ଇଣ୍ଡିଆ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି, ମୈଦାନରେ ନଜର ଆସିବେ ନୂଆ କୋଚ୍-ନୂଆ ଅଧିନାୟକ ଯୋଡି

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ ୨୭/୦୭: ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଶନିବାର କାଲିଠୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ସହ ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଏକ ଅଧ୍ୟାୟ ଶେଷ ହୋଇଛି । ଆଜିଠୁ ନୂତନ ଅଧ୍ୟାୟର ଆରମ୍ଭ ହେବ । ନୂଆ କୋଚ୍‌ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି-ଟ୍ୱେଣ୍ଟି କ୍ରିକେଟ୍‌କୁ ସଫଳତାର ଶିଖରରେ ପହଞ୍ଚାଇବାକୁ ଉଦ୍ୟମ କରିବେ । 

ସୂର୍ଯ୍ୟକୁମାର ପୂର୍ବରୁ କାମଚଳା ଅଧିନାୟକ ଭାବେ ୭ଟି ମ୍ୟାଚ୍‌ର ନେତୃତ୍ୱ ନେଇସାରିଛନ୍ତି । ଏଥର ସେ ସ୍ଥାୟୀ ଅଧିନାୟକ ଭାବେ କାର୍ଯ୍ୟ ଆରମ୍ଭ କରିବେ । ଶ୍ରୀଲଙ୍କା ମଧ୍ୟ ଏକ ଅନଭିଜ୍ଞ ଦଳ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । କିଛି ପ୍ରମୁଖ ଖେଳାଳି ଆହତ ଅଛନ୍ତି ଓ ଆଉ କିଛି ବାଦ ପଡ଼ିଛନ୍ତି । ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ବାଦ ଦିଆଯାଇଛି । ୱାନିଣ୍ଡୁ ହସରଙ୍ଗାଙ୍କ ସ୍ଥାନରେ ଚରିଥ ଆଶାଲଙ୍କାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି । 

ସେହିପରି ସନଥ ଜୟସୂରିୟା ନୂଆ ଅସ୍ଥାୟୀ କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ କରବାକୁ ଯାଉଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବାରୁ ଆସନ୍ତା କାଲି ଦୁଇ ଯୁବ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ୍‌ ଓ ଶୁଭମନ ଗିଲ୍‌ ପାଳି ଆରମ୍ଭ କରିବେ । ଭାରତ ୩ସ୍ପିନର ନେଇ ଖେଳିବା ନିଶ୍ଚିତ । ଶ୍ରୀଲଙ୍କା ଦଳର ବ୍ୟାଟିଂ ବିଭାଗ ବେଶ୍‌ ସୁଦୃଢ ରହିଛି । ମାତ୍ର ବୋଲରମାନେ ମ୍ୟାଚ ଫଳାଫଳ ନିର୍ଦ୍ଧାରଣ କରିବେ । 

ବିଶେଷ କରି ମଥିଶା ପତିରଣା, ହସରଙ୍ଗା ଓ ମହୀଶ ତୀକ୍ଷଣାଙ୍କ ଉପରେ ଶ୍ରୀଲଙ୍କାର ବୋଲିଂ ବିଭାଗ ନିର୍ଭର କରିବ । ପାଲେକେଲେ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ ରହିଥିଲେ ହେଁ ସ୍ପିନରମାନେ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଦଳ ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ମହମ୍ମଦ ସିରାଜ । ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌, କୁଶଲ ପେରେରା, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଚରିଥ ଆଶାଲଙ୍କା(ଅଧିନାୟକ), ଡାସୁନ ଶଣକା, ୱାନିଣ୍ଡୁ ହସରଙ୍ଗା, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡେ, ଦିଲସାନ ମଦୁଶଙ୍କା, ମଥିଶା ପତିରଣା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.