଣେ ଅଟୋ ଚାଳକ ଓଭର ଟେକ୍ କରିଥିଲେ । ୩୪ ବର୍ଷୀୟ ଆକାଶ ଏବଂ ଅଟୋ ଚାଳକ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ କଥା ମାରପିଟ୍ ଯାଏ ପହଞ୍ଚିଥିଲା । ଏହାପରେ ଅଟୋ ଚାଳକଙ୍କ ଅନ୍ୟ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚି ସମାଧନ କରିବା ପରିବର୍ତ୍ତେ ଆକାଶଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

ଅଟୋ ଚାଳକ ଏବଂ ତାଙ୍କ ସହଯୋଗୀ ମାରପିଟ୍ କରିବା ବେଳେ ଆକାଶଙ୍କୁ ବଞ୍ଚାଇବା ପାଇଁ ତାଙ୍କ ବାପା-ମାଆ ପୂରା ଉଦ୍ୟମ କରିଥିଲେ । ଏପରିକି ବଞ୍ଚାଇବା ପାଇଁ ତଳେ ପଡ଼ିଥିବା ଆକାଶଙ୍କ ଉପରେ ତାଙ୍କ ମାଆ ଶୋଇ ରହିଥିଲେ । କେତେ କାକୁତି ମିନତି ହେଲେ, ତଥାପି ଅଭିଯୁକ୍ତଙ୍କ ମନ ତରଳି ନଥିଲା । ଲଗାତାର ମାରି ଚାଲିଥିଲେ । ଶେଷରେ ଗୁରୁତର ଅବସ୍ଥାରେ ଆକାଶଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.