ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶେଖର ଯାଦବଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଗତ ବର୍ଷ ମୁସଲମାନଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ମୁସ୍କିଲ୍ ବଢ଼ିଛି । ପୁଣି ଥରେ ସୁପ୍ରିମକୋର୍ଟର ୧୩ ବରିଷ୍ଠ ଆଇନଜୀବୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଗତ ଶୁକ୍ରବାର ଜଷ୍ଟିସ୍ ଶେଖର ଯାଦବଙ୍କ ବିରୋଧରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖିଛନ୍ତି । ଜଷ୍ଟିସ୍ ଯାଦବଙ୍କ ବିରୋଧ ସିବିଆଇ ଏଫଆଇଆର୍ ଲଜ୍ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।
ଡିସେମ୍ବର ୮ ତାରିଖରେ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନର ପୁସ୍ତକାଳୟରେ ବିଶ୍ବ ହିନ୍ଦୁ ପରିଷଦର ଲିଗାଲ୍ ସେଲ୍ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ ଶେଖର ଯାଦବ ମୁସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ଅରୁଣ ଭଂସାଳୀ ତାଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । ଏହାର ଜବାବରେ ଜଷ୍ଟିସ୍ ଶେଖର କହିଥିଲେ, ତାଙ୍କ ବୟାନ ନ୍ୟାୟ ବ୍ୟବସ୍ଥାର କୌଣସି ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରିନାହିଁ ଏବଂ ସେ ନିଜ ବୟାନରେ କାଏମ୍ ରହିଛନ୍ତି ।
ତେବେ ଏହି ଘଟଣାରେ ଜଷ୍ଟିସ୍ ଶେଖର ଯାଦବଙ୍କ ସ୍ପଷ୍ଟୀକରଣ ଏବେ ସାମ୍ନାକୁ ଆସିଛି । ଏହା ପରେ ଶୁକ୍ରବାର ସୁପ୍ରିମକୋର୍ଟରେ ୧୩ଜଣ ବରିଷ୍ଠ ଆଇନଜୀବୀ ତାଙ୍କ ବିରୋଧରେ ସିଜେଆଇଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣା ଉପରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି । ଜଷ୍ଟିସ୍ ଶେଖର ଯାଦବ ନିଜର ସମ୍ବୋଧନରେ ‘ଆମ ଗୀତା ଏବଂ ଆପଣଙ୍କ କୋରାନ’ ଶବ୍ଦ ବ୍ୟବହାର କରିଥିଲେ । ନିଜକୁ ସେ ଏକ ଧାର୍ମିକ ସମୁଦାୟ ସହିତ ଯୋଡ଼ିଥିଲେ ଏବଂ ବିପକ୍ଷଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ମୁସଲମାନଙ୍କୁ ନେଇ ସେ ‘କଠମୁଲ୍ଲା’ ଶବ୍ଦ ବ୍ୟବହାର କରିବାକୁ ମଧ୍ୟ ପଛେଇ ନଥିଲେ ବୋଲି ସିଜେଆଇଙ୍କୁ ଲେଖାଯାଇଥିଲା ଚିଠିରେ ଉଲ୍ଲେଖ ରହିଛି ।