ବେଙ୍ଗାଲୁରୁ ୧୧।୧୦: କର୍ଣ୍ଣାଟକର କଂଗ୍ରେସ ସରକାର ହୁବଲୀରେ ୧୬ ଅକ୍ଟୋବର ୨୦୨୨ରେ ହୋଇଥିବା ଦଙ୍ଗା ମାମଲାରୁ ଗୋଟିଏକୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂତ୍ର ଅନୁସାରେ ଏହା ସେହି ୪୩ ମାମଲାରୁ ଗୋଟିଏ ଯାହାକୁ ରାଜ୍ୟ କ୍ୟାବିନେଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଅଞ୍ଜୁମନ-ଏ-ଇସ୍ଲାମ ଗୃହମନ୍ତ୍ରୀ ଜି.ପରମେଶ୍ୱରଙ୍କୁ ଏ ନେଇ ଏକ ଆବେଦନ କରିଥିଲା। ଯାହା ପରେ ସରକାର ମାମଲା ପ୍ରତ୍ୟାର ନିମନ୍ତ୍ରେ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟ ବିଜେପି ଏହାକୁ ବିରୋଧ କରିଥିବା ବେଳେ ମୁସଲମାନ ତୁଷ୍ଟିକରଣ ବୋଲି କହିଛି।
ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ସୋସିଆଲ ମିଡିଆରେ କଥିତ ରୂପେ ଏକ ଅପମାନଜନକ ପୋଷ୍ଟ କରିଥିଲା। ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏହି ପୋଷ୍ଟକୁ ନେଇ ଅସନ୍ତୁଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପୋଲିସ ହାତରୁ ଅଭିଯୁକ୍ତକୁ ଛଡେଇ ନେବା ପାଇଁ ଓଲ୍ଡ ହୁବଲୀ ଟାଉନ ଥାନାକୁ ଘେରାଉ କରିଥିଲେ। ଉତ୍ତେଜିତ ଲୋକେ ଯିଏ ବି ଅଭିଯୁକ୍ତକୁ ସୁରକ୍ଷା ଦେବ ତାକୁ ଛଡା ଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ।
ତେବେ ପୋଲିସ ଇନିସପେକ୍ଟର ଭିଡକୁ ବୁଝାସୁଝା କରି ହଟେଇ ଦେବାକୁ ଉଦ୍ୟମ କରିବା ବେଳେ ଉତ୍ତେଜିତ ଲୋକେ ଠେଙ୍ଗାବାଡି ଓ ଟେକା ପଥରରେ ପୋଲିସକୁ ଆକ୍ରମଣ କରିଥିଲେ। ଫଳରେ ଡ୍ୟୁଟିରେ ଥିବା ୪ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଉତ୍ତେଜିତ ଲୋକେ ରାସ୍ତାରେ ସରକାରୀ ଓ ବେସରକାରୀ ବାହାନ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଓଲ୍ଡ ହୁବଲୀ ପୋଲିସ ଲୋକଙ୍କ ବିରୋଧରେ ଦଙ୍ଗା, ହତ୍ୟା ଉଦ୍ୟମ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ, ସାର୍ବଜନିକ ସମ୍ପତ୍ତି ନଷ୍ଟ ଆଦି ଧାରାରେ ୧୨ଟି ଏତଲା ରୁଜୁ କରିଥିବା ବେଳେ ୧୫୮ ଜଣଙ୍କୁ ଗିରଫ କରିଥିଲା।
ଏହି ଘଟଣାରେ ଏବେ ରାଜ୍ୟ ସରକାର ମୋକଦ୍ଦମା ହଟାଇ ଦେବାକୁ ନେଇ ଥିବା ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତୁଷ୍ଟିକରଣ ରାଜନୀତି ବୋଲି କହିଛନ୍ତି। ଏହା ଏକ ୟୁଏପିଏ ମାମଲା ହୋଇଥିବା ବେଳେ ଏବେ ଏନଆଇଏ କୋର୍ଟରେ ବିଚାରାଧୀନ ରହିଛି। ଏଥିରେ ରାଜ୍ୟ ସରକାର ଏବେ ଏହି ମାମଲାକୁ ପ୍ରତ୍ୟାହାର କରିପାରିବେନି, ଏହା ସତ୍ତ୍ୱେ ମାମଲା ହଟାଇବାକୁ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ପୂର୍ଣ୍ଣ ବୋଲି ଯୋଶୀ କହିଛନ୍ତି।