ଇରାନର ମିସାଇଲ ମାଡ଼ ମଧ୍ୟରେ ବଙ୍କର ଭିତରେ ବିବାହ, ନବଦମ୍ପତିଙ୍କ ବିଶେଷ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌

Published By : Prameya-News7 Bureau | October 04, 2024 IST

ନୂଆଦିଲ୍ଲୀ ୦୪।୧୦: ଯୁଦ୍ଧର ଆତଙ୍କ ଭିତରେ ବିବାହ । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏପରି ଦୃଶ୍ୟ ଇସ୍ରାଏଲର ଜେରୁସେଲମ୍‌ରୁ ଆସିଛି । ଭୂତଳ ବଙ୍କରରେ ପ୍ରେମପୂର୍ଣ୍ଣ ମୁହୂର୍ତ୍ତ ଆସିଛି ସାମ୍ନାକୁ । ନବଦମ୍ପତିଙ୍କର ପ୍ରଥମ ନୃତ୍ୟ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି । 

ଗତ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଇରାନ ୨୦୦ ବାଲିଷ୍ଟିକ୍‌ ମିସାଇଲ ମାଡ଼ କରିବା ପରଠୁ ଦୁଇ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ସେହି ରାତିରେ ଜେରୁସେଲମ୍‌ରେ ଏହି ପ୍ରେମପୂର୍ଣ୍ଣ ମୁହୂର୍ତ୍ତର ଭିଡିଓ ବିଶ୍ୱବାସୀଙ୍କୁ ଚକିତ କରିଛି । ଭିଡିଓଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଶେୟାର ହୋଇଛି । 


ଏଥିରେ ନବଦମ୍ପତି ଏକ ଅଣଓସାରିଆ ବଙ୍କର ଭିତରେ ଧିମା ଆଲୋକରେ ଧୀରେ ଧୀରେ ନୃତ୍ୟ କରୁଥିବା ନଜର ଆସୁଛନ୍ତି । ଏହି ଦୃଶ୍ୟକୁ ଉପସ୍ଥିତ ଅତିଥି ରେକର୍ଡ କରୁଛନ୍ତି । ଅତିଥିଙ୍କ ମୋବାଇଲ ଫୋନ୍‌ରେ ଗୀତ ବାଜୁଥିବାବେଳେ ବିବାହ ପୋଷାକ ପିନ୍ଧିଥିବା ଏହି ଦମ୍ପତ୍ତି ହାତ ଧରାଧରି ହୋଇ ନୃତ୍ୟ କରୁଛନ୍ତି । ଜେରୁସେଲମ୍‌ର ଅନ୍ୟତମ ସର୍ବବୃହତ ହୋଟେଲ ନୋଟ୍ରେ ଡେମ୍‌ ହୋଟେଲ ନିକଟସ୍ଥ ଏକ ବଙ୍କର୍‌ରେ ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । 

ଭିଡିଓ ସହିତ କ୍ୟାପ୍‌ସନ ରହିଛି ‘ଇରାନ ମୁହୂର୍ତ୍ତକ ପାଇଁ ମଧ୍ୟ ଜେରୁସେଲମ୍‌ରେ ଏହି ବିବାହକୁ ଅଟକାଇ ପାରିଲା ନାହିଁ ।’ ସେହି ରାତିରେ ଇରାନର ମିସାଇଲ ଆକ୍ରମଣ ପରେ ନବଦମ୍ପତି ଅନ୍ୟ ଲକ୍ଷାଧିକ ଇସ୍ରାଏଲ ଶରଣାର୍ଥୀଙ୍କ ସହ ଆଶ୍ରୟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.