ପୁଣେରେ ରୋହିତ୍ ସେନାର ଲଜ୍ଜାଜନକ ପ୍ରଦର୍ଶନ, ଭାରତ ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ୍ ଜିତିଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ: ପୁଣେ ଟେଷ୍ଟରେ ରୋହିତ୍ ବାହିନୀ ଫେଲ୍ । ଟିମ୍ ଇଣ୍ଡିଆର ଲଜ୍ଜାଜନକ ଖେଳ ପ୍ରଦର୍ଶନ । ସେଣ୍ଟନରଙ୍କ ଆଗରେ କରିଦେଲେ ଆତ୍ମସର୍ମପଣ ! ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତକୁ ୧୧୩ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ କବଜା କରିଛି । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରି ଭାରତକୁ ୩୫୯ ରନ୍ ଲକ୍ଷ୍ୟ ଦେଇଥିଲା । ଜବବାରେ ଭାରତୀୟ ବ୍ୟାଟର ଅତି ଖରାପ ବ୍ୟାଟିଂ କରି ନିରାଶ କରିଛନ୍ତି । ଜୈସ୍ୱାଲଙ୍କୁ ଛାଡ଼ି ଅନ୍ୟ ସମସ୍ତ ଖେଳାଳି ରନ୍ କରିବା ପାଇଁ ସଂଘର୍ଷ କରି ଆଉଟ୍ ହୋଇଛନ୍ତି । ଭାରତୀୟ ଟିମ୍ ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ କେବଳ ୨୪୫ ରନ୍‌ରେ ସୀମିତ ହୋଇଛି ।

ପୁଣେ ଟେଷ୍ଟ ହାରିବା ସହ ଭାରତୀୟ ଟିମ୍ ସିରିଜ୍ ମଧ୍ୟ ହରାଇଛି । ଏହାସହ ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ଥର ପାଇଁ ଭାରତ ମାଟିରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଛି । ନ୍ୟୁଜିଲାଣ୍ଡର ବାମାହାତୀ ସ୍ପିନ୍ ବୋଲର ମିଚେଲ ସେଣ୍ଟନର ଆଜିର ମ୍ୟାଚରେ ବିଜୟର ନାୟକ ହୋଇଛନ୍ତି । ସେଣ୍ଟନର ମ୍ୟାଚର ପ୍ରଥମ ଇନିଂସରେ ୭ ଏବଂ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇଛନ୍ତି ।

ଭାରତର ଦ୍ୱିତୀୟ ଇନିଂସରେ ଜୈସ୍ୱାଲ (୭୭)ଙ୍କ ବ୍ୟତୀତ କେବଳ ରବିନ୍ଦ୍ର ଜାଡେଜା ନ୍ୟୁଜିଲାଣ୍ଡ ବୋଲରଙ୍କ ସାମନାରେ ରନ୍ କରିବାରେ ସଫଳ ହୋଇଥିଲେ । ଅନୁଭବୀ ରୋହିତ୍ ଶର୍ମା (୮) ଏବଂ ବିରାଟ କୋହଲି (୧୭) ରନ୍ ଲଗାତାର ଦ୍ୱିତୀୟ ଇନିଂସରେ ନିରାଶ କରିଥିଲେ । ଶୁଭମନ ଗିଲ୍ ୨୩ ରନ୍ ଆଉଟ୍ ହୋଇଥିଲେ । ରିଷଭ ପନ୍ତ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ୍ ହୋଇଥିଲେ । ପ୍ରଥମ ଟେଷ୍ଟରେ ଶତକ ମାରିଥିବା ସରଫରାଜ ଖାନଙ୍କ ବ୍ୟାଟ୍ ପୁଣେ ପିଚରେ ଦ୍ୱିତୀୟ ଇନିଂସରେ ବି ଚାଲିଲା ନାହିଁ । ସେ ୯ ରନ୍ କରି ସେଣ୍ଟନରଙ୍କ ଶିକାର ହୋଇଥିଲେ । ୱାଶିଂଟନ ସୁନ୍ଦର ୨୧ ରନ୍ କରି ଆଉଟ୍ ହୋଇଥିଲେ । ଅଶ୍ୱିନ ୧୮ ରନ୍, ଆକାଶଦୀପ ସିଂହ ୧ ରନ୍ କରି ଆଉଟ୍ ହେଲେ । ଭାରତର ଶେଷ ୱିକେଟ ଭାବେ ଜାଡେଜା ୪୨ ରନ୍ କରି ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ ।  

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ତୃତୀୟ ଦିନରେ ନିଜ ଖେଳକୁ ୫ ୱିକେଟରେ ୧୯୮ ରନରୁ ଆଗକୁ ବଢାଇଥିଲା । ଶେଷ ଚାରୋଟି ୱିକେଟ୍ ଲଗାତାର ହରାଇବା ଯୋଗୁଁ କିୱି ଟିମ୍ ୨୫୫ ରନରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ୱାଶିଂଟନ ସୁନ୍ଦର ୪, ରବିନ୍ଦ୍ର ଜାଡେଜା ୩ ଏବଂ ଅଶ୍ୱିନ ୨ଟି ୱିକେଟ୍ ନେଇଥିଲେ । ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୫୯ ରନ୍ କରିଥିଲା । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ କେବଳ ୧୫୬ ରନ୍ ସୀମିତ ହୋଇଥିଲା । ପ୍ରଥମ ପାଳି ଆଧାରରେ ନ୍ୟୁଜିଲାଣ୍ଡ ଟିମ୍ ୧୦୩ ରନ୍ ଆଗୁଆ ରହିଥିଲା । ପ୍ରଥମ ଇନିଂସର ୧୦୩ ରନ୍ ଲିଡ୍ ଏବଂ ଦ୍ୱିତୀୟ ଇନିଂସର ୨୫୫ ରନ୍‌କୁ ମିଶାଇ ଭାରତକୁ ୩୫୯ ରନ୍ ଲକ୍ଷ୍ୟ ମିଳିଥିଲା । କିନ୍ତୁ ଭାରତ ୨୪୫ ରନ୍ କରି ୧୧୩ ରନ୍‌ରେ ପରାଜିତ ହୋଇଛି । 

ନ୍ୟୁଜିଲାଣ୍ଡ: ୨୫୯& ୨୫୫

ଭାରତ: ୧୫୬ & ୨୪୫

  • cricket
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.