ମଝି ସମୁଦ୍ରରେ ଜାହାଜରେ ନାବିକଙ୍କୁ ହେଲା ହୃଦ୍‌ଘାତ, ହେଲିକପ୍ଟରରେ କରାଗଲା ରେସ୍କ୍ୟୁ

Published By : Prameya-News7 Bureau | November 02, 2024 IST

ନୂଆଦିଲ୍ଲୀ ୦୨/୧୧: ମଝି ସମୂଦ୍ରରେ ଅଟକିଗଲା ନିଶ୍ୱାସ । ଦେବଦୂତ ସାଜିଲେ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ । ଆଉ ବାଜି ଲଗାଇ ବଞ୍ଚାଇଦେଲେ ଜୀବନ । ରେସ୍କ୍ୟୁ ଅପରେସନ ପରେ ନୂଆ ଜୀବନ ପାଇଲେ ଜଣେ ୫୨ ବର୍ଷୀୟ ନାବିକ । ଆଜ୍ଞା ହଁ ଆମେ କହୁଛୁ ଜଣେ ନାବିକଙ୍କ କଥା ଯାହାଙ୍କୁ ମଝି ସମୁଦ୍ରରେ ଆସିଥିଲା ହୃଦଘାତ । 

ସୂଚନା ଥାଉକି, ଲାଇବେରିଆ ପତାକା ଉଡ଼ୁଥିବା ଏକ ଜାହାଜ ଭାରତୀୟ ତଟରୁ ପ୍ରାୟ ୩୫୦ ମାଇଲ ଦୂରରେ ସମୁଦ୍ର ମଝିରେ ଥିଲା। ସେହି ସମୟରେ ହଠାତ୍‌ ନାବିକଙ୍କୁ ହୋଇଥିଲା ହାର୍ଟଆଟାକ୍‌ । ଜାହାଜରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଉପାୟଶୂନ୍ୟ ହୋଇପଡିଥିଲେ କର୍ମଚାରୀ । ଏହା ଜାଣିବା ପରେ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଜଏଣ୍ଟ ରେସକ୍ୟୁ ଅପରେସନ । 

ସଂଗେ ସଂଗେ ଉଭୟ ଟିମ୍‌ର ସଦସ୍ୟ ଏକ ହେଲିକପ୍ଟର ସହାୟତାରେ ସମୁଦ୍ର ମଝିରୁ ନାବିକଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଉକ୍ତ ନାବିକଙ୍କୁ ସିଭିଅର ହାର୍ଟ ଆଟାକ୍‌ ଆସିଥିବା ବେଳେ ଆଉ କିଛି ସମୟ ବିଳମ୍ବ ହୋଇଥିଲେ କିଛି ଅଘଟଣ ଘଟିଥାନ୍ତା ବୋଲି କହିଛନ୍ତି ଡାକ୍ତର। ଘଟଣା ପରେ ସମୁଦ୍ର ମଝିରୁ ଦେବଦୂତ ସାଜି ଜୀବନ ବଞ୍ଚାଇଥିବା ଉଭୟ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.