ଚନ୍ଦ୍ରଯାନ-୩ର ସଫଳତା ପରେ, ସେପ୍ଟେମ୍ୱର ୨ରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ପଠାଇବ ଇସ୍ରୋ

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଇସ୍ରୋ ମହାକାଶ କ୍ଷେତ୍ରରେ ଆଉ ଏକ ପାଦ ବଢାଇବ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ଗୋଟିଏ ଦିନ ପରେ ଇସ୍ରୋ ନିଜର ପରବର୍ତ୍ତୀ ଅଭିଯାନ ନେଇ ଘୋଷଣା କରିଛି । ଆସନ୍ତା ସେପ୍ଟେମ୍ୱର ୨ରେ ଆଦିତ୍ୟ L-1 ମିଶନ ଲଞ୍ଚ୍ କରିବ । ଆଦିତ୍ୟ L-1 ମିଶନ ସୂର୍ଯ୍ୟ ଉପରେ ଗବେଷଣା କରିବ ।

ଅହମଦାବାଦ ସ୍ଥିତି ଇସ୍ରୋର ସ୍ପେସ୍ ଆପଲିକେସନ୍ ସେଣ୍ଟରର ନିର୍ଦ୍ଦେଶକ ନିଲେଶ ଏମ.ଦେସାଇ କହିଛନ୍ତି ଯେ, ଆଦିତ୍ୟ L-1 ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ଏବଂ ଏହା ଲଞ୍ଚିଂ ଅପେକ୍ଷାରେ ଅଛି । ଆସନ୍ତା ସେପ୍ଟେମ୍ୱର ୨ରେ ଶ୍ରୀହରିକୋଟା ସ୍ଥିତ ସତିସ୍ ଧାୱନ ସ୍ପେସ୍ ସେଣ୍ଟରରୁ ଇସ୍ରୋର PSLV ରକେଟରୁ ଉତକ୍ଷେପଣ କରାଯିବ ।

ପଢନ୍ତୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ, ବିଚରଣ କଲା ରୋଭର ପ୍ରଜ୍ଞାନ, ୧୪ଦିନ କରିବ ନିରୀକ୍ଷଣ

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ନିଲେଶ ଦେସାଇ ମିଶନ ଉପରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସ୍ପେସକ୍ରାପ୍ଟକୁ ୧୨୭ ଦିନର ସମୟ ଲାଗିବ । ଯାହା ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିବ ।

ଏହା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ମଧ୍ୟ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଥିବା କହିଥିଲେ । ସୂର୍ଯ୍ୟ ମିଶନ ଆଦିତ୍ୟ L-1 ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମିଶନରେ ସୂର୍ଯ୍ୟ ସମ୍ପର୍କରେ ଆହୁରି ଅଧିକ ଗବେଷଣା କରିବାକୁ ଲକ୍ଷ୍ୟ ରକ୍ଷା ରଖାଯାଇଛି । ସୂର୍ଯ୍ୟର ଆଲୋକ ପୃଥିବୀ ପୃଷ୍ଠରେ ପଡିବା ଲାଗି ୮ ମିନିଟ୍ ସମୟ ନିଏ । ତେବେ ଆଦିତ୍ୟ L-1କୁ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରଖାଯିବ ।

ଏହି ବିନ୍ଦୁକୁ L-1 କୁହାଯାଉଛି । ଏହା ଏମିତି ଏକ ସ୍ଥାନ ଯେଉଁଠାରେ ସୂର୍ଯ୍ୟପରାଗର ପ୍ରଭାବ ନାହିଁ । ଫଳରେ ଏଠାରୁ ସୂର୍ଯ୍ୟ ସବୁବେଳେ ଦେଖାଯିବ । ଏହା ପୃଥିବୀ ଚାରିପଟେ ଅଣ୍ଡାକାର ପଥରେ ଚକ୍କର କାଟିବା ପରେ ଆଗକୁ ବଢିବ । ଆଦିତ୍ୟ L-1 ଲଞ୍ଚ ଦେବାର ୪ମାସ ପରେ ଏହି ସାଟେଲାଇଟ୍ L-1 ପଏଣ୍ଟରେ ସାମ୍ନାରେ ଏକ ହଲୋ ଅର୍ବିଟ୍‌ରେ ଘୂରିବା ସହ ସୂର୍ଯ୍ୟର ଅନୁଧ୍ୟାନ କରିବ । ସୂର୍ଯ୍ୟରଶ୍ମି ଏବଂ ସୂର୍ଯ୍ୟର ପରୀକ୍ଷଣ ପାଇଁ ଆଦିତ୍ୟ L-1ରେ ୭ଟି ଯନ୍ତ୍ରାଂଶ ରହିବ ।

ଏଭିତରୁ ୪ଟି ଯନ୍ତ୍ରପାତି ସୂର୍ଯ୍ୟରୁ ପୃଥିବୀ ପର୍ଯ୍ୟନ୍ତ ଆସୁଥିବା ରଶ୍ମିକୁ ନେଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ କରିବ । ସୂର୍ଯ୍ୟରଶ୍ମିରେ ଥିବା କଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭିତରେ କେମିତି କଏଦ ହୋଇ ଯାଉଛି ଏବଂ ସୂର୍ଯ୍ୟର କରୋନା ମଣ୍ଡଳ ସମ୍ପର୍କରେ ଅନୁଧ୍ୟାନ କରିବ । ଏପର୍ଯ୍ୟନ୍ତ ଆମେରିକା, ଜର୍ମାନୀ ଏବଂ ୟୁରୋପିଆନ୍ ସ୍ପେସ ଏଜେନସି ମୋଟ ୨୨ଟି ସୂର୍ଯ୍ୟ ମିଶନ କରିଛନ୍ତି ।

Also Read: ସେପ୍ଟେମ୍ବରରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1, ସ୍ପଷ୍ଟ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.