IPL ଅଧିନାୟକଙ୍କ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳର ଅଧିନାୟକ ପାଉଛନ୍ତି କେତେ ଦରମା

Published By : Prameya-News7 Bureau | March 20, 2024 IST

ନୂଆଦିଲ୍ଲୀ: ବୁଧବାରଠୁ ଆରମ୍ଭ ହେଉଛି ବିଶ୍ଵର ଧର୍ଣ୍ଣାଢ୍ୟ ଟି-୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)। ସବୁ ୧୦ ଦଳ ପରସ୍ପରକୁ ମାତ୍ ଦେବାକୁ ପ୍ରସ୍ତୁତ। ତେବେ କିଛି ମାସ ତଳେ ସଂପନ୍ନ ଆଇପିଏଲ୍ ୨୦୨୪ ନିଲାମ ସଭିଙ୍କ ଚକିତ କରିଥିଲା। କାରଣ ମିଚେଲ୍ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ୨୪ କୋଟି ୭୫ ଲକ୍ଷ  ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ପାଟ୍ କମିନ୍ସଙ୍କୁ ୨୦ କୋଟିରୁ ଅଧିକ ଖର୍ଚ୍ଚ କରି ଅଧିନାୟକ କରିଛି ସନରାଇଜର୍ସ  ହାଇଦ୍ରାବାଦ। ଏମଏସ ଧୋନୀଙ୍କଠୁ ନେଇ ଫାଫ ଡୁ ପ୍ଲେସିସ୍‌ଙ୍କ ପରି ବରିଷ୍ଠ ଖେଳାଳି କ୍ରମାଗତ ନିଜ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳି ଆସିଛନ୍ତି। କଣ ଆପଣ ଜାଣିଛନ୍ତି କି ଆଇପିଏଲ୍ ୨୦୨୪ରେ ନିଜ ଦଳର ନେତୃତ୍ଵ ନେଉଥିବା ଅଧିନାୟକଙ୍କ ଦରମା କେତେ ?

୧. ପାଟ୍ କମିନ୍ସ(ଏସଆରଏଚ)- ୨୦.୫ କୋଟି

ଆଇପିଏଲ୍ ୨୦୨୪ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ୨୦.୫ କୋଟି ଟଙ୍କା ନିଲାମ ଡାକରା ଦେଇ ସଭିଙ୍କୁ ଚକିତ କରିଥିଲା। ଗତ ସିଜିନରେ ଆଡନ ମାରକ୍ରମ ଦଳର ନେତୃତ୍ଵ ନେଇଥିଲେ। ମାତ୍ର ଏଥର ପାଟ୍ କମିନ୍ସଙ୍କୁ ଫ୍ରାଞ୍ଚାଇଜ ଅଧିନାୟକ ଦାୟିତ୍ଵ ଦେଇଛି। କମିନ୍ସ ହେଉଛନ୍ତି ସେହି ଖେଳାଳି ଯିଏ କିଛି ମାସ ପୂର୍ବେ ଦିନିକିଆ କ୍ରିକେଟ୍‌ରେ ଅଷ୍ଟ୍ରେଲିଆକୁ ବିଶ୍ଵ ବିଜୟୀ କରାଇଥିଲେ। ଏହା ସହ ୨୦୨୩ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଦଳକୁ ଟ୍ରଫି ଜିତାଇଥିଲେ।

୨. କେଏଲ ରାହୁଲ(ଏଲଏସଜି)- ୧୭ କୋଟି

କେଏଲ ରାହୁଲ ଆହତ ହେବା କାରଣରୁ ଗତ ସିଜିନରେ ଅଧା ମ୍ୟାଚ୍ ଖେଳି ପାରି ନ ଥିଲେ। ଏବେ ସେ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଛନ୍ତି। କିନ୍ତୁ ସିଜିନ ଆରମ୍ଭ  ହେବା ପୂର୍ବରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ। ତାଙ୍କୁ ଆଇପିଏଲ୍ ୨୦୨୪ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରିଟେନ୍ କରିଛି। କେଏଲ ରାହୁଲଙ୍କୁ ଗୋଟିଏ ସିଜିନ ପାଇଁ ୧୭ କୋଟି ଟଙ୍କା ଦରମା ମିଳୁଛି। ରାହୁଲ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୧୧୮ଟି ମ୍ୟାଚ୍ ଖେଳି ୪୬.୭୮ ହାରରେ ୪,୧୬୩ ରନ କରିଛନ୍ତି।

୩. ଋଷଭ ପନ୍ତ(ଡିସି)- ୧୬ କୋଟି

ଋଷଭ ପନ୍ତ ୨୦୨୨ ଡିସେମ୍ବରରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଗତ ସିଜିନ ଖେଳି ପାରି ନ ଥିଲେ। ନିକଟରେ ସେ ସଂପୂର୍ଣ୍ଣ ଫିଟ୍ ହୋଇ ମଇଦାନକୁ ଫେରିଛନ୍ତି। ବିସିସିଆଇ ମଧ୍ୟ ପନ୍ତଙ୍କୁ କ୍ରିକେଟ୍ ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସଂସ୍କରଣ ପାଇଁ ତାଙ୍କୁ ପୁନର୍ବାର ଅଧିନାୟକ ନିଯୁକ୍ତ କରିଛି। ତାଙ୍କୁ ଗୋଟିଏ ସିଜିନ ପାଇଁ ୧୬ କୋଟି ଟଙ୍କା ମିଳୁଛି। ପନ୍ତ ଆଇପିଏଲରେ ୯୮ଟି ମ୍ୟାଚ୍‌ରୁ ୨,୮୩୮ ରନ କରିଛନ୍ତି।

୪. ହାର୍ଦ୍ଦିକ ପାଣ୍ଡ୍ୟା(ଏମଆଇ)- ୧୫ କୋଟି

ହାର୍ଦ୍ଦିକ ପାଣ୍ଡ୍ୟା ଗତ ୨ଟି ସିଜିନରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟତ୍ଵ ସମ୍ଭାଳିଥିଲେ। ମାତ୍ର ଏଥର ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ୍ କରିଛି। ଆଉ ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଗୁଜରାଟରେ ତାଙ୍କୁ ୧୫ କୋଟି ଟଙ୍କା ମିଳୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ସେହି ସମାନ ରାଶି ମିଳିବ। ପାଣ୍ଡ୍ୟା ଆଇପିଏଲ୍ କ୍ୟାରିୟରରେ ୧୨୩ ମ୍ୟାଚ୍ ଖେଳି ୨୩୦୯ ରନ କରିବା ସହ ୫୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

୫. ସଞ୍ଜୁ ସାମସନ(ଆରଆର)- ୧୪  କୋଟି

୨୦୨୧ରୁ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସର ନେତୃତ୍ଵ ଦାୟିତ୍ଵ ସମ୍ଭାଳି ଆସୁଛନ୍ତି। ୧୭ମ ସିଜିନ ପାଇଁ ମଧ୍ୟ ସେ ଦଳର ଅଧିନାୟକ ରହିଛନ୍ତି। ୨୦୨୦ରେ ରାଜସ୍ଥାନ ତାଙ୍କୁ ୧୪ କୋଟି ଟଙ୍କା ଖର୍ଚ୍ଚ କରି ଦଳରେ ସାମିଲ୍ କରିଥିଲା। ଚଳିତ ସଂସ୍କରଣରେ ମଧ୍ୟ ତାଙ୍କୁ ସେହି ପ୍ରାପ୍ୟ ମିଳିବ। ସାମସନ ଆଇପିଏଲ୍‌ରେ ଅଦ୍ୟାବଧି ୧୫୨ଟି ମ୍ୟାଚ୍ ଖେଳି ୩,୮୮୮ ରନ କରିଛନ୍ତି।

୬. ଶ୍ରେୟସ ଆୟର(କେକେଆର)- ୧୨.୨୫ କୋଟି

ଶ୍ରେୟସ ଆୟର ଲଗାତାର ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ଗତ ସିଜିନ ଖେଳିବାରୁ ବଞ୍ଚିତ ରହିଥିଲେ। ଆୟରଙ୍କୁ ଏବେ ମଧ୍ୟ ଅଣ୍ଟାଜନିତ ସମସ୍ୟା ରହିଛି। ତାଙ୍କର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳିବା ନେଇ ସଂଶୟ ରହିଛି। ତାଙ୍କୁ କେକେଆରରୁ ୧୨ କୋଟି ୨୫ ଲକ୍ଷ ଟଙ୍କା ମିଳୁଛି। ଆଇପିଏଲ୍ କ୍ୟାରିୟରରେ ୧୦୧ ମ୍ୟାଚ୍ ଖେଳି ଆୟର ୨୭୭୬ ରନ କରିଛନ୍ତି।

୭. ଏମଏସ ଧୋନୀ(ସିଏସକେ)- ୧୨ କୋଟି

ଏହି ତାଲିକାରେ ଏମଏସ ଧୋନୀ ବହୁ ତଳେ ରହିଛନ୍ତି। ତାଙ୍କୁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସିଏସକେରୁ ୧୫ କୋଟି ଟଙ୍କା ମିଳି ନ ଥିଲା। ହେଲେ ୨୦୨୩ରୁ ଧୋନୀଙ୍କୁ ୧୨ କୋଟି ଟଙ୍କାର ପାରିଶ୍ରମିକ ମିଳୁଛି। ଆଇପିଏଲ୍ ୨୦୨୪ ପାଇଁ ମଧ୍ୟ ତାଙ୍କୁ ୧୨ କୋଟି ଟଙ୍କା ମିଳିବ। ଏ ପର୍ଯ୍ୟନ୍ତ ଆଇପିଏଲ୍ କ୍ୟାରିୟରରେ ୨୫୦ ମ୍ୟାଚ୍ ଖେଳି ୫,୦୮୨ ରନ କରିଛନ୍ତି।

୮. ଶିଖର ଧାଓ୍ଵନ(ପିବିକେଏସ)- ୮.୨୫ କୋଟି

ଶିଖର ଧାଓ୍ଵନ ଆଇପିଏଲ୍ ୨୦୨୪ରେ ପଞ୍ଜାବ କିଙ୍ଗ୍ସର ନେତୃତ୍ଵ ନେବେ। ତାଙ୍କ ପାରିଶ୍ରମିକ ୮ କୋଟି ୨୫ ଲକ୍ଷ ରହିଛି। ଆଇପିଏଲ୍‌ର ୨୧୭ଟି ମ୍ୟାଚ୍‌ ଖେଳି ୬,୬୧୭ ରନ କରିଛନ୍ତି। 

୯. ଶୁଭମନ ଗିଲ୍(ଜିଟି)- ୮ କୋଟି

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଯିବା ପରେ ଶୁଭମନ ଗିଲ୍‌ଙ୍କୁ ଗୁଜରାଟ ଟାଇଟନ୍ସର ଅଧିନାୟକ ନିଯୁକ୍ତ କରିଛି ଫ୍ରାଞ୍ଚାଇଜ। ଗିଲ୍‌ଙ୍କୁ ୨୦୨୧ ପର୍ଯ୍ୟନ୍ତ କେକେଆରରେ ୧ କୋଟି ୮ ଲକ୍ଷ ଟଙ୍କା ମିଳୁଥିଲା। ମାତ୍ର ଗୁଜରାଟକୁ ଆସିବା ପରେ ଦରମା ଭାବେ ୮ କୋଟି ଟଙ୍କା ମିଳୁଛି। ଏଥର ମଧ୍ୟ ଗିଲ୍‌କୁ ୮ କୋଟି ଦରମା ମିଳିବ। ସେ ୯୧ଟି ମ୍ୟାଚ୍ ଖେଳି ୨୭୯୦ ରନ କରିଛନ୍ତି।

୧୦. ଫାଫ ଡୁ ପ୍ଲେସିସ୍‌(ଆରସିବି)- ୭ କୋଟି

ଆଇପିଏଲ୍‌ର ସବୁଠୁ ଲୋକପ୍ରିୟ ଦଳ ମଧ୍ୟରୁ ଏକ ଆରସିବିର ଅଧିନାୟକ ଅଛନ୍ତି ଫାଫ ଡୁପ୍ଲେସି। ସେ ୨୦୨୨ରୁ ଏହି ଦାୟିତ୍ଵ ସମ୍ଭାଳି ଆସିଛନ୍ତି। ୨୦୨୨ରେ ଆରସିବିର ଅଧିନାୟକ ହେବା ପରେ ତାଙ୍କୁ ବେତନ ଭାବେ ୭ କୋଟି ମିଳୁଛି। ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୧୩୦ ମ୍ୟାଚ୍ ଖେଳି ୪,୧୩୩ ରନ କରିଛନ୍ତି ଡୁପ୍ଲେସିସ୍।

  • prameyanews
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.