ଚୀନ୍ ସହ ବିବାଦ ଇଲେକ୍ଟ୍ରୋନିକ୍ସ କମ୍ପାନିଙ୍କୁ ମହଙ୍ଗା ପଡ଼ୁଛି; ୪ ବର୍ଷରେ ୧.୨୫ ଲକ୍ଷ କୋଟିର କ୍ଷତି

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ: ଚୀନ୍‌ ସହ ବିବାଦ ଭାରତୀୟ ଇଲେକ୍ଟ୍ରୋନିକ୍ସ କମ୍ପାନିମାନଙ୍କୁ ମହଙ୍ଗା ପଡ଼ୁଛି । ପଡୋଶୀ ଦେଶ ସହ ବିବାଦ କାରଣରୁ ଗତ ୪ ବର୍ଷରେ ଇଲେକ୍ଟ୍ରୋନିକ୍ସ କମ୍ପାନିଗୁଡ଼ିକୁ ୧୫୦୦ କୋଟି ଡଲାର ବା  ୧.୨୫ ଲକ୍ଷ କୋଟିର ଉତ୍ପାଦନ କ୍ଷତି ସହିବାକୁ ପଡ଼ିଛି ।  ସେହିପରି ପ୍ରାୟ ୧୦୦,୦୦୦ ନିଯୁକ୍ତି  ସୁଯୋଗ ହାତଛଡ଼ା ହୋଇଛି । ଚୀନ୍‌ ନାଗରିକଙ୍କୁ  ଭିସା ଜାରି କରିବାରେ ବିଳମ୍ବ ଏବଂ ଭାରତରେ  କାର୍ଯ୍ୟ କରୁଥିବା ଚୀନ୍‌ କମ୍ପାନିଗୁଡ଼ିକର ଯାଞ୍ଚ ମଧ୍ୟରେ ଏହା ଦେଖିବାକୁ ମିଳିଛି । ବିଭିନ୍ନ ମନ୍ତ୍ରାଳୟଗୁଡ଼ିକୁ ପଠାଯାଇଥିବା ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ବିନିର୍ମାଣ   ଶିଳ୍ପ ପ୍ରକାଶ କରିଛି ଯେ, ଭାରତ ୨୦୦ କୋଟି   ଡଲାରର ଭାଲ୍ୟୁ ଆଡିସନ୍‌ କ୍ଷତି ସହିତ ୧୦୦୦   କୋଟି ଡଲାରର ରପ୍ତାନି ସୁଯୋଗ ବି ହରାଇଛି ।   

ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ବିଶେଷ କହିଛନ୍ତି, ଚୀନ୍‌ ଅଧିକାରୀମାନଙ୍କ ୪,୦୦୦ରୁ ୫,୦୦୦ ଭିସା   ଆବେଦନ ଭାରତ ସରକାରଙ୍କ ମଞ୍ଜୁରି ଅପେକ୍ଷାରେ ରହିଛି । ଫଳରେ ଦେଶରେ ଇଲେକ୍ଟ୍ରୋନିକ୍ସ  ବିନିର୍ମାଣ ଶିଳ୍ପର ସମ୍ପ୍ରସାରଣ ଯୋଜନାରେ ବାଧା ସୃଷ୍ଟି ହୋଇଛି । ଭାରତ ସରକାର ୧୦ ଦିନ  ମଧ୍ୟରେ ବ୍ୟବସାୟିକ ଭିସା ଆବେଦନକୁ ମଞ୍ଜୁରି  ଦେବା ପାଇଁ ଏକ ବ୍ୟବସ୍ଥା ରଖିଥିବା ସତ୍ତ୍ବେ ବି ଏହା ଦେଖିବାକୁ ମିଳୁଛି । ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍‌ ଏବଂ ମାନୁଫ୍ୟାକ୍‌ଚର୍ସ ଆସୋସିଏସନ୍‌ ଅଫ୍‌   ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି କେନ୍ଦ୍ର ସରକାରଙ୍କୁ ଚୀନ୍‌ ଅଧିକାରୀମାନଙ୍କ ପାଇଁ  ଭିସା ମଞ୍ଜୁରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ  ଅନୁରୋଧ କରିଛି । ମାତ୍ର ଏଥିରେ ମାସକରୁ ଅଧିକ ସମୟ ଲାଗୁଛି । 

ଶିଳ୍ପ ସୂତ୍ର ଅନୁସାରେ, ଚୀନ୍‌ ଅଧିକାରୀମାନଙ୍କ ଆବଶ୍ୟକତା ଟେକ୍‌ ଏବଂ ସ୍କିଲ୍‌   ଟ୍ରାନ୍ସଫର, ବିନିର୍ମାଣ ୟୁନିଟ୍‌ଗୁଡ଼ିକର ସ୍ଥାପନା ଏବଂ  କାର୍ଯ୍ୟାରମ୍ଭ ଓ ରକ୍ଷଣାବେକ୍ଷଣ ଆଦି ପାଇଁ ରହିଛି ।  ଚୀନ୍‌ର ଉକ୍ତ କମ୍ପାନିଗୁଡ଼ିକର ଅଧିକାରୀମାନଙ୍କ  ଭିସା ଆବେଦନ ବି ପଡ଼ିରହିଛି, ଯେଉଁମାନଙ୍କୁ  ସ୍ଥାନୀୟ କମ୍ପାନିଗୁଡ଼ିକର ସହଯୋଗିତାରେ ଏଠାରେ  ବିନିର୍ମାଣ ୟୁନିଟ୍‌ ବସାଇବା ପାଇଁ ଡକାଯାଇଛି ।  ଅଧିକାରୀମାନଙ୍କ ଆସିବାରେ ଅସୁବିଧା ଯୋଗୁ ପ୍ରକଳ୍ପ ଆଗେଇପାରୁନି । ଫଳରେ ଉତ୍ପାଦନ କ୍ଷତି  ସହିତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଛି । ଆଇସିଇଏ ପ୍ରକାଶ କରିଛି ଯେ, ଘରୋଇ ଭାଲ୍ୟୁ ଆଡିସନ୍‌ ଯୋଜନା ଉପରେ ବଡ଼ ପ୍ରଭାବ ପଡ଼ିଛି । ଯେତେବେଳେ ମୋବାଇଲ ପାଇଁ ପିଏଲ୍‌ଆଇ ଯୋଜନା ୨୦୨୦-୨୧ରେ ଆରମ୍ଭ କରାଯାଇଥିଲା, ସେତେବେଳେ ଆଶା କରାଯାଉଥିଲା ଯୋଗାଣ ଶୃଙ୍ଖଳ ଚୀନ୍‌ରୁ ହଟିଯିବ । କିନ୍ତୁ ଏହି  ଗତିରୋଧ ଏବଂ ଭାରତ ସହ ସୀମା ବିନିମୟ କରୁଥିବା ଦେଶଗୁଡ଼ିକର ନିବେଶକୁ ଅନିବାର୍ଯ୍ୟ ଯାଞ୍ଚ   ପରିସରଭୁକ୍ତ କରାଯିବା ନିଷ୍ପତ୍ତି କାରଣରୁ ସପ୍ଲାଏ  ଚେନ୍‌ ଟ୍ରାନ୍ସଫରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଆଇସିଇଏ ଆପଲ, ଓପୋ,  ଭିଭୋ, ଡିକ୍ସନ ଟେକ୍ନୋଲୋଜିଜ୍‌ ଏବଂ ଲାଭା ଭଳି  ମୋବାଇଲ ବ୍ରାଣ୍ଡ୍‌ ଓ ନିର୍ମାତାମାନଙ୍କ ପ୍ରତିନିଧିତ୍ୱ  କରୁଛି । 

ଆଇସିଇଏ ଅନୁମାନ କରିଛି ଯେ,  ଯଦି ଭାରତ ଏବଂ ଚୀନ୍‌ ମଧ୍ୟରେ ବ୍ୟବସାୟିକ ଗତିବିଧି ସ୍ୱାଭାବିକ ହୋଇଥାନ୍ତା, ତେବେ ଭାରତୀୟ କମ୍ପାନିଗୁଡ଼ିକର ଭ୍ୟାଲ୍ୟୁ ଆଡିସନ୍‌ ବର୍ତ୍ତମାନର  ୧୮%ରୁ ବଢ଼ି ୨୨-୨୩% ହୋଇଥାନ୍ତା । ଏହାଦ୍ୱାରା  ଘରୋଇ ମୋବାଇଲ ଫୋନ୍‌ ଇକୋସିଷ୍ଟମ୍‌ ବାର୍ଷିକ  ୧୫,୦୦୦ କୋଟି ଟଙ୍କାର ଅତିରିକ୍ତ ଡିଭିଏ  ଯୋଡ଼ିଥାନ୍ତା ।   ଆଇସିଇଏର ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ରୁ କୁହନ୍ତି,  ଏକ ସନ୍ତୁଳିତ ସମାଧାନ ଆଶା ରହିଛି । ଏହାଦ୍ୱାରା  ଉଦ୍ୟୋଗର ଚିନ୍ତା ଦୂର ହେବ ଏବଂ ତା’ସହିତ  ରାଷ୍ଟ୍ରୀୟ ସୁରକ୍ଷା ହିତରେ ସନ୍ତୁଳନ ଜାରି ରହିବ ।  ସେ ଆହୁରି କହିଛନ୍ତି ଯେ, କୌଣସି ଦେଶ ଆଗରେ  ମୁଣ୍ଡ ନୁଆଇଁବାକୁ ଶିଳ୍ପ କହୁନାହିଁ କିନ୍ତୁ ଆମକୁ  ସ୍ୱୀକାର କରିବାକୁ ପଡ଼ିବ ଯେ, ଆତ୍ମନିର୍ଭରତାର  ରାସ୍ତା ଚୀନ୍‌ର ଦବ୍‌ଦବାଯୁକ୍ତ ଭାଲ୍ୟୁ ଚେନ୍‌ ଉପରେ  ନିର୍ଭର କରେ ।  

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.