ନୂଆଦିଲ୍ଲୀ: ୯୨ ବର୍ଷରେ ପ୍ରଥମ ଥର ପାଇଁ ଡେହରାଡୁନର ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ)ରେ ମହିଳା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ତିନି ବର୍ଷ ପୂର୍ବେ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ରାୟ ପରେ ଚଳିତ ବର୍ଷ ଜୁଲାଇରେ ଆଇଏମ୍ଏରେ ମହିଳା ଅଫିସର କ୍ୟାଡେଟ୍ସଙ୍କ ପ୍ରଥମ ବ୍ୟାଚ୍ ସାମିଲ ହେବ । ଏନ୍ଡିଏରେ ମହିଳାଙ୍କୁ ତିନି ବର୍ଷ ପୂର୍ବରୁ ହିଁ ପ୍ରବେଶ ମିଳିବା ଆରମ୍ଭ ହୋଇଥିଲା । ଏବେ ଏନ୍ଡିଏରୁ ପାସ୍ ହେବା ପରେ ମହିଳା କ୍ୟାଡେଟ୍ସ ଆଇଏମ୍ଏ ଟ୍ରେନିଂ ପାଇଁ ଆସିବେ ।
ଉଲ୍ଲେଖଯୋଗ୍ୟ, ଆଇଏମ୍ଏ ଦେଶର ଏକମାତ୍ର ସୈନ୍ୟ ଏକାଡେମୀ, ଯେଉଁଠି ଆଜି ଯାଏ ମହିଳାଙ୍କୁ ଟ୍ରେନିଂ ଦିଆଯାଉ ନଥିଲା । ୨୦୨୫ ଜୁଲାଇରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଖଡଗବାସଲାରୁ ମହିଳାଙ୍କ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ୍ ହେବ । ଏହାପରେ ମହିଳା ଅଧିକାରୀଙ୍କୁ ତିନି ସେନାର ଭିନ୍ନ ଭିନ୍ନ ଟ୍ରେନିଂ ପାଇଁ ଅଲଗା ଅଲଗା ସଂସ୍ଥାକୁ ପଠାଯିବ । ଆଇଏମ୍ଏ ଏବେ ମହିଳାଙ୍କ ଅଧିକାରୀଙ୍କ ପାଇଁ ନିଜ କବାଟ ଖୋଲିଦେଇଛି ଓ ପ୍ରଶିକ୍ଷଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ଏନ୍ଡିଏରେ ଶେଷ ପର୍ଯ୍ୟାୟରେ ଟ୍ରେନିଂ ନେଉଥିବା ମୋଟ ୧୮ ଜଣ ମହିଳାଙ୍କ ମଧ୍ୟରୁ ୮ ଜଣ ସ୍ଥଳ ସେନାକୁ ବିକଳ୍ପ ରୂପେ ଚୟନ କରିଛନ୍ତି । ଏହି ମହିଳା ଅଧିକାରୀଙ୍କୁ ଆଇଏମ୍ଏରେ ଗୋଟିଏ ବର୍ଷ ପାଇଁ ଟ୍ରେନିଂ ଦିଆଯିବ ଓ ଏହା ପରେ କମିଶନ ହେବେ । ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୨ରେ ଏହି ମହିଳାମାନେ ଏନ୍ଡିଏକୁ ଆସିଥିଲେ ।
ଅଧିକାରୀ ଜଣକ କହିଛନ୍ତି ଯେ ଆଇଏମ୍ଏରେ ମହିଳା କ୍ୟାଡେଟ୍ସଙ୍କ ରହଣି ପାଇଁ ଅଲଗା ବ୍ୟବସ୍ଥା କରାଯିବ । ଅନ୍ୟପଟେ ମହିଳା ଓ ପୁରୁଷଙ୍କ ଟ୍ରେନିଂ ଏକାସଙ୍ଗରେ କରାଯିବ । ଆଇଏମ୍ଏର ଅଧିକାରୀ ପ୍ରସ୍ତୁତି ପାଇଁ ଅଫିସର୍ସ ଟ୍ରେନିଂ ଏକାଦେମୀ (ଓଟିଏ) ଚେନ୍ନାଇ ଓ ଏୟାରଫୋର୍ସ ଏକାଡେମୀ ଡ୍ଡଣ୍ଡିଲ ଓ ନେଭାଲ୍ ଏକାଡେମୀ ଗସ୍ତ କରିଥିଲେ । ଅଧିକାରୀ କହିଛନ୍ତି ଯେ ୩୦ ବର୍ଷରୁ ଅଧିକ ସମୟ ଧରି ଓଟିଏରେ ମହିଳାଙ୍କୁ ଯେପରି ଟ୍ରେନିଂ ଦିଆଯାଉଛି, ଆଇଏମ୍ରେ ସେଭଳି ବ୍ୟବସ୍ଥା କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ୟୁପିଏସସି ପ୍ରତିବର୍ଷ ଏନ୍ଡିଏ ପରୀକ୍ଷା ଆୟୋଜନ କରିଥାଏ । ଦ୍ୱାଦଶ ପଢୁଥିବା କିମ୍ୱା ପାସ୍ ହୋଇଥିବା ବିଦ୍ୟାର୍ଥୀ ଏହି ପରୀକ୍ଷାରେ ସାମିଲ ହୋଇପାରିବେ । ପାସ୍ ହେବା ପରେ ସେମାନଙ୍କୁ ୬ ଦିନର ଏସଏମ୍ବି ଇଣ୍ଟରଭ୍ୟୁ ଦେବାକୁ ପଡ଼ିଥାଏ । ଏହାପରେ ଯେଉଁମାନେ ଚୟନ ହୁଅନ୍ତି ସେମାନଙ୍କ ମେଡିକାଲ କରାଯାଏ । ପ୍ରଥମେ ତିନି ବର୍ଷର ଟ୍ରେନିଂ ଏନଡିଏରେ ହୋଇଥାଏ । ଏହାପରେ ଅଲଗା ଅଲଗା ସେନା ଏକାଡେମୀରେ ଟ୍ରେନିଂ ଦିଆଯାଏ ।