ରୋହିତଙ୍କୁ ଛାଡ଼ିବାକୁ ପଡ଼ିବ ଟି-୨୦ର ମାନସିକତା, ଅଧିନାୟକଙ୍କୁ ପୂର୍ବତନ କ୍ରିକେଟରଙ୍କ ଉପଦେଶ

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟେଷ୍ଟରେ ଘରୋଇ ଭାରତକୁ ୧୧୩ ରନରେ ହରାଇଛି। ଏଥିସହ କିଓ୍ଵି ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପୁଣେରେ ଖେଳା ଯାଇଥିବା ମ୍ୟାଚ୍‌କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ନେତୃତ୍ଵ ଉପରେ ଟିପ୍ପଣୀ କରିବା ସହ ଦଳର ବ୍ୟାଟିଂ କ୍ରମ ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ରୋହିତଙ୍କୁ ଟି-୨୦ର ମାନସିକତାକୁ ଟେଷ୍ଟରେ ଲାଗୁ କରିବା ଉଚିତ୍ ନୁହେଁ।

ସଞ୍ଜୟ ମାଞ୍ଜରେକର କହିଛନ୍ତି, ଯେବେ ଯଶସ୍ଵୀ ଜୟସ୍ଵାଲ ଓ ଶୁଭମନ ଗିଲ୍‌ଙ୍କ ମଧ୍ୟରେ ଭାଗିଦାରୀ ହେଉଥିଲା, ଭାବିଲି କିଛି ଭିନ୍ନ ହେବାକୁ ଯାଉଛି। ଗିଲ୍ ସ୍ପିନରଙ୍କ ବିରୋଧରେ ନିଜକୁ ଅସହଜ ମନେ କରୁଥିଲେ। ବିରାଟ କୋହଲି  ପୁଣି ଥରେ ବଲର ଲାଇନକୁ ପଢିବାରେ ବିଫଳ ହେଲେ। ଟପ୍ ୪ରୁ ୩ ଖେଳାଳି ସ୍ପିନ ବିରୋଧରେ ଆତ୍ମବିଶ୍ଵାସ ଜଣା ପଡ଼ୁ ନ ଥିଲେ। ଯଦି ଭାରତ ନିଜର ଡିଫେନ୍ସକୁ ମଜବୁତ କରିପାରିଥାନ୍ତା ତେବେ ମ୍ୟାଚ୍‌ରେ ଏମିତି ଫଳାଫଳ ବୋଧହୁଏ ମିଳି ନ ଥାନ୍ତା। 

ମାଞ୍ଜରେକର କହିଛନ୍ତି, ସରଫରାଜ ଖାନଙ୍କୁ ବ୍ୟାଟିଂ ପାଇଁ ନିମ୍ନକ୍ରମରେ ପଠାଇବା ଏବଂ ତାଙ୍କ ଉପରେ ଓ୍ଵାଶିଂଟନ ସୁନ୍ଦରଙ୍କୁ  ପଠାଇବା ଏମିତି ରଣନୀତି କାମ କରେ ନାହିଁ। ରୋହିତ ଶର୍ମାଙ୍କୁ ଏମିତି ରଣନୀତିରୁ ଦୂରେଇ ରହିବା ଉଚିତ୍। ତାଙ୍କୁ ଟି-୨୦ ମାନସିକତାକୁ ଟେଷ୍ଟରେ ଲାଗୁ କରିବା ଛାଡ଼ିବାକୁ ପଡ଼ିବ।ମ୍ୟାଚ୍‌ରେ ସର୍ବଦା ଲେଫ୍ଟ ଓ ରାଇଟ୍ ହ୍ୟାଣ୍ଡ କମ୍ବିନେସନର ଆବଶ୍ୟକତା ନାହିଁ। ଆମକୁ କେବଳ ନିଜ ଖେଳାଳିଙ୍କ କ୍ଷମତା ସହିତ ଆଗକୁ ବଢିବାକୁ ପଡ଼ିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.