ସରକାର ଗଢିବା ପାଇଁ ଉମର ଅବଦୁଲ୍ଲାଙ୍କୁ ଜମ୍ମୁ-କାଶ୍ମୀର LGଙ୍କ ଆମନ୍ତ୍ରଣ, ଅକ୍ଟୋବର ୧୬ରେ ଶପଥ ଗ୍ରହଣ

Published By : Prameya-News7 Bureau | October 14, 2024 IST

ଶ୍ରୀନଗର ୧୪।୧୦: ନ୍ୟାସନାଲ କନଫରେନ୍ସ (ଏନସି) ନେତା ଉମର ଅବଦୁଲ୍ଲା ଅକ୍ଚୋବର ୧୬ରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ରୂପେ ଶପଥଗ୍ରହଣ କରିବେ। ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି) ମନୋଜ ସିହ୍ନା ସୋମବାର ସରକାର ଗଢିବା ପାଇଁ ଉମର ଅବଦୁଲ୍ଲାଙ୍କୁ ନିମନ୍ତ୍ରଣ କରିଛନ୍ତି। ଶପଥଗ୍ରହଣ ଉତ୍ସବ ସେର-ଏ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏଥିରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଉତ୍ସବରେ ଅନେକ ବଡ଼ ନେତା ଯୋଗ ଦେବେ। 

ଏଲଜି ମନୋଜ ସିହ୍ନା ଶପଥଗ୍ରହଣ ଉତ୍ସବ ଲାଗି ୧୬ ଅକ୍ଟୋବର ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟ ନିର୍ଦ୍ଧାରଣ କରିଛନ୍ତି। ଏଲଜିଙ୍କ ମୁଖ୍ୟ ସଚିବ ଅବଦୁଲ୍ଲାଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିବା ବେଳେ ଶପଥଗ୍ରହ ଉତ୍ସବର ସମୟ ଓ ତାରିଖ ସମ୍ପର୍କରେ ସୂଚିତ କରିଛନ୍ତି। ଏ ନେଇ ଉମର ଅବଦୁଲ୍ଲା ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଏଲଜିଙ୍କ ପ୍ରମୁଖ ସଚିବଙ୍କୁ ସ୍ୱାଗତ କରି ଅତ୍ୟନ୍ତ ପ୍ରିତ ହେଲି ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ପ୍ରମୁଖ ସଚିବ ମୋତେ ଏଲଜିଙ୍କ କାର୍ଯ୍ୟାଳୟର ଏକ ପତ୍ର ପ୍ରଦାନ କରିଛନ୍ତି ଯେଉଁଥିରେ ଜମ୍ମୁ-କାଶ୍ମୀରରେ ଆଗାମୀ ସରକାର ଗଢିବା ପାଇଁ ମୋତେ ଆମନ୍ତ୍ରଣ କରାଯାଇଛି। 

ଜମ୍ମୁ-କାଶ୍ମୀରରୁ ରବିବାର ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଛି। ଏହା ପରେ ଉପତ୍ୟାକାରେ ନୂଆ ସରକାର ଗଠନର ରାସ୍ତା ସଫା ହୋଇଯାଇଛି। ଉମର ଅବଦୁଲ୍ଲାଙ୍କୁ ଲେଖିଥିବା ପତ୍ରରେ ଏଲଜିସିହ୍ନା କହିଛନ୍ତି ଯେ ମେତୋ ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ୧୧ ଅକ୍ଟୋବର ୨୦୨୪ର ପତ୍ର ମିଳିଛି। ଯେଉଁଥିରେ ଆପଣଙ୍କୁ ବିଧାୟକ ଦଳର ସର୍ବସମ୍ମତ ନେତା ଚୟନ କରାଯାଇଥିବା ଉଲ୍ଲେଖ ଅଛି। ଏହା ଛଡା ଜମ୍ମୁ-କାଶ୍ମୀର କଂଗ୍ରେସ ମୁଖ୍ୟ ତାରିଖ ହମ୍ମିଦ କର୍ରା, ସିପିଆଇ(ଏମ) ସଚିବ ଜି.ଏନ.ମଲ୍ଲିକ, ଆପ୍ ଜାତୀୟ ସମ୍ପାଦକ ପଙ୍କଜ କୁମାର ଗୁପ୍ତା ଓ ନିର୍ବାଚିତ ସ୍ୱାଧୀନ ବିଧାୟକମାନେ ଏନସିକୁ ସମର୍ଥନ ଜଣାଉଥିବାର ପତ୍ର ମିଳିଛି। 

ଏଲଜି ମନୋଜ ସିହ୍ନା ଲେଖିଛନ୍ତି ଯେ ମୋତେ ଆପଣଙ୍କୁ ଜମ୍ମୁ-କାଶ୍ମୀରରେ ସରକାର ଗଢିବା ପାଇଁ ଓ ଏହାର ନେତୃତ୍ୱ କରିବା ପାଇଁ ଆମନ୍ତ୍ରିତ କରିବାରେ ଖୁସି ଲାଗୁଛି। ସେ କହିଛନ୍ତି ଯେ ଯେପରି ନିର୍ଦ୍ଧାରିତ ହୋଇଛି ମୁଁ ୧୬ ଅକ୍ଟୋବର ୨୦୨୪ ପୂର୍ବାହ୍ନ ସାଢେ ୧୧ଟା ବେଳେ ଏସକେଆଇସିସି ଶ୍ରୀନଗରରେ ଆପଣଙ୍କୁ  ଓ ଆପଣଙ୍କ ମନ୍ତ୍ରୀ ପରିଷଦଙ୍କୁ ପଦ ଓ ଗୋପନୀୟତାର ଶପଥ ଦିଆଇବି। ମୁଁ ଏହି ଅବସରରେ ଆପଣଙ୍କ ସାର୍ଥକ କାର୍ଯ୍ୟକାଳ ଓ ଜମ୍ମୁ-କାଶ୍ମୀର ଲୋକଙ୍କ ସର୍ବୋତ୍ତମ ହୀତରେ ଆପଣଙ୍କ ପ୍ରୟାସର ସଫଳତା କାମନା କରୁଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.