ଲେବାନନର ଜନବସତି ଅଞ୍ଚଳରେ ଆଇଡିଏଫ୍ ହମଲା; ରବିବାର ଆକ୍ରମଣରେ ୧୦୫ ମୃତ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ପ୍ରଚଣ୍ଡ ପ୍ରହାରରେ ହିଜବୁଲ୍ଲା ମୁଖ୍ୟ ହାସନ୍ ନସ୍‌ରଲ୍ଲାହ ମୃତ୍ୟୁ ହୋଇଛି । ଏନେଇ ଲେବାନନ୍‌ରେ ୫  ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।  ରବିବାର ଇସ୍ରାଏଲ ସେନା ପୁଣି ଦକ୍ଷିଣ  ଲେବାନନ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ୧୦୫ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣରେ  ହିଜ୍‌ବୁଲ୍ଲାର ପ୍ରିଭେଣ୍ଟିଭ୍‌ ସିକ୍ୟୁରିଟି ୟୁନିଟ୍‌  କମାଣ୍ଡର ତଥା ଆତଙ୍କୀ ସଙ୍ଗଠନର କେନ୍ଦ୍ରୀୟ ପରିଷଦ ସଦସ୍ୟ ନବୀଲ କୌକ୍‌ ନିପାତ ହୋଇଛି । ଶୁକ୍ରବାର ହୋଇଥିବା ହମ୍‌ଲାରେ  ନସ୍‌ରଲ୍ଲାହ ବ୍ୟତୀତ ହିଜ୍‌ବୁଲ୍ଲାର ଅନ୍ୟ  ଜଣେ ବରିଷ୍ଠ ନେତା ଅଲ୍ଲୀ କାରାକି ମଧ୍ୟ  ପ୍ରାଣ ହରାଇଥିଲା । ତା’ର ମୃତ୍ୟୁକୁ ରବିବାର ଆତଙ୍କୀ ସଂଗଠନ ସ୍ପଷ୍ଟ କରିଛି ।

ଏପଟେ ସୋମବାର ଭୋରରୁ ଦକ୍ଷିଣ ଲେବାବନରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଲେବନନର ଜନବସତି ଅଞ୍ଚଳରେ ଆଇଡିଏଫର ଏହା ପ୍ରଥମ ହମଲା । ରାଜଧାନୀ ବିରୁଟର କୋଲା ଜିଲ୍ଲାରେ ଏହି ଆକ୍ରମଣ ହୋଇଛି । ଏଥିରେ ଗୋଟିଏ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିଲା ବେଳେ ୪ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର୍ସ ରିପୋର୍ଟ ମୁତାବକ, ଏହି ଆକ୍ରମଣରେ ପପୁଲାର ଫ୍ରଣ୍ଟ ଫର୍ ଦି ଲିବେରସନ ଅଫ୍ ପାଲେଷ୍ଟାୟୀନ ବା ପିଏଫଏଲପି ଆତଙ୍କବାଦୀ ଗ୍ରୁପର ୩ଜଣ କମାଣ୍ଡର ପ୍ରାଣ ହରାଇଥିବା ସୂଚନା ରହିଛି । 

ରବିବାର ଦକ୍ଷିଣ ଲେବାନନ୍‌ସ୍ଥିତ ଏକ ଗାଁ ନିକଟରେ ୪୫ ଟାର୍ଗେଟ୍‌ ଉପରେ ହମ୍‌ଲା ହୋଇଥିବା ଇସ୍ରାଏଲୀ ସେନା କହିଛି । ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ରବିବାର ଆକ୍ରମଣରେ ପ୍ରାୟ ୧୦୫ଜଣଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ ପ୍ରାନ୍ତ ସିଡନ୍ ସିଟିରେ ହୋଇଥିବା ହମଲାରେ ୩୨ଜଣଙ୍କ ଜୀବନ ଯାଇଛି । ସେହିପରି ଉତ୍ତର ପ୍ରାନ୍ତର ବାଲବେକ୍ ହର୍ମେଲ ଅଞ୍ଚଳରେ ହୋଉଥିଲା ଆତ୍ମଘାତୀ ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୪୭ ଗୁରୁତର ଭାବେ ଆହତ  ହୋଇଛନ୍ତି ।   

ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଆମେରିକାରୁ ଫେରିବା ପରେ ଶନିବାର ଏକ ଭିଡିଓ ବାର୍ତ୍ତା ଜାରି କରି  କହିଥିଲେ, ଆମ କାମ ଶେଷ ହୋଇନାହିଁ ।  ଆହୁରି କାମ ବାକି ଅଛି । ମୁଁ ନସ୍‌ରଲ୍ଲାହକୁ  ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲି । କାରଣ  ହିଜ୍‌ବୁଲ୍ଲା ଦୁର୍ବଳ ପଡ଼ିଥିଲେ ନସ୍‌ରଲ୍ଲାହ ପୁଣି  ନିଜ ଆତଙ୍କୀ ସଙ୍ଗଠନକୁ ଛିଡ଼ା କରାଇଥାନ୍ତା ।  ସେହିଭଳି ଆମେରିକାର ହ୍ୱାଇଟ୍‌ ହାଉସ୍‌  କହିଛି, ନସ୍‌ରଲ୍ଲାହର ମୃତ୍ୟୁରେ କେହି ଶୋକ  ମନାଉନାହାନ୍ତି । ଆମେରିକାର ଜାତୀୟ ସୁରକ୍ଷା  ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ହିଜ୍‌ବୁଲ୍ଲା ଏକ ଆତଙ୍କବାଦୀ ସଙ୍ଗଠନ ଏବଂ ନସ୍‌ରଲ୍ଲାହ  ଜଣେ ଆତଙ୍କବାଦୀ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.