ନୂଆଦିଲ୍ଲୀ, ୦୯/୦୮: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ ୩। ଚନ୍ଦ୍ରଯାନ-୩ର ଆଉ ଏକ କକ୍ଷପଥ ପରିବର୍ତ୍ତନ କରାଇଲା ଇସ୍ରୋ। ଏବେ ୧୭୪ କି.ମି ଓ ୧୪୩୭ କି.ମି ଅର୍ବିଟରେ ଚକର୍ କାଟିବ। ଆଉ ପୁଣି ଚନ୍ଦ୍ରମା ଆଡ଼କୁ ବଢ଼ିଚାଲିବ। ଏହାପରେ ପୁଣି ଅଗଷ୍ଟ ୧୪ରେ ବଦଳିବ କକ୍ଷ। ଏହି ପରି ଭାବରେ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ ।
ଏଭଳି ରହିଛି ଆଗାମୀ କକ୍ଷ ପଥ ପରିବର୍ତ୍ତନ:
ବୁଧବାର କକ୍ଷ ପରିବର୍ତ୍ତନ ପରେ ଆଗାମୀ କକ୍ଷ ପରିବର୍ତ୍ତନ ୧୪ ଅଗଷ୍ଟରେ ହେବ। ସେତବେଳେ ଚନ୍ଦ୍ରଯାନ-୩ ଏକ ହଜାର କିଲୋମିଟର ଅର୍ବିଟରେ ପ୍ରବେଶ କରିବ। ସେହିଭଳି ପଞ୍ଚମ ଥରରେ ଏହାକୁ ୧୦୦ କିଲୋମିଟର ଅର୍ବିଟ୍କୁ ଅଣାଯିବ । ଏହା ପରେ ୧୭ ଅଗଷ୍ଟରେ ଚନ୍ଦ୍ରଯାନର ପ୍ରୋପଲସନ୍ ମଡ୍ୟୁଲ୍ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବ । ୧୮ ରୁ ୨୦ ଅଗଷ୍ଟ ମଧ୍ୟରେ ଏହାର ଡି ଅର୍ବିଟିଂ କରାଯିବ । ୨୩ ଅଗଷ୍ଟ ସଂଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ଲକ୍ଷ୍ୟ ରଖାଯାଇଛି ।
ଆହୁରି ପଢ଼ନ୍ତୁ: କେମିତି ଦିଶୁଛି ଚନ୍ଦ୍ରମା ? ଚନ୍ଦ୍ରଯାନ-୩ ପଠାଇଥିବା ଭିିଡିଓ ଜାରି କଲା ଇସ୍ରୋ, ଆପଣ ବି ଦେଖନ୍ତୁ
ସୂଚନାଯୋଗ୍ୟ, ଚନ୍ଦ୍ରଯାନର ଲାଣ୍ଡର ଏବଂ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଏବଂ ୧୪ ଦିନ ପର୍ଯ୍ୟନ୍ତ ସେଠାରେ ପରୀକ୍ଷା ନିରୀକ୍ଷା କରିବ । ପ୍ରୋପଲ୍ସନ ମଡ୍ୟୁଲ ଚନ୍ଦ୍ର କକ୍ଷରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ । ରୋଭରରେ ଥିବା ଏଲ୍ଆଇବିଏସ୍ ବା ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରର ମାଟି ଓ ଚଟାଣର ସଂରଚନା ଉପରେ ଅଧ୍ୟୟନ କରିବ ।
ସେଥିରେ ଥିବା ଏପିଏକ୍ସଏସ୍ ବା ଆଲଫା ପାର୍ଟିକଲ ଏକ୍ସରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରରେ କେମିକାଲ ଓ ମିନେରାଲର ଅନୁସନ୍ଧାନ କରିବ । ସେହିଭଳି ଲ୍ୟାଣ୍ଡର ଚନ୍ଦ୍ରର ତାପମାତ୍ରା, ଭୂମିକମ୍ପ ଏବଂ ଚନ୍ଦ୍ରର ଉପର ଓ ଭିତର ଅଂଶ କିଭଳି ଗଠିତ ହୋଇଛି ତାର ଅଧ୍ୟୟନ କରିବ ।