ଗତ ୫ ବର୍ଷରେ ବିଦେଶରେ ୬୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ହୋଇଛି ମୃତ୍ୟୁ, ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ: ପାଠ ପଢିବା ପାଇଁ ବିଦେଶ ଯାତ୍ରା କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ ଗତ ୫ ବର୍ଷରେ ୪୧ ଦେଶରେ ୬୩୩ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ କାନାଡାରେ ୧୭୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣରେ ପ୍ରାକୃତିକ, ଦୁର୍ଘଟଣା ଏବଂ ମେଡିକାଲ ଏର୍ମଜେନ୍ସି ସାମିଲ ରହିଛି । କେରଳରୁ ସାଂସଦ କୋଡିକୁନ୍ନିଲ ସୁରେଶଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଲୋକସଭାର ମୌସୁମୀ ଅଧିବେଶନରେ ଏହି ସୂଚନା ଦେଇଛନ୍ତି ।

ବୈଦେଶିକ ମନ୍ତ୍ରୀ ଲିଖିତ ଜବାବରେ କହିଛନ୍ତି ଯେ କାନାଡାରେ ସବୁଠୁ ଅଧିକ ୧୭୨ ଭାରତୀୟ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଛି । ଏହାସହ ଆମେରିକାରେ ୧୦୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ବ୍ରିଟେନରେ ୫୮, ଅଷ୍ଟ୍ରେଲିଆରେ ୫୭, ରୁଷରେ ୩୭ ଏବଂ ଜର୍ମାନୀରେ ୨୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ପଡ଼ୋଶୀ ଦେଶ ପାକିସ୍ତାନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ରହିଛି । ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ହିଂସା ଉପରେ କରାଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଭାରତୀୟ ମିଶନ/ପୋଷ୍ଟ ପାଖରେ ଥିବା ଡାଟା ଅନୁସାରେ ବିଦେଶ ଯାତ୍ରା କରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ବିରୋଧରେ ହିଂସା ବଢି ନାହିଁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଦେଶରେ ହିଂସା ଯୋଗୁଁ ୧୯ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ତଥ୍ୟ ଅନୁସାରେ କାନାଡାରେ ସବୁଠୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ଆମେରିକାରେ ୬ ଏବଂ ଅଷ୍ଟ୍ରେଲିଆ, ବ୍ରିଟେନ, ଚୀନ ଏବଂ କିର୍ଗିସ୍ତାନରେ ଜଣେ ଲେଖାଏ ଛାତ୍ରଙ୍କ ଜୀବନ ଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଦେଶରେ ଅପ୍ରିୟ ଘଟଣା ମାମଲା ସାମନାକୁ ଆସିବା ପରେ ସେହ ଦେଶର ସମ୍ୱର୍ଦ୍ଧିତ ଅଧିକାରୀଙ୍କ ସାମନାରେ ଏହି ପ୍ରସଙ୍ଗକୁ ଉଠାଯାଇଛି । ମାମଲାର ସିଠକ୍ ତଦନ୍ତ ସହ ଦୋଷୀ ଯେପରି ଦଣ୍ଡ ପାଇବ ତାହା ସୁନିଶ୍ଚିତ କରାଯାଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.