ନୂଆଦିଲ୍ଲୀ ୦୭/୦୪: ଯୁଦ୍ଧବିରତି ଶେଷ ହେବା ପରେ, ଇସ୍ରାଏଲ ସେନା ନିରନ୍ତର ଭାବେ ଗାଜାକୁ ଟାର୍ଗେଟ କରିଆସୁଛି । ଏହି ଆଟାକ୍ରେ ୧୫ ଜଣ ଜରୁରୀକାଳୀନ ସେବା ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ସତ ମାନିଛି ଇସ୍ରାଏଲୀ ସେନା । ସେନା କହିଛି ଯେ ୨୩ ମାର୍ଚ୍ଚରେ ଦକ୍ଷିଣ ଗାଜାରେ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ତେବେ ଏହା ଭୁଲ ବଶତଃ ହୋଇଥିବା ସେନା ସ୍ପଷ୍ଟ କରିଛି ।
ଘଟଣାରେ, ରାଫା ନିକଟରେ ପାଲେଷ୍ଟାଇନୀ ରେଡ କ୍ରିସେଣ୍ଟ ସୋସାଇଟି (PRCS) ର ଏକ ଆମ୍ବୁଲାନ୍ସ, ଏକ ଜାତିସଂଘର କାର ଓ ଗାଜା ସିଭିଲ ଡିଫେନ୍ସର ଏକ ଦମକଳ ବାହିନୀ ଉପରେ ଗୁଳିଚାଳନା କରାଯାଇଥିଲା। ତଥାପି, ଇସ୍ରାଏଲ ପୂର୍ବରୁ କହିଥିଲା ଯେ ଅନ୍ଧାରରେ କନଭୟ ଯାଉଥିବା ଭାବି ଇସ୍ରାଏଲୀ ସୈନିକମାନେ ଫାୟାରିଂ କରିଥିଲେ । ଏହା ମଧ୍ୟ କୁହାଯାଇଥିଲା ଯେ ଏହି ଯାନଗୁଡ଼ିକର ଗତିବିଧି ପୂର୍ବରୁ ସେନାକୁ ସୂଚନା ଦିଆଯାଇନଥିଲା।
ପୂର୍ବରୁ, ମୃତ ପାରାମେଡିକଙ୍କ ମଧ୍ୟରୁ ଜଣଙ୍କ ଫୋନରେ ରେକର୍ଡ ହୋଇଥିବା ଭିଡିଓ ଫୁଟେଜରୁ ଜଣାପଡିଛି ଯେ ଆହତମାନଙ୍କୁ ସାହାଯ୍ୟ ପାଇଁ ଡାକୁଥିବା ସମୟରେ ଗାଡ଼ିଗୁଡ଼ିକର ଲାଇଟ୍ ଜଳୁଥିଲା । ତଥାପି, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) କହିଥିଲା ଯେ ମୃତ ଡାକ୍ତରଙ୍କ ମଧ୍ୟରୁ ଛଅ ଜଣ ହମାସ ସହିତ ଜଡିତ ଥିଲେ । କିନ୍ତୁ ସେ ଏପର୍ଯ୍ୟନ୍ତ ଏହି ଅଭିଯୋଗର ପ୍ରମାଣ ଦେଇନାହାଁନ୍ତି।
ତଥାପି, ଆଇଡିଏଫ୍ ସ୍ୱୀକାର କରିଛି ଯେ ସୈନିକମାନେ ଗୁଳି ଚଳାଇବା ସମୟରେ ମୃତାହତଙ୍କ ନିକଟରେ କୌଣସି ଅସ୍ତ୍ର ନଥିଲା । ଆପଣଙ୍କୁ କହି ରଖୁଛୁ ଆକ୍ରମଣ ସହ ଜଡିତ ଭିଡିଓଟି ପାଞ୍ଚ ମିନିଟରୁ ଅଧିକ ଲମ୍ବା । ତେବେ କୌଣସି କାରଣ ବଶତଃ ଆମେ ଆପଣଙ୍କୁ ଭିଡିଓକୁ ସାର୍ବଜନନୀନ କରିପାରିବୁନି । ତେବେ ଭିଡିଓରେ ରେଫାତ ରାଦୱାନ ନାମକ ଜଣେ ପାରାମେଡିକଙ୍କୁ ପ୍ରାର୍ଥନା କରୁଥିବାର ଶୁଣାଯାଉଛି । ଏହା ପରେ ଇସ୍ରାଏଲୀ ସୈନିକଙ୍କ ସ୍ୱର ଶୁଣାଯାଉଛି।
ଜଣେ IDF ଅଧିକାରୀ କହିଛନ୍ତି ଯେ ତାଙ୍କ ସୈନ୍ୟମାନେ ପ୍ରଥମେ ତିନି ଜଣ ହମାସ ଲୋକଙ୍କୁ ନେଇ ଯାଉଥିବା ଏକ କାର ଉପରେ ଗୁଳି ଚଳାଇଥିଲେ । ଏହା ପରେ, ଯେତେବେଳେ ଆମ୍ବୁଲାନ୍ସଟି ସେହି ଦିଗରେ ଗତି କଲା । ସୈନିକଙ୍କୁ ସୂଚନା ମିଳିଥିଲା ଯେ ଏକ କନଭୟ ସନ୍ଦେହଜନକ ଭାବରେ ଗତି କରୁଛି। ସେ କହିଛନ୍ତି ଯେ ଯେତେବେଳେ ଆମ୍ବୁଲାନ୍ସଟି ହମାସ କାର ପାଖରେ ଅଟକିଲା । ସୈନିକମାନେ ନିଜକୁ ବିପଦରେ ଥିବା ଅନୁଭବ କଲେ ଏବଂ ଆକ୍ରମଣ କଲେ।