ଋଷିଆ ପହଞ୍ଚିବା ପରେ ପଛଘୁଞ୍ଚା ଦେଉଛନ୍ତି କିମ୍ ଜୋଙ୍ଗ ଊନଙ୍କ ଏଲିଟ୍ ଫୋର୍ସ, ୟୁକ୍ରେନ ଆକ୍ରମଣରେ ୪୦ ନିହତ

Published By : Prameya-News7 Bureau | November 02, 2024 IST

କୁରସ୍କ ୨।୧୧: ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସୁଛି। ଦି ସନ ଟିଭି ରିପୋର୍ଟ ଅନୁସାରେ ଋଷିଆରେ ମୁତୟନ ୪୦ ଉତ୍ତର କୋରିଆ ସୈନିକ ୟୁକ୍ରେନ ସେନା ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ସୈନିକମାନଙ୍କୁ କୁରସ୍କ କ୍ଷେତ୍ରରେ ଋଷିଆ ସୈନିକଙ୍କ ସହ ମୁତୟନ କରାଯାଇଥିଲା। ତେବେ ସେମାନେ ୟୁକ୍ରେନ ସେନାଙ୍କ ମୁକାବିଲା କରିବାରେ ବିଫଳ ହେଉଛନ୍ତି। 

ଜଣେ ଆହତ ଉତ୍ତରକୋରିଆ ସୈନିକଙ୍କ ଅନୁସାରେ ବିନା କୌଣସି ସଠିକ ସୂଚନା ଓ ଅସ୍ତ୍ରଶସ୍ତ୍ରରେ ସେମାନଙ୍କୁ ୟୁକ୍ରେନୀୟ ସେନାଙ୍କ  ମୁକାବିଲା କରିବାକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଦିଆଯାଇଥିଲା। ଏଣୁ ବିନା ଅସ୍ତ୍ରଶସ୍ତ୍ରରେ ସେମାନେ ୟୁକ୍ରେନୀୟ ସେନାଙ୍କ ମୁକାବିଲାରେ ବିଫଳ ହେଉଛନ୍ତି। ଯେବେଠାରୁ ଉତ୍ତରକୋରିଆ ସୈନିକ ଋଷିଆରେ ମୁତୟନ ହେବା କନଫର୍ମ ହେଲାଣି ୟୁକ୍ରେନୀୟ ସେନା ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି ଓ ଏହି ସୈନିକଙ୍କୁ ନେଇ ବିଶେଷ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ୟୁକ୍ରେନୀୟ ଅଧିକାରୀ କହୁଛନ୍ତି। 

ଦି ସନ ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ୧୮ ଉତ୍ତର କୋରିଆ ସୈନିକ ସେମାନଙ୍କୁ ମୁତୟନ କରାଯାଇଥିବା ସ୍ଥାନକୁ ପହଞ୍ଚିବା ପୂର୍ବରୁ ପଳାୟନ କରିଥିଲେ। ଏହା ପରେ ଋଷିୟ ସୈନିକ ସେମାନଙ୍କ ସନ୍ଧାନ କରି ଧରିବା ସହିତ ଖାଇବା ପିଇବା ଓ ଅତ୍ୟାବଶ୍ୟକ ସାମଗ୍ରୀ ବିନା କୁରସ୍କ ଜଙ୍ଗଲରେ ଛାଡି ଦେଇଥିଲେ। ସେପଟେ ୟୁକ୍ରେନିୟ ସେନା ଯୁଦ୍ଧରେ ପ୍ରାଣ ହରାଇବା ଅପେକ୍ଷା ଆତ୍ମସମର୍ପଣ କରିବାକୁ ଉତ୍ତର କୋରିଆ ସୈନିକଙ୍କୁ ସୁଯୋଗ ଦେଉଛନ୍ତି। 

ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ବିଦେଶମନ୍ତ୍ରୀ କହିଛନ୍ତି ଯେ ଆକଳନ ଅନୁସାରେ ଋଷିଆରେ ଏବେ ପାଖାପାଖି ୧୦ ହଜାର ଉତ୍ତର କୋରିଆ ସୈନିକ ମହଜୁଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ୮ ହଜାର ସୈନିକଙ୍କୁ କେବଳ କୁରସ୍କ କ୍ଷେତ୍ରରେ ମୁତୟନ କରାଯାଇଛି। ତେବେ ଉତ୍ତରକୋରିଆ ସୈନିକଙ୍କୁ ଏପର୍ଯ୍ୟନ୍ତ ଲଢିବାର ଦେଖାଯାଇ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.