#MahaKumbha Stampede: ବିଚାର ବିଭାଗୀୟ ଆୟୋଗ କ’ଣ? ଯିଏ କରିବେ କୁମ୍ଭ ଦଳାଚକଟାର ଯାଞ୍ଚ

Published By : Prameya-News7 Bureau | January 30, 2025 IST

ପ୍ରୟାଗରାଜ ୩୦।୧: ମହାକୁମ୍ଭରେ ବୁଧବାର ମୌନୀ ଅମାବାସ୍ୟା ଦିନ ବଡ଼ ଅଘଟଣ ଘଟିଯାଇଛି। ଅନିୟନ୍ତ୍ରିତ ଭିଡ଼ ବାରିକେଡ ଭାଙ୍ଗି ପଶିଯିବାରୁ ବଡ଼ଧରଣର ଦଳାଚକଟା ହୋଇଛି। ଫଳରେ ୩୦ ଜଣ ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ପୁରା ଘଟଣାକ୍ରମର ତଦନ୍ତ ଲାଗି ବିଚାରବିଭାଗୀୟ ଆୟୋଗ ଗଠନ କରାଯାଇଛି। ତେବେ ଆସନ୍ତୁ ଜାଣିବା ବିଚାରବିଭାଗୀୟ ଆୟୋଗ କ’ଣ ଓ କିପରି କାମ କରେ?

ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏବେ ଏହି ଦୁର୍ଘଟଣାର ତଦନ୍ତ ଉତ୍ତପ୍ରଦେଶ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ବିଚାର ବିଭାଗୀୟ ଆୟୋଗ କରିବେ। ବିଚାର ବିଭାଗୀୟ ଆୟୋଗ ସରକାରଙ୍କ ଦ୍ୱାରା ଗଠିତ ଏକ ସରକାରୀ ତଦନ୍ତ। କୌଣସି ଖାସ ପ୍ରକାରର ମାମଲାର ତଦନ୍ତ ନିମନ୍ତେ ବିଚାର ବିଭାଗୀୟ ଆୟୋଗର ଗଠନ କରାଯାଏ। ଯେବେ କୌଣସି ଘଟଣା ବା ଅଘଟଣର ସରକାର ନିରପେକ୍ଷ ତଦନ୍ତ କରାଇବାକୁ ଚାହାନ୍ତି ସେତେବେଳେ ବିଚାର ବିଭାଗୀୟ ଆୟୋଗ ଗଠନ କରନ୍ତି। 

ଏଥିରେ ଆଇନ ବିଷାରଦ ଓ ପ୍ରଶାସନିକ କ୍ଷେତ୍ରର ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଥାଏ। ଯେଉଁଥିରେ ଅବସରପ୍ରାପ୍ତ ବିଚାରପତି, ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ଓ ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ) ଆଦି ସାମିଲ ଥାନ୍ତି। ଏପରି ଦୁର୍ଘଟଣାରେ ଏହି ଆୟୋଗଦ୍ୱାରା ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥାଏ। ମହାକୁମ୍ଭ ଦୁର୍ଘଟଣାରେ ଗଠନ କରାଯାଇଥିବା ବିଚାର ବିଭାଗୀୟ ଯାଞ୍ଚ ପରେ ଆୟୋଗ ତାଙ୍କ ରିପୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରିବେ। 

ବିଚାର ବିଭାଗୀୟ ଆୟୋଗ କୌଣସି ଘଟଣାର ପ୍ରାରମ୍ଭରୁ ଯାଞ୍ଚ କରିଥାନ୍ତି ଓ ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା କରିଥାନ୍ତି। ଏଥିରେ ଯଦି ପ୍ରଶାସନ ପକ୍ଷରୁ ଅଥବା ଅଧିକାରୀଙ୍କ ପକ୍ଷରୁ କୌଣସିପ୍ରକାରର ତ୍ରୁଟି ରହିଯାଇଥାଏ ତଦନ୍ତ ଆୟୋଗ ଏ କଥାର ମଧ୍ୟ ସନ୍ଧାନ କରିଥାନ୍ତି। ଏଥିରେ ସାକ୍ଷୀମାନଙ୍କୁ ଡକାଇବା ଓ ଅନ୍ୟ ଯାହାବି ପ୍ରମାଣ ଥାଏ ସେସବୁର ମଧ୍ୟ ଆୟୋଗ ଯାଞ୍ଚ କରନ୍ତି। ତଦନ୍ତ ଶେଷ ହେବା ପରେ ଆୟୋଗ ତାଙ୍କ ରିପୋର୍ଟ ପ୍ରସ୍ତୁତ କରନ୍ତି , ଯେଉଁଥିରେ ସବୁ ପ୍ରକାରର ସୂଚନା ଥାଏ। ଯେପରିକି ଘଟଣା କେଉଁ କାରଣରୁ ଘଟିଲା, ଘଟଣା ପାଇଁ କିଏ ଦାୟୀ ଓ ଭବିଷ୍ୟତରେ ଏପରି ଘଟଣାରୁ କିପରି ସୁରକ୍ଷା ମିଳିପାରିବ। ରିପୋର୍ଟରେ ଏହି ସବୁ କଥାର ଉଲ୍ଲେଖ ଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.