ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ସୁପର-୪ ମୁକାବିଲାର ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ତେବେ ମ୍ୟାଚ୍ରେ ଭାରତ ପାଇଁ ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛି, ଦଳ ପ୍ରବନ୍ଧକ ଇଶାନ କିଷନ ଓ କେଏଲ ରାହୁଲଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବ। ଏହି ସମସ୍ୟାକୁ ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ସମାଧାନ କରିବାକୁ ପଡ଼ିବ।
ସଂପୂର୍ଣ୍ଣ ଫିଟ୍ ହେବା ପରେ ରାହୁଲଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏହା ଭାରତ ପାଇଁ ସୁଖଭରା ଯନ୍ତ୍ରଣା ବି ପାଲଟିଛି। ଏହାର କାରଣ ଇଶାନ କିଷନ ଗତ କିଛି ମାସ ହେବ ଚମତ୍କାର ଫର୍ମରେ ଅଛନ୍ତି। ସେ ନିଜର ପ୍ରଦର୍ଶନ ଦମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଗତ ଚାରୋଟି ମ୍ୟାଚ୍ରେ ସେ ଲଗାତାର ଅର୍ଦ୍ଧଶତକ ହାସଲ କରିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଏବଂ ଗତ ସପ୍ତାହରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ୍ ଚଳାଇଛି।
ଏହି ସମୟରେ ଇଶାନ ଓପନିଂଠୁ ନେଇ ନମ୍ବର ୫ ପର୍ଯ୍ୟନ୍ତ ବ୍ୟାଟିଂରେ ସହଜତା ଦେଖାଇବା ସହ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଝାଡ଼ଖଣ୍ଡର ଏହି ୨୫ ବର୍ଷୀୟ କ୍ରିକେଟ୍ର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଓପନିଂ କରିଥିବା ବେଳେ ପାକିସ୍ତାନ ବିପକ୍ଷରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। କିଷନ ବାମହାତୀ ବ୍ୟାଟର ହୋଇଥିବାରୁ ଭାରତୀୟ ବ୍ୟାଟିଂ କ୍ରମରେ ବିବିଧତା ଦେଖିବାକୁ ମିଳିଛି, ଯାହା ଦଳ ପାଇଁ ଲାଭଦାୟୀ।
wp:heading {"level":4}Also read- ଶାର୍ଦ୍ଦୁଲଙ୍କ ସ୍ଥାନରେ ଖେଳନ୍ତୁ ଶାମି: ଷ୍ଟ୍ରାଟେଜି ବଦଳାଇବାକୁ ପରାମର୍ଶ ଦେଲେ ହରଭଜନ
/wp:headingକିନ୍ତୁ କେଏଲ ରାହୁଲଙ୍କୁ ନମ୍ବର ୫ ବ୍ୟାଟିଂରେ ଅଣଦେଖା କରିବା ମୁସ୍କିଲ। ଜଙ୍ଘରେ ସର୍ଜରୀ ପରେ ସେ ପୁନଃଥଇଥାନ ପ୍ରକ୍ରିୟା ଦେଇ ଦଳକୁ ଫେରିଛନ୍ତି। ମାର୍ଚ୍ଚ ମାସଠୁ ସେ କୌଣସି ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ତଥାପି ତାଙ୍କର ପ୍ରଦର୍ଶନକୁ ଅଣଦେଖା କରାଯାଇ ପାରିବ ନାହିଁ।
ରାହୁଲ ୨୦୧୯ ପରଠୁ ଭାରତୀୟ ଦିନିକିଆ ଦଳର ଜଣେ ପ୍ରମୁଖ ବ୍ୟାଟର ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ସେ ୨୦୧୯ରେ ୧୩ଟି ଦିନିକିଆରେ ୪୭.୬୭ ହାରରେ ୫୭୨ ରନ କରିଛନ୍ତି। ଏହା ପରଠୁ ସେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ୨୦୨୦ରେ ସେ ୯ଟି ମ୍ୟାଚ୍ରେ ୫୫.୩୮ ହାରରେ ୪୪୩ ରନ, ୨୦୨୧ରେ ୩ଟି ମ୍ୟାଚ୍ରେ ୮୮.୫୦ ହାରରେ ୧୦୮ ରନ, ୨୦୨୨ରେ ୧୦ଟି ମ୍ୟାଚ୍ରେ ୨୮.୮୯ ହାରରେ ୨୫୧ ରନ ଓ ୨୦୨୩ରେ ୬ଟି ମ୍ୟାଚ୍ରେ ୫୬.୬୦ ହାରରେ ୨୨୬ ରନ କରିଛନ୍ତି।
ଏହିପରି ମୋଟାମୋଟି ଭାବେ ଦେଖିଲେ ନମ୍ବର ୫ରେ ରାହୁଲ ବ୍ୟାଟିଂ କରି ୧୮ଟି ମ୍ୟାଚ୍ରେ ୫୩ ହାରରେ ୭୪୨ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ସାମିଲ୍। ଏଥିସହିତ ତାଙ୍କର ଓ୍ଵିକେଟ୍ କିପିଂ ତାଙ୍କୁ ଆହୁରି ବଳିଷ୍ଠ କରିଛି। ଶୁକ୍ରବାର ଓ୍ଵିକେଟ୍ କିପିଂ ପାଇଁ କଡ଼ା ଅଭ୍ୟାସ୍ କରିବା ଚୂଡ଼ାନ୍ତ ଏକାଦଶରେ ତାଙ୍କ ପ୍ରତ୍ୟାବର୍ତ୍ତନର ସଙ୍କେତ ମିଳିଛି। ଦଳ ପ୍ରବନ୍ଧକକୁ ମ୍ୟାଚ୍ ଦିନ ରାହୁଲ ନା ଇଶାନ ମୁସ୍କିଲ ନିଷ୍ପତ୍ତି ନେବାକୁ ପଡ଼ିବ।