ବାଂଲାଦେଶ ପୂଜା ମଣ୍ଡପ ଆକ୍ରମଣ ଘଟଣାକୁ ନେଇ ଭାରତର ଉଦବେଗ, ଜାଣନ୍ତୁ କ’ଣ କହିଲେ MEA

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ ୧୨।୧୦: ବାଂଲାଦେଶ ରାଜଧାନୀ ଢାକାରେ ଦୁର୍ଗାପୂଜା ମଣ୍ଡପ ଉପରେ ଆକ୍ରମଣ ଓ ଶତଖୀରା ଜେଶୋରେଶ୍ୱରୀ ମନ୍ଦିରରୁ ଚୋରି ଘଟଣାକୁ ନେଇ ଭାରତ ଗଭୀର ଉଦବେଗ ପ୍ରକାଶ କରିଛି ଓ ଏହାକୁ ‘ଘୃଣ୍ୟ କାର୍ଯ୍ୟ’  ବୋଲି କହିଛି। ଏଣୁ ଭାରତ ପକ୍ଷରୁ ବାଂଲାଦେଶ ସରକାରଙ୍କୁ ହିନ୍ଦୁଙ୍କ ସମେତ ସମସ୍ତ ସଂଖ୍ୟାଲଘୁ ଓ ସେମାନଙ୍କ ପୂଜା ସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଦେଶମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଶନିବାର କହିଛନ୍ତି ଯେ ଭାରତ ଏହି ଘଟଣାଗୁଡିକ ଧାର୍ଯ୍ୟ ପାଟର୍ଣ୍ଣ ଅନୁସାରେ ହୋଇଥିବା ଦେଖୁଛି। 

ସେ କହିଛନ୍ତି ଯେ ଏହା ନିନ୍ଦନୀୟ ଘଟଣା। ସେମାନେ ମନ୍ଦିର ଓ ଦେବତାଙ୍କୁ ଅପବିତ୍ର କରିବା ପାଇଁ ଏକ ବ୍ୟବସ୍ଥିତ ପ୍ୟାଟର୍ଣ୍ଣ ଆପଣେଇଛନ୍ତି, ଯାହା ଆମେ ଗତ କିଛି ଦିନ ହେଲା ଦେଖି ଆସୁଛୁ। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ରଙ୍କ ବୟାନ ପୁରୁଣା ଢାକା ତନ୍ତିବଜାର ଅଞ୍ଚଳର ପୂଜା ମଣ୍ଡପ ଉପରକୁ ଦେଶୀ ବୋମା ଫିଙ୍ଗା ଯିବା ଘଟଣା ପରେ ଆସିଛି। ବାଂଲାଦେଶ ସମ୍ବାଦପତ୍ର ‘ପ୍ରଥମ ଆଲୋ’ ରିପୋର୍ଟ ଅନୁସାରେ ଏହି ବୋମା ପଡିବା ପରେ ଏଥିରେ ସାମାନ୍ୟ ନିଆଁ ଜଳି ଯାଇଥିଲା, ତେବେ କେହି ହତାହତ ହୋଇ ନାହାନ୍ତି। 

ବାଂଲାଦେଶରେ ହିନ୍ଦୁ ଓ ସବୁ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଜୟସ୍ୱାଲ କହିଛନ୍ତି। ବିଶେଷ କରି ଏହି ଶୁଭ ପୂଜା ସମୟରେ ସଂଖ୍ୟାଲଘୁଙ୍କ ପୂଜାସ୍ଥଳ ସୁରକ୍ଷିତ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଥମ ଆଲୋ ରିପୋର୍ଟ ଅନୁସାରେ ତନ୍ତିବଜାର ପୂଜା ପେଣ୍ଡାଲ ଉପରକୁ ଦୁର୍ବୃତ୍ତମାନେ କାଚ ବୋତଲରେ ପେଟ୍ରୋଲ ପୁରାଇ ନିଆଁ ଲଗେଇବା ପରେ ଫିଙ୍ଗିଥିଲେ। ପୂଜା ମଣ୍ଡପ କଡ଼ ଗଳିରୁ ଏହି ଆକ୍ରମଣ କରାଯାଇଥିଲା। ଦଳେ ଯୁବକ ପୂଜାମଣ୍ଡପକୁ ଲକ୍ଷ କରି ପେଟ୍ରୋଲ ବୋମା ଫିଙ୍ଗିଥିଲେ। ସ୍ୱେଚ୍ଛାସେବୀ ସେମାନଙ୍କ ପିଛା କରିବାରୁ ଛୁରି ଦେଖାଇ ସେମାନଙ୍କୁ ଧମକାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.