ଇଲେକ୍ଟୋରାଲ ବଣ୍ଡ ମାମଲା: ନିର୍ମଳା ସୀତାରମଣଙ୍କ ବିରୋଧରେ ରୁଜୁ FIR ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରୋକ

Published By : Prameya-News7 Bureau | September 30, 2024 IST

ବେଙ୍ଗାଲୁରୁ ୩୦।୯: ଇଲେକ୍ଟୋରାଲ ବଣ୍ଡ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟଙ୍କ ବିରୋଧରେ ରୁଜୁ ଏଫଆଇଆର ଉପରେ କର୍ଣ୍ଣାଟକ ହାଇକୋର୍ଟ ସୋମବାର ଅନ୍ତରୀଣ ରୋକ ଲଗାଇ ଦେଇଛନ୍ତି। ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ। ଏହି ମାମଲାର ସହ ଅଭିଯୁକ୍ତ କର୍ଣ୍ଣାଟକ ବିଜେପିର ତତ୍କାଳୀନ ଅଧ୍ୟକ୍ଷ ନଳିନୀ କୁମାର କଟିଲଙ୍କ ବିରୋଧରେ ରୁଜୁ ଏଫଆଇଆର ଉପରେ ଜାରି ପରବର୍ତ୍ତୀ ଯାଞ୍ଚକୁ ମଧ୍ୟ ରୋକି ଦିଆଯାଇଛି। 

କଟିଲ ନିର୍ବାଚନୀ ବଣ୍ଡ ନାମରେ ଜୋର ଜବରଦସ୍ତ ଅସୁଲି କରିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୨୨ ତାରିଖରେ ହେବ। ଉଲ୍ଲେଖଯୋଗ୍ୟ ଯେ ଏକ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶ ଆଧାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ, ରାଜ୍ୟ ତଥା ଜାତୀୟ ସ୍ତରୀୟ ବିଜେପି ପଦାଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ବିଜେପିର କର୍ଣ୍ଣାଟକ ମୁଖ୍ୟ ବି.ୱାଇ, ବିଜୟେନ୍ଦ୍ର, ପାର୍ଟି ନେତା ନଳନୀ କୁମାର କଟିଲଙ୍କ ନାମ ମଧ୍ୟ ଏଫଆଇଆରରେ ଅଛି। 

ମାମଲାରେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳ କହିଛନ୍ତି ଯେ ପ୍ରତିବାଦୀଙ୍କ ଦ୍ୱାରା ଆପତ୍ତି କରାଯିବା ପର୍ଯ୍ୟନ୍ତ, ପ୍ରିମା ଫେସି ଯାଞ୍ଚର ଅନୁମତି ଦେବା ଆଇନ ପ୍ରକ୍ରିୟାର ଦୂପଯୋଗ ହେବ। ଏଣୁ ଆଗାମୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ମାମଲାର ପରବର୍ତ୍ତି ଯାଞ୍ଚ ରୋକାଯିବା ଉଚିତ ମନେ କରାଯାଉଛି। ଏହା ପୂର୍ବରୁ ଶୁକ୍ରବାର ବେଙ୍ଗାଲୁରୁରର ଏକ କୋର୍ଟ ନିର୍ବାଚନୀ ବଣ୍ଡ ମାଧ୍ୟମରେ କଥିତ ରୂପେ ଜୋର ଜବରଦସ୍ତ ଅସୁଲି ନିମନ୍ତେ ନିର୍ମଳା ସୀତାରମଣ ଓ ଅନ୍ୟଙ୍କ ବିରୋଧରେ ଏଫଆଇର ରୁଜୁ କରିବାକୁ ଆଦେଶ ଦିଆଯାଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ଜନାଧିକାର ସଂଘର୍ଷ ପରିଷଦ(ଜେଏସପି)  ସହ ଅଧ୍ୟକ୍ଷ ଆଦର୍ଶ ଆର.ଆୟର ନିର୍ବାଚନ ବଣ୍ଡ ଅସୁଲି ଅଭିଯୋଗ ରୁଜୁ କରିଥିଲେ। ସେ କହିଥିଲେ ଯେ ନିର୍ବାଚନ ବଣ୍ଡ ଆଢୁଆଳରେ ଜୋରଜବରଦସ୍ତ ଅସୁଲ କରାଗଲା ଓ ୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଲାଭ ଉଠାଯାଇଛି। ଅଭିଯୋଗକର୍ତ୍ତା କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଇଡି ଅଧିକାରୀଙ୍କ ଗୋପନ ସହାୟତା ଓ ସମର୍ଥନ ଦ୍ୱାରା ରାଜ୍ୟ ଓ ଜାତୀୟ ସ୍ତରରେ ଜଣେ ଜଣକର ଲାଭ ନିମନ୍ତେ ହଜାର ହଜାର କୋଟି ଟଙ୍କା ଅସୁଲ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.