ନୂଆଦିଲ୍ଲୀ, ୨୯/୪: ରାଜନୈତିକ ଦଳ ମାନଙ୍କର ମହିଳା ସଶକ୍ତିକରଣ ସ୍ଲୋଗାନ୍ ନାଁକୁ ମାତ୍ର । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବି ମିଳିଲାନି । ଚଳିତ ଲୋକସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଆଖିଦୃଶିଆ ନାହିଁ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବାବେଳେ ଏଥିରେ ମାତ୍ର ୮% ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି । ତେଣୁ ମହିଳା ସଶକ୍ତୀକରଣକୁ ନେଇ ରାଜନୈତିକ ବୟାନବାଜିର ବାସ୍ତବତା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିବାବେଳେ ଏଥିରେ ମୋଟ ୨,୮୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୩୫ଜଣ ହେଉଛନ୍ତି ମହିଳା ।
ରାଜନୈତିକ ଦଳଗୁଡ଼ିକ ନିଜ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଲିଙ୍ଗଗତ ଅସମାନତାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଥିବା ମତ ପ୍ରକାଶ ପାଉଛି । ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁରେ ସର୍ବାଧିକ ୭୬ ମହିଳା ପ୍ରାର୍ଥୀ ରହିଛନ୍ତି, ଯାହା ରାଜ୍ୟର ମୋଟ୍ ପ୍ରାର୍ଥୀଙ୍କ ମାତ୍ର ୮% । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କେରଳରେ ସର୍ବାଧିକ ୨୪ଜଣ ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ କଂଗ୍ରେସ ୪୪ ମହିଳା ଏବଂ ବିଜେପି ୬୯ ମହିଳାଙ୍କୁ ଟିକଟ ଦେଇଥିଲେ ହେଁ ଏଥିରେ ଲିଙ୍ଗଗତ ଅସମାନତା ଦେଖିବାକୁ ମିଳିଛି । ଓଡ଼ିଶାର ବିଜୁ ଜନତା ଦଳ ଏକମାତ୍ର ଦଳ ଯିଏ କି ୩୩ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେଇଛି ।
ଦିଲ୍ଲୀ ୟୁନିଭର୍ସିଟିର ଡ. ସୁଶୀଳା ରାମାସ୍ୱାମୀ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ରାଜନୀତିରେ ପ୍ରୋତ୍ସାହନ ଦେବା ଲାଗି ପଦକ୍ଷେପ ନେବା ଉଚିତ୍ । ଦଳଗୁଡ଼ିକୁ ଅଧିକ ସକ୍ରିୟ ହୋଇ ଅଧିକ ସଂଖ୍ୟାରେ ମହିଳାଙ୍କୁ ମଇଦାନକୁ ପଠାଇବା ଆବଶ୍ୟକ ଥିଲା । ବ୍ରିଟେନର ଲେବର ପାର୍ଟି ଭଳି ଦଳରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ଢାଞ୍ଚା ରହିବା ଉଚିତ୍ ବୋଲି ସେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଆଲିଗଡ଼ ମୁସ୍ଲିମ ୟୁନଭର୍ସିଟିର ଡ. ଇଫତିଖାର ଅହମଦ ଅନ୍ସାରୀ କହିଛନ୍ତି, ରାଜନୀତିରେ ମହିଳାଙ୍କ ପାଇଁ ସମାନ ଅବସର ସୃଷ୍ଟି ନିମନ୍ତେ ରାଜନୈତିକ ଦଳଗୁଡ଼ିକରେ ଢାଞ୍ଚାଗତ ସଂସ୍କାର ହେବା ଆବଶ୍ୟକ ।