ନୂଆଦିଲ୍ଲୀ: ବର୍ଷା, ବନ୍ୟା, ବାତ୍ୟା, ଶୀତ ଲହର...ଚଳିତ ବର୍ଷର ପ୍ରଥମ ୯ ମାସରେ ୯୩ ପ୍ରତିଶତ ଦିନରେ ପାଣିପାଗର ଚରମ ସ୍ଥିତି ସହ ସାମନା କରିବାକୁ ପଡ଼ିଛି । ଅର୍ଥାତ୍ ୨୭୭ ଦିନ ମଧ୍ୟରୁ ୨୫୫ ଦିନରେ ଏକ୍ସଟ୍ରିମ୍ ୱେଦର ଇଭେଣ୍ଟ ଦେଖିବାକୁ ମିଳିଛି । ପାଣିପାଗ ସହ ଜଡ଼ିତ ଏହି ରିପୋର୍ଟ ଆଶ୍ଚର୍ଯ୍ୟ କରିବା ସହ ଭୟଭୀତ ମଧ୍ୟ କରୁଛି । ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (ସିଏସଇ)ର ରିପୋର୍ଟ ଅନୁସାରେ ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୩୨୩୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୩୨ ଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଛି ।
ସିଏସଇର ରିପୋର୍ଟ ଅନୁସାରେ ସାରା ଦେଶରେ ୩୫ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ପାଣିପାଗର ରୌଦ୍ର ରୂପ ଦେଖିବାକୁ ମିଳିଛି । ଯାହା ପାଣିପାଗ ବିଜ୍ଞାନୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏହି ଅବଧିରେ ଗ୍ରୀଷ୍ମ ଏବଂ ଶୀତ ଲହର, ବାତ୍ୟା, ବଜ୍ରପାତ, ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୩୨୩୮ ଜଣଙ୍କ ଜୀବନ ନେଇଛି । ସେହିପରି ୨ ଲକ୍ଷ ୩୫ ହଜାର ୮୬୨ ଘର ନଷ୍ଟ ହୋଇଛି ଏବଂ ପ୍ରାୟ ୯୪୫୭ ପଶୁଧନ ମରିଛନ୍ତି ।
ପାଣିପାଗରେ ପରିବର୍ତ୍ତନର ପ୍ରଭାବ ବର୍ଷର ଅନ୍ତିମ ମାସରେ ବି ଦେଖିବାକୁ ମିଳୁଛି । ନଭେମ୍ୱର ମାସ ଆରମ୍ଭ ହୋଇସାରିଛି । କିନ୍ତୁ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ଦେଖା ନାହିଁ । ରାଜଧାନୀ ଦିଲ୍ଲୀରେ ଏବେ ବି ଗରମ ଅନୁଭବ ହେଉଛି । ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ସମୟରେ ଦିଲ୍ଲୀର ହାରାହାରି ତାପମାତ୍ରା ୫ ଡିଗ୍ରୀ ଉପରେ ରହିଛି । ଆଗାମୀ ସପ୍ତାହ ଯାଏ ଦିଲ୍ଲୀରେ ରାତିର ତାପମାତ୍ରା ଅଧିକ ରହିବା ଅନୁମାନ କରାଯାଉଛି । ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତର ଅନ୍ୟ ସ୍ଥାନରେ ହି ପାଣିପାଗରେ କୌଣସି ପରିବର୍ତ୍ତନ ନହୋଇ ସମାନ ସ୍ଥିତି ରହିପାରେ ।
ଦେଶରେ ମଧ୍ୟପ୍ରଦେଶରେ ସର୍ବାଧିକ ୧୭୬ ଦିନ ଯାଏ ପାଣିପାଗ ଖରାପ ରହିଛି । କେରଳରେ ସବୁଠୁ ଅଧିକ ୫୫୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହାପରେ ମଧ୍ୟପ୍ରଦେଶ (୩୫୩) ଏବଂ ଆସାମ (୨୫୬) ରହିଛନ୍ତି । ଆନ୍ଧ୍ର ପ୍ରଦେଶରେ ସବୁଠୁ ଅଧିକ ୮୫,୮୦୬ ଘର କ୍ଷତିଗ୍ରସ୍ତ ହୋଇଛି । ସେହିପରି ଖରାପ ପାଣିପାଗ ଯୋଗୁଁ ସାରା ଦେଶରେ ନଷ୍ଟ ହୋଇଥିବା ଫସଲର ୬୦ ପ୍ରତିଶତ କେବଳ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ ୧୪୨ ଦିନ ପାଗ ଖରାପ ରହିଛି । ଚଳିତ ବର୍ଷ ୧୭ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ପାଗ ଖରାପ ଦିନ ସଂଖ୍ୟା ବୃଦ୍ଧି ପାଇଛି । କର୍ଣ୍ଣାଟକ, କେରଳ ଏବଂ ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ୪୦ ଦିନ ଯାଏ ବଢିଛି ।
୨୦୨୪ ପାଣିପାଗ ସହ ଜଡ଼ିତ ଅନେକ ରେକର୍ଡ ଭାଙ୍ଗିଛି । ୧୯୦୧ ମସିହା ପରେ ଚଳିତ ବର୍ଷ ଜାନୁଆରିରେ ନବମ ଥର ପାଇଁ ସବୁଠୁ କମ ବର୍ଷା ହୋଇଛି । ଫେବ୍ରୁଆରିରେ ଦେଶ ୧୨୩ ବର୍ଷରେ ନିଜର ଦ୍ୱିତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି । ମେ ମାସରେ ଚତୁର୍ଥ ସବୁଠୁ ଅଧିକ ହାରାହାରି ତାପମାତ୍ରା । ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ୱରରେ ୧୯୦୧ ମସିହା ପରେ ସବୁଠୁ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ରେକର୍ଡ ଭାଙ୍ଗୁଥିବା ଏହି ଡାଟା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଉଛି । ବିଶେଷଜ୍ଞଙ୍କ ମତରେ ଏପରି ଘଟଣା ପୂର୍ବେ ଶତାବ୍ଦୀରେ ଥରେ ଘଟୁଥିଲା । କିନ୍ତୁ ଏବେ ଏଭଳି ଘଟଣା ପ୍ରତି ପାଞ୍ଚ ବର୍ଷ କିମ୍ୱା ଏହାଠାରୁ ବି କମ ସମୟରେ ଦେଖିବାକୁ ମିଳୁଛି ।