ନୂଆଦିଲ୍ଲୀ: ଡାଭୋସରେ ଆୟୋଜିତ ପାଞ୍ଚ ଦିନିଆ ବିଶ୍ବ ଆର୍ଥିକ ମଞ୍ଚ ବା ଡବ୍ଲୁଇଏଫ୍ର ବାର୍ଷିକ ବୈଠକ ଭାରତ ପାଇଁ ଆଣିଛି ବିପୁଳ ନିବେଶର ସୁଯୋଗ। କାରଣ ଏହି ବୈଠକ ସମୟରେ ଭାରତକୁ ସମୁଦାୟ ୨୦ ଲକ୍ଷ କୋଟି ଟଙ୍କାରରୁ ଅଧିକ ଟଙ୍କା ନିବେଶ ପ୍ରତିଶ୍ରୁତି ମିଳିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମଣ୍ଡଳର ନେତୃତ୍ବ କରିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିରେ ପାଞ୍ଚ ଜଣ କେନ୍ଦ୍ର ମନ୍ତ୍ରୀ, ତିନି ମୁଖ୍ୟମନ୍ତ୍ରୀ ଏବଂ ଅନେକ ରାଜ୍ୟର ନେତାମାନେ ସାମିଲ ଥିଲେ।
ତେବେ ଭାରତକୁ ଯେଉଁସବୁ କ୍ଷେତ୍ର ପାଇଁ ନିବେଶ ପ୍ରତିଶ୍ରୁତି ମିଳିଛି ସେଥିରେ ରହିଛି, ଗ୍ରୀନ ଏନର୍ଜୀ, ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଡାଟା ସେଣ୍ଟର ଆଦି।ପିଟିଆଇର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ନେତୃତ୍ବରେ ମହାରାଷ୍ଟ୍ରର ପ୍ରତିନିଧିମଣ୍ଡଳ ଏହି ଫୋରମ ସବୁଠୁ ଅଧିକ ନିବେଶ ପାଇପାରିଛନ୍ତି। ମହରାଷ୍ଟ୍ରକୁ ପ୍ରାୟ ୬୧ ଟି ଏମଓୟୁ ମାଧ୍ୟମରେ ୧୫.୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ପାଇଛି।ଏହି ପ୍ରକଳ୍ପରେ ୧.୬ ମିଲିୟନ ଚାକିରି ସୃଷ୍ଟି ହେବାର ସମ୍ଭାବନା ରହିଛି।
ସେହିଭଳି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନେତୃତ୍ବରେ ତେଲେଙ୍ଗାନା ୧.୭୯ ଲକ୍ଷ କୋଟି ଟଙ୍କାର ୨୦ଟି ଏଓୟୁ ହାସଲ କରିଛି। ଯେଉଁଥିରୁ ୫୦ ହଜାର ଚାକିରି ଅବସର ସୃଷ୍ଟି ହେବା ନେଇ ଅନୁମାନ ରହିଛି। ୟୁନିଲିଭର ଭଳି ବୈଶ୍ବିକ କମ୍ପାନି, ତେଲେଙ୍ଗାନାରେ ଦୁଇଟି ନୂଆ ପ୍ଲାଣ୍ଟ ସ୍ଥାପନ କରିବାର ଯୋଜନା କରିଛି। ଯାହା ରାଜ୍ୟର ଔଦ୍ୟୋଗିକ ବିକାଶକୁ ଆହୁରି ମଜଭୁତ କରିବ ।
କେରଳର ଉଦ୍ୟୋଗ ମନ୍ତ୍ରୀ ପୀ.ରାଜୀବ ଇନଭେଷ୍ଟ କେରଳ ପାଭିଲିୟନରେ ୩୦ରୁ ଅଧିକ ବୈଠକର ନେତୃତ୍ବ ନେଇଥିଲେ। ଆଉ ରାଜ୍ୟ ପାଇଁ ଅନେକ ନିବେଶ ପ୍ରତିଶ୍ରୁତି ହାସଲ କରିଛନ୍ତି।ଫୋରମରେ ଉତ୍ତର ପ୍ରଦେଶ ଏହାର ୧ ଟ୍ରିଲିୟ ଡଲାର ଅର୍ଥବ୍ୟବସ୍ଥା ହେବାର ଭିଜନ ପ୍ରସ୍ତୁତ କରିଛି। ଯାହା ଅନେକ ନିବେଶକଙ୍କୁ ଆକର୍ଷିତ କରିପାରିଛି।
କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନ ମଧ୍ୟ AB InBev ପାନୀୟ କମ୍ପାନିଠାରୁ ୨୫୦ ମିଲିୟନ ଡଲାରର ନିବେଶ ପ୍ରତିଶ୍ରୁତି ମିଳିଥିବା ଘୋଷଣା କରିଛନ୍ତି। ଯାହା ଅନେକ ରାଜ୍ୟରେ ନିର୍ମାଣ କରାଯିବ। ଏହାଦ୍ବାରା ଭାରତର ନିବେଶ ମାନଚିତ୍ରରେ ଆହୁରି ବିବିଧତା ଆସିବ।
ଡାଭୋସରେ ପ୍ରତିନିଧିମଣ୍ଡଳ ନେତା ବୈଷ୍ଣବର ବକ୍ତବ୍ୟ ଭାରତର ଆର୍ଥିକ ରଣନୀତିରେ ପରିବର୍ତ୍ତନର ପରାମର୍ଶ ଦେଇଥିଲେ। ଯାହାଦ୍ବାରା ଆମଦାନୀ ଉପରେ ନିର୍ଭରତା କମ୍ ଏବଂ ରପ୍ତାନୀକୁ ଗୁରୁତ୍ବ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।