ଚୀନକୁ ବଢ଼ିଲା ଭାରତରୁ ରପ୍ତାନୀ, ଆଇରନ ଓର୍ ଏବଂ ସୂତାରେ ସର୍ବାଧିକ ବୃଦ୍ଧି

Published By : Prameya-News7 Bureau | April 11, 2024 IST

indiatoday

ନୂଆଦିଲ୍ଲୀ: ଚୀନକୁ ବଢ଼ିଲା ରପ୍ତାନୀ। ଭାରତରୁ ରପ୍ତାନୀ ହେଉଥିବା ସମୁଦାୟ ୧୬୧ ବସ୍ତୁ ମଧ୍ୟରୁ ପ୍ରାୟ ୯୦ଟିର ରପ୍ତାନୀରେ ଗତ ବର୍ଷ ବୃଦ୍ଧି ଦେଖିବାକୁ ମିଳିଛି। ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ବୃଦ୍ଧି ହୋଇଥିବା ବସ୍ତୁ ମଧ୍ୟରେ ଆଇରନ ଓର୍‌, ଦୂରସଞ୍ଚାର ତଥା ଇଲେକ୍ଟ୍ରୋନିକ୍ସ ଉପକରଣ ଆଦି ସାମିଲ ରହିଛି। ଭାରତରୁ ଚୀନକୁ ରପ୍ତାନୀ ଗତ ବର୍ଷ ୧୦ କୋଟି ଡଲାରରୁ ଅଧିକ ବଢ଼ିଛି। 

ତଥ୍ୟ ଅନୁଯାୟୀ, ଭାରତରୁ ଚୀନକୁ ରପ୍ତାନୀ ହେଉଥିବା ବସ୍ତୁ ମଧ୍ୟରେ ଏହି ୯୦ ବସ୍ତୁର ଅଂଶ ୬୭.୭ ପ୍ରତିଶତ ରହିଛି। ଯେତେବେଳେକି ଅନ୍ୟ ୩୨.୩ ପ୍ରତିଶତ ଅଂଶ ଥିବା ୭୧ ବସ୍ତୁର ରପ୍ତାନୀ କମିଛି। ତେବେ ରପ୍ତାନୀ ବଢ଼ିଥିବା ବସ୍ତୁ ହେଉଛି ଆଇରନ ଓର୍। ଏହା ୨୦୨୩ରେ ଏହାର ୨୧୬.୮ ପ୍ରତିଶତ ବଢ଼ି ୬୧.୧୧ କୋଟି ଡଲାର ହୋଇଛି। ଏହାପରେ ୨୦୨୩ରେ ମସଲା ରପ୍ତାନୀ ୧୯.୪ ପ୍ରତିଶତ ବଢ଼ି ୧୩.୨୨ କୋଟି ଡଲାର, ପ୍ରୋସେସ ଖଣିଜ ୧୭୪.୧୯ ପ୍ରତିଶତ ବଢ଼ି ୧୨.୯ କୋଟି ଡଲାର ପର୍ଯ୍ୟନ୍ତ ବଢ଼ିଛି। 

ଆହୁରି ମଧ୍ୟ ସାମୁଦ୍ରିକ ଉତ୍ପାଦ, ଲୁହା ଏବଂ ଇସ୍ପାତ, ଦୂରସଞ୍ଚାର ଉପକରଣ, ବନସ୍ପତି ତେଲ, କୃଷି ରସାୟନ, କାଗଜ, ପେପରବୋର୍ଡ, ଔଷଧ ଫର୍ମୂଲେସନ, ଜୈବିକ, ଏସି, ଫ୍ରିଜ୍‌ ମେସିନାରୀ, ରଙ୍ଗ, ଖଣିଜ ଏବଂ ପ୍ରୋସେସ୍ଡ ପନିପରିବା ରପ୍ତାନୀରେ ମଧ୍ୟ ୧୦ରୁ ୧୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ବଢ଼ିଛି। 

ତଥ୍ୟ ଅନୁଯାୟୀ, ଭାରତର ଚୀନକୁ ଦୂରସଞ୍ଚାର ଉପକରଣ ଏବଂ ଇଲେକ୍ଟ୍ରୋନିକ ଉପକରଣର ରପ୍ତାନୀ ୨୦୨୩ରେ କ୍ରମଶଃ ୪୬.୪୫ ପ୍ରତିଶତ ଏବଂ ୬.୭୫ ପ୍ରତିଶତ ବଢ଼ି ୨୪.୭୫ କୋଟି ଡଲାର ଏବଂ ୧୫.୬୫ କୋଟି ଡଲାର ହୋଇଛି।

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.