୧୨ ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିଲା ଭାରତ, ୨୫ ବର୍ଷରେ ତୃତୀୟ ଥର ଲଗାତାର ଦୁଇ ମ୍ୟାଚ୍‌ରେ ପରାସ୍ତ

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟ ଜିତିବା ସହ ତିନି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କବଜା କରିଛି । ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ କିୱି ଟିମ୍ ୮ ୱିକେଟରେ ନିଜ ନାଁରେ କରିଥିଲା । ଭାରତୀୟ ଟିମ୍ ଦ୍ୱିତୀୟ ମ୍ୟାଚରେ କମବ୍ୟାକ୍ କରିବ ବୋଲି ଆଶା ଥିଲା । କିନ୍ତୁ ରୋହିତ ବାହିନୀ ଏପରି କରିବାରେ ବିଫଳ ହେଲା । ଟିମ୍ ଇଣ୍ଡିଆ ନିଜେ ବିଛାଇଥିବା ଜାଲରେ ଫସିଗଲା । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡର ପେସ୍ ଆଟାକ୍ ଆଗରେ ଧରାଶାୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍ପିନର୍ସ ଭାରତୀୟ ବ୍ୟାଟିଂ ଲାଇନର ଅଣ୍ଟା ଭାଙ୍ଗିଲେ । ପୁଣେରେ ୩୫୯ ରନର ବିଜୟ ଲକ୍ଷ୍ୟ ଜବାବରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୪୫ ରନରେ ଅଲଆଉଟ୍ ହୋଇ ମ୍ୟାଚ୍ ସହ ସିରିଜ ହାରିଛି ।

ଟିମ୍ ଇଣ୍ଡିଆ ନିଜ ଘରେ ୧୨ ବର୍ଷ ପରେ ପ୍ରଥମ ଟେଷ୍ଟ ସିରିଜ୍ ହାରିଛି । ଏହାସହ ଘରୋଇ ମାଟିରେ ଲଗାତାର ୧୮ ଟେଷ୍ଟ ସିରିଜ ଜିତିବା ପରେ ବିଜୟର ଧାରା ଭାଙ୍ଗି ଯାଇଛି । ଶେଷ ଥର ପାଇଁ  ୨୦୧୨-୧୩ରେ ଇଂଲଣ୍ଡ ଚାରି ମ୍ୟାଚର ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ୨-୧ରେ ହରାଇଥିଲା । ସିରିଜ ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ଭାରତୀୟ ମାଟିରେ ଏଭଳି ପ୍ରଭାବଶାଳୀ ପ୍ରଦର୍ଶନ କରିବ ବୋଲି କେହି ଭାବି ନଥିଲେ । ପ୍ରଥମ ଟେଷ୍ଟ ଜିତିବା ସହ ନ୍ୟୁଜିଲାଣ୍ଡ ୩୬ ବର୍ଷ ପରେ ଭାରତରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିଥିଲା । ଦ୍ୱିତୀୟ ଟେଷ୍ଟ ଜିତି ଭାରତ ମାଟିରେ ପ୍ରଥମ ଟେଷ୍ଟ ସିରିଜ ଜିତିଛି । ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ୧୯୫୫ ମସିହାରେ ଖେଳାଯାଇଥିଲା । ଦୁଇ ଦେଶ ମଧ୍ୟରେ ୬୯ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡ ଟିମ୍ ଏହି କାରନାମା କରିଛି ।

ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଲଗାତାର ଦୁଇ ଟେଷ୍ଟ ମ୍ୟାଚ୍ ହାରିଛି । ଶେଷ ଥର ପାଇଁ ୨୦୧୨ରେ ଭାରତ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ହାରିଥିଲା । ସେତେବେଳେ ଇଂଲଣ୍ଡ ୱାନଖଡ଼େ ଏବଂ ଇଡନ୍ ଗାର୍ଡେନ୍ସରେ ଲଗାତା ଦୁଇ ଟେଷ୍ଟରେ ଭାରତକୁ ହରାଇଥିଲା । ପୁଣେ ଟେଷ୍ଟରେ ଭାରତର ବ୍ୟାଟିଂ ପୂରା ଫ୍ଲପ୍ ହୋଇଥିଲା । ଜୈସ୍ୱାଲଙ୍କୁ ଛାଡ଼ି ଅନ୍ୟ ସବୁ ବ୍ୟାଟର ରନ ପାଇଁ ସଂଘର୍ଷ କରିଥିଲେ । ନ୍ୟୁଜିଲାଣ୍ଡର ବାମାହାତୀ ସ୍ପିନ୍ ବୋଲର ମିଚେଲ ସେଣ୍ଟନର ମ୍ୟାଚରେ ବିଜୟର ନାୟକ । ସେଣ୍ଟନର ପ୍ରଥମ ଇନିଂସରେ ୭ ଏବଂ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ଐତିହାସିକ ବିଜୟ ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.