କାନାଡ଼ାରୁ ମସୁର ଆମଦାନୀ କମିଲା; ଦର ବଢ଼ିବା ଆଶଙ୍କାରେ ଖାଉଟି ଓ ବ୍ୟବସାୟୀ, ଏବେ ଏହି ଦେଶରୁ ଡାଲି କିଣିବେ ଭାରତୀୟ ?

Published By : Prameya-News7 Bureau | September 27, 2023 IST

ନୂଆଦିଲ୍ଲୀ: ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ଖରାପ ହେବା ପରେ ଧୀରେ ଧୀରେ ସମସ୍ତ ସମ୍ପର୍କ କ୍ଷୀଣ ହେବାରେ ଲାଗିଛି। ବାଣିଜ୍ୟ ଚୁକ୍ତି ପୂର୍ବରୁ କାନାଡ଼ା ବନ୍ଦ କରି ସାରିଥିବା ବେଳେ ଭାରତ ମଧ୍ୟ ଯେଶାକୁ ତେଶା ନୀତିରେ ସମସ୍ତ ପ୍ରତ୍ୟୁତ୍ତରମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି। ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାନାଡ଼ାରୁ ମସୁର ଡାଲି ଆମଦାନୀ କମାଇ ଦେଇଛି ଭାରତ। ଡାଲି ଆମଦାନୀ କମ୍ ହେବା ପରେ ଦେଶରେ ମସୁର ମୂଲ୍ୟ ବଢ଼ିବା ନେଇ ଆଶଙ୍କା ଦେଖା ଦେଇଛି।

ଭାରତ ମୁଖ୍ୟତଃ କାନାଡ଼ାରୁ ହିଁ ମସୁର ଡାଲି ଆମଦାନୀ କରିଥାଏ। ତେଣୁ ଏ କ୍ଷେତ୍ରରେ କାନାଡ଼ାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେବେ ଆମଦାନୀ ଓ ରପ୍ତାନୀ ଶୃଙ୍ଖଳରେ ଦୁଇ ଦେଶ ପରସ୍ପରପରିପୂରକ। ଯଦି ଭାରତ କାନାଡ଼ାରୁ ଡାଲି ଆମଦାନୀ ହ୍ରାସ କରୁଛି ତେବେ କାନାଡ଼ାରେ ଡାଲି ମୂଲ୍ୟ ଅହେତୁକ ହ୍ରାସ ପାଇବ। ସେଠାକାର ଚାଷୀ ଅଭାବୀ ବିକ୍ରିର ସାମ୍ନା କରିପାରନ୍ତି। ଏପଟେ ଭାରତରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟିଯିବ। ଦେଶରେ ମସୁର ଡାଲିର ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ।

ଭାରତ ପୂର୍ବରୁ ଗହମ ଓ ବାସୁମତି ଚାଉଳ ରପ୍ତାନୀ ବନ୍ଦ କରି ଦେଇଛି। ଏବେ ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟିକ କଟକଣା ପରେ ଡାଲି ଆମଦାନୀ ହ୍ରାସ ପାଇଛି ବୋଲି ଏକ୍ସପର୍ଟ ଅନୁମାନ କରୁଛନ୍ତି। ତେବେ ଭାରତ ସରକାରଙ୍କ ଜଣେ ଅଫିସର କିନ୍ତୁ ଏକ୍ସପର୍ଟଙ୍କ ଏପରି ଦାବିକୁ ଖଣ୍ଡନ କରିଛନ୍ତି। ଆମଦାନୀ କର୍ତ୍ତାଙ୍କୁ କୌଣସି ପ୍ରକାର ଆମଦାନୀ ବନ୍ଦ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।

{"width":834,"height":469}
Pulses

ପଢ଼ନ୍ତୁ-ଡାଲି କଳାବଜାରୀ ଉପରେ ଲଗାମ ଲଗାଇବାକୁ ବଡ଼ ନିଷ୍ପତ୍ତି, ଷ୍ଟକ୍‌ ଲିମିଟ୍‌ ଅବଧି ବୃଦ୍ଧି କଲେ ସରକାର

ତେବେ କାନାଡ଼ା ବୈଶିକ ବ୍ୟାପାର ବିଭାଗ(କାନାଡ଼ା ଗ୍ଲୋବାଲ ଏଫେୟାର୍ସ ଡିପାର୍ଟମେଣ୍ଟ) ସୂଚାଇଛି ଯେ ଭାରତ ଓ କାନାଡ଼ା ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ଉପରେ ପ୍ରଭାବ ପକାଇଲା ଭଳି କାନାଡ଼ା ଏପର୍ଯ୍ୟନ୍ତ କୌଣସି ସିଧାସଳଖ ନିଷ୍ପତ୍ତି ନେଇ ନାହିଁ। ତେବେ ଭାରତୀୟ ଆମଦାନୀ କର୍ତ୍ତାଙ୍କ ମଧ୍ୟରେ ଅନିଚ୍ଛା ସତ୍ତ୍ୱେ ବି କାନାଡ଼ାର ଡାଲି ରପ୍ତାନୀରେ କୌଣସି ପ୍ରଭାବ ପଡ଼ି ନାହିଁ ବୋଲି ସଂସ୍ଥା କହିଛି।।

ତେବେ ଭାରତରେ ମସୁର ଉତ୍ପାଦନ ହ୍ରାସ ପାଇଥିବାରୁ ବର୍ତ୍ତମାନ ଏହି ଡାଲିର ମୂଲ୍ୟ ଅଧିକ ରହିଛି। ତେବେ କାନାଡ଼ା ସହ ସମ୍ପର୍କ ଖରାପ ହେବା ପରେ ମସୁର ଆମଦାନୀରେ ୬ ପ୍ରତିଶତ ହ୍ରାସ ହୋଇ ୭୭୦ ଆମେରିକୀୟ ଡଲାର ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି ବୋଲି ଜଣେ ରପ୍ତାନିକାରୀ କେଭିନ ପ୍ରାଇସ୍‌ କହିଛନ୍ତି।

ମସୁର ଡାଲି ରପ୍ତାନୀରେ କାନାଡ଼ର ଭୂମିକା ଗରୁତ୍ୱପୂର୍ଣ୍ଣ

ଆର୍ଥିକ ବର୍ଷ ୨୦୨୨ ଓ ୨୩ରେ ଭାରତକୁ ମସୁର ଡାଲି ଯୋଗାଇବାରେ କାନାଡ଼ା ପ୍ରମୁଖ ଭୂମିକା ନିର୍ବାହ କରିଛି। ଭାରତର ମୋଟ ମସୁର ଡାଲି ଆମଦାନୀରୁ ଅଧା କେବଳ କାନାଡ଼ାରୁ ହିଁ ଆମଦାନୀ ହୋଇଛି। ଏପ୍ରିଲ ଠାରୁ ଜୁଲାଇ ମଧ୍ୟରେ ବର୍ଷ ପ୍ରତି ବର୍ଷ କାନାଡ଼ା ମସୁର ଆମଦାନୀ ୪୨୦ ପ୍ରତିଶତ ବଢି ୧୯୦,୭୮୪ ଟନ୍‌ ହୋଇଛି ବୋଲି ଭାରତୀୟ ବାଣିଜ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଏବେ କାନାଡ଼ା ଠାରୁ ମସୁର ଡାଲି ଆମଦାନୀର ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛନ୍ତି ଭାରତୀୟ ଆମଦାନିକାରୀ। ଏଥିପାଇଁ ଅଷ୍ଟ୍ରେଲିଆ ଆଡ଼କୁ ମୁହାଁଇଛନ୍ତି। ଅଷ୍ଟ୍ରେଲିଆ ଠାରୁ ମସୁର ଆମଦାନୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ବର୍ତ୍ତମାନ ଭାରତରେ ଡାଲି ମୂଲ୍ୟ ଆକାଶ ଛୁଆଁ ରହିଛି। ଏପରି ସ୍ଥିତିରେ ଯଦି ଆମଦାନୀ ଉପରେ କଟକଣା ଲଗାଯାଏ ତେବେ ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ମୁମ୍ବାଇ ସ୍ଥିତ ଡିଲରମାନେ ଆଶଙ୍କା କରିଛନ୍ତି।  

ପଢ଼ନ୍ତୁ-ଚିନିର ମୂଲ୍ୟ ବୃଦ୍ଧି ଉପରେ ଲାଗିବ ରୋକ୍, ସବୁ ସୋମବାର ଷ୍ଟକ୍‌ ଘୋଷଣା କରିବେ ଟ୍ରେଡର୍ସ ଓ ରିଟେଲର୍ସ   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.