ନୂଆଦିଲ୍ଲୀ ୧୦।୧୧: ଭାରତ ଏବଂ ଆମେରିକା । ଗୋଟିଏ ଦେଶ, ବିଶ୍ବର ବୃହତମ ଗଣତାନ୍ତ୍ରିକ ଦେଶ । ଅନ୍ୟଟି ସବୁଠୁ ପୁରାତନ ଗଣତନ୍ତ୍ର । ଭାରତ ଓ ଆମେରିକାରେ ଗଣତାନ୍ତ୍ରିକ ଶାସନ । କିନ୍ତୁ ସମ୍ବିଧାନ ଓ ଶାସନ ବ୍ୟବସ୍ଥାରେ ଅନେକ ପାର୍ଥକ୍ୟ ? ପାର୍ଲାମେଣ୍ଟ ଏବଂ କଂଗ୍ରେସ । ଗୋଟିଏ ଦେଶରେ ବହୁମତରେ ନିର୍ବାଚିତ ରାଜନୈତିକ ଦଳ ଗଢନ୍ତି ସରକାର । ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବା ବେଳେ, ରାଷ୍ଟ୍ରପତି ଶାସନ ମୁଖ୍ୟ ଭାବେ କିଛି ନିଦ୍ଧିଷ୍ଟ କ୍ଷମତାର ଦାୟିତ୍ବ ତୁଲାନ୍ତି। ପୁରାତନ ଗଣତନ୍ତ୍ରରେ କିନ୍ତୁ ରାଷ୍ଟପତି ସରକାର ଏବଂ ଶାସନର ମୁଖ୍ୟ । କ୍ଷମତାସୀନ ଅବଧି ମଧ୍ୟ ଅଲଗା ଅଲଗା । ହେଲେ କେମିତି ?
ଭାରତ ଓ ଆମେରିକା ରାଷ୍ଟ୍ରପତିଙ୍କ କ୍ଷମତା ଏବଂ ଦାୟିତ୍ବରେ କଣ କଣ ପାର୍ଥକ୍ୟ ? ଭାରତ ଓ ଆମେରିକା ଗଣତାନ୍ତ୍ରିକ ଶାସନ । ଶାସନମୁଖ୍ୟ ଏବଂ ଶାସକଙ୍କ କ୍ଷମତାରେ ରହିଛି ଅନେକ ଭିନ୍ନତା ? ଭାରତ-ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ ଭିନ୍ନତା କେତେ ? କାହା ପାଖରେ ଅଧିକ କ୍ଷମତା ? କିଏ ପାଇଥାନ୍ତି ଅଧିକ ଦରମା ? ଭାରତ ତୁଳନାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ କିନ୍ତୁ ଆକର୍ଷଣୀୟ । ଆମେରିକାରେ ରାଷ୍ଟ୍ରପତିଙ୍କୁ ସିଧାସଳଖ ଭୋଟ ଦିଅନ୍ତିନି ଲୋକେ । ଲୋକମାନେ ଇଲେକ୍ଟର୍ସ ଚୟନ କରିଥାନ୍ତି ।
ଏହାପରେ ଇଲେକ୍ଟର୍ସ ଚୟନ କରିଥାନ୍ତି ରାଷ୍ଟ୍ରପତିଙ୍କୁ । ପ୍ରତି ରାଜ୍ୟରେ ଇଲେକ୍ଟ୍ରୋରାଲ୍ କଲେଜର ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ଆମେରିକାରେ ପ୍ରାୟ ୫୦ଟି ରାଜ୍ୟ ରହିଛି । ଏଥିରୁ ୫୩୮ ଇଲେକ୍ଟର୍ସ ଚୟନ ହୋଇଥାନ୍ତି । ଏଥିରୁ ଇଲେକ୍ଟ୍ରୋରାଲ୍ କଲେଜ ଗଠନ ହୋଇଥାଏ । ଯେଉଁ ପ୍ରାର୍ଥୀଙ୍କୁ ୨୭୦ କିମ୍ବା ତା ଠାରୁ ଅଧିକ ଇଲେକ୍ଟ୍ରୋରାଲ୍ କଲେଜ ମିଳିଥାଏ ସେ ହୁଅନ୍ତି ରାଷ୍ଟ୍ରପତି । ଅନ୍ୟପଟେ ଭାରତରେ ରାଷ୍ଟ୍ରପତି ରାଜ୍ୟସଭା, ଲୋକସଭା ଏବଂ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି ।
ଭାରତ ଏବଂ ଆମେରିକାରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ ଭିନ୍ନତା ରହିଛି । ଭାରତରେ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହୁଏ, ସେତେବେଳେ ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀ ଘୋଷଣା କରନ୍ତି । ଏଥିପାଇଁ ଦଳ କିମ୍ବା ମିଳିତ ମଞ୍ଚରେ କୌଣସି ନିର୍ବାଚନ ହୋଇନଥାଏ । କିନ୍ତୁ ଆମେରିକାରେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମଧ୍ୟ ଦଳ ମଧ୍ୟରେ ହୋଇଥାଏ ଭୋଟ । ଏହାପରେ ହୁଏ ପ୍ରାର୍ଥୀ ଚୟନ । ଭାରତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ । କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷ ।
ଭାରତରେ କୌଣସି ବି ବ୍ୟକ୍ତି ଅନେକ ଥର ନିର୍ବାଚନ ଲଢି ପାରିବେ । କିନ୍ତୁ ଆମେରିକାରେ କୌଣସି ବ୍ୟକ୍ତି ୨ରୁ ଅଧିକଥର ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେନାହିଁ । ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ଏବଂ ଶପଥ ଗ୍ରହଣ ହୁଏ ୨୦ ଜାନୁୟାରୀରେ । କିନ୍ତୁ ଭାରତରେ ଶପଥ ଗ୍ରହଣର କୌଣସି ତାରିଖ ଧାର୍ଯ୍ୟ ନଥାଏ । ଭାରତରେ ନୂଆ ରାଷ୍ଟ୍ରପତି ସେତେବେଳେ ଶପଥ ନେଇଥାନ୍ତି ଯେତେବେଳେ ପୁରୁଣା ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ଶେଷ ହୋଇଥାଏ ।
ଭାରତୀୟ ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରପତି ଯେତେ ଦିନ ପର୍ଯ୍ୟନ୍ତ ପଦରେ ରହିବେ, ସେତେ ଦିନ ପର୍ଯ୍ୟନ୍ତ ସେ କୌଣସି କୋର୍ଟର ଉତ୍ତରଦାୟୀ ନୁହଁନ୍ତି । ଜଣେ ରାଷ୍ଟ୍ରପତିଙ୍କୁ ଗିରଫ କରାଯାଇପାରିବ ନାହିଁ କିମ୍ବା କୌଣସି କୋର୍ଟ ତାଙ୍କୁ ଆଦେଶ ଦେଇପାରିବେନି । ରାଷ୍ଟ୍ରପତିଙ୍କୁ ଉଭୟ ସିଭିଲ୍ ଏବଂ କ୍ରିମିନାଲ୍ ମାମଲାରେ ଛାଡ ମିଳିଥାଏ । ପଦ ଛାଡିବା ପରେ କିନ୍ତୁ ତାଙ୍କୁ ଗିରଫ କିମ୍ବା ଅଟକ ରଖା ଯାଇପାରିବ । ଅଥଚ ଆମେରିକାରେ ଏପରି ହୋଇନଥାଏ । ଆମେରିକା ସମ୍ବିଧାନ ରାଷ୍ଟ୍ରପତିଙ୍କୁ ସିଭିଲ୍ ମାମଲାରେ ଛାଡ ଦେଇଥାଏ । କିନ୍ତୁ ଅବୈଧ କିମ୍ଭା ଅପରାଧିକ ଗତିବିଧିରେ ଦୋଷୀ ବିବେଚନା କରିଥାଏ । କେବଳ ଏତିକି ନୁହେଁ ରାଷ୍ଟ୍ରପତିଙ୍କ ବିରୋଧରେ ଯାଞ୍ଚ ମଧ୍ୟ କରାଯାଇପାରେ ।
ଭାରତର ରାଷ୍ଟ୍ରପତିଙ୍କୁ ମହାଭିଯୋଗ ପ୍ରସ୍ତାବରେ ହଟାଯାଇପାରେ । ଏଥିପାଇଁ ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ ହୋଇଥାଏ । ଯେତେବେଳେ ଦେଶଦ୍ରୋହ, ଦୁର୍ନୀତି କିମ୍ବା ଗୁରୁତର ଅପରାଧର ଅଭିଯୋଗ ଥାଏ, ସେତେବେଳେ ଆମେରିକାର ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥାଏ । ଭାରତର ରାଷ୍ଟ୍ରପତିଙ୍କୁ ମହାଭିଯୋଗ ପ୍ରସ୍ତାବରେ ହଟାଯାଇପାରେ । ଏଥିପାଇଁ ଉଭୟ ଗୃହ, ରାଜ୍ୟସଭା ଏବଂ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ନେଇ ମହାଭିଯୋଗ ପ୍ରସ୍ତାବ ଗୃହୀତ କରାଯିବା ଆବଶ୍ୟକ ।
ଭାରତର ରାଷ୍ଟ୍ରପତିଙ୍କ ପାଖରେ ସୀମିତ କ୍ଷମତା ରହିଥାଏ । ଭାରତରେ ପ୍ରକୃତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଥାଏ । ଭାରତର ରାଷ୍ଟ୍ରପତି କେବଳ କେନ୍ଦ୍ର କ୍ୟାବିନେଟର ପରାମର୍ଶରେ କାମ କରନ୍ତି । କିନ୍ତୁ ସେ ୩ ସୈନ୍ୟବାହିନୀର ସର୍ବୋଚ୍ଚ କମାଣ୍ଡର ।
ରାଷ୍ଟ୍ରପତି ଦସ୍ତଖତ କରିବା ପରେ ହିଁ ଭାରତରେ କୌଣସି ବିଲ୍ ଆଇନରେ ପରିଣତ ହୁଏ । କିନ୍ତୁ ଆମେରିକାରେ ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ଶକ୍ତି । ବିନା ପରାମର୍ଶରେ ସେ କୌଣସି ନିୟମ କିମ୍ବା ଆଦେଶକୁ ପାସ କରିପାରିବେ । ଆମେରିକାର ରାଷ୍ଟ୍ରପତି କେବଳ ସରକାରଙ୍କ ମୁଖ୍ୟ ନୁହଁନ୍ତି ଦେଶର ମୁଖ୍ୟ ମଧ୍ୟ । କେବଳ ଏତିକି ନୁହେଁ କୌଣସି ଦେଶ ଉପରେ ପରମାଣୁ ଆକ୍ରମଣ କରିବାର ଆଦେଶ ଭାରତରେ କେବଳ ପ୍ରଧାନମନ୍ତ୍ରୀ ଦେଇପାରିବେ । କିନ୍ତୁ ଆମେରିକାରେ ପରମାଣୁ ଆକ୍ରମଣର ଆଦେଶ ଦେବାର ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ରହିଥାଏ ।
ଆମେରିକାର ରାଷ୍ଟ୍ରପତି ଏବଂ ଭାରତୀୟ ରାଷ୍ଟ୍ରପତିଙ୍କ ଦରମା ମଧ୍ୟରେ ମଧ୍ୟ ରହିଛି ବହୁତ ପାର୍ଥକ୍ୟ । କେତେ ଓ କିପରି ? ଭାରତର ରାଷ୍ଟ୍ରପତିଙ୍କ ବାର୍ଷିକ ଦରମା ୬୦ ଲକ୍ଷ । ଏହାବ୍ୟତୀତ ମାଗଣା ଚିକିତ୍ସା, ଟେଲିଫୋନ୍ ବିଲ୍, ଗୃହ, ବିଦ୍ୟୁତ୍ ସହିତ ଅନେକ ଭତ୍ତା ମଧ୍ୟ ପାଆନ୍ତି । ରାଷ୍ଟ୍ରପତି ଯାତାୟାତ ପାଇଁ ମର୍ସିଡିଜ୍-ବେଞ୍ଜ୍ S 600 ପୁଲମାନ ଗାର୍ଡ କାର ମିଳିଥାଏ । ରାଷ୍ଟ୍ରପତିଙ୍କର ସ୍ୱତନ୍ତ୍ର ଗାର୍ଡ ରହିଛନ୍ତି । ଯାହାକୁ ପ୍ରେସିଡେଣ୍ଟାଲ୍ ବଡିଗାର୍ଡ କୁହାଯାଏ । ସେମାନଙ୍କର ସଂଖ୍ୟା ହେଉଛି ୮୬ ।
ଅନ୍ୟପଟେ ଆମେରିକାର ରାଷ୍ଟ୍ରପତିଙ୍କ ବାର୍ଷିକ ଦରମା ୪ ଲକ୍ଷ ଡଲାର ଅର୍ଥାତ୍ ୩.୩୬ କୋଟି ଟଙ୍କା । ତାଙ୍କୁ ଖର୍ଚ୍ଚ ପାଇଁ ବାର୍ଷିକ ଅଲଗା ୫୦ ହଜାର ଡଲାର ଅର୍ଥାତ୍ ୪୨ ଲକ୍ଷ ମିଳିଥାଏ। ଯେତେବେଳେ ରାଷ୍ଟ୍ରପତି ପ୍ରଥମ ଥର ହ୍ବାଇଟ ହାଉସରେ ଏଣ୍ଟ୍ରି କରନ୍ତି, ସେତେବେଳେ ତାଙ୍କୁ ୧ ଲକ୍ଷ ଡଲାର ବା ପ୍ରାୟ ୮୪ ଲକ୍ଷ ଟଙ୍କା ମିଳିଥାଏ । ଯେଉଁଥିରେ ସେ ନିଜ ଇଚ୍ଛା ଅନୁଯାୟୀ ହ୍ବାଇଟ ହାଉସ୍କୁ ସଜାଇ ପାରିବେ ।
ଏହାବ୍ୟତୀତ ଆମେରିକାର ରାଷ୍ଟ୍ରପତି ମନୋରଞ୍ଜନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୯ ହଜାର ଡଲାର ଅର୍ଥାତ୍ ୧୬ ଲକ୍ଷ ଟଙ୍କା ପାଇଥାନ୍ତି । ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ସମ୍ଭାଳିଥାନ୍ତି ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ । ସେ ଏୟାରଫୋର୍ସ ଓ୍ବାନ୍ ବିମାନରେ ଯାତ୍ରା କରନ୍ତି । ଆମେରିକାର ରାଷ୍ଟ୍ରପତି କେବଳ ତାଙ୍କ ଲିମୋଜିନ କାରରେ ଯାତ୍ରା କରନ୍ତି । ଏହାର ନାଁ 'ଦ ବିଷ୍ଟ' । ଏହା ଦୁନିଆର ସବୁଠାରୁ ସୁରକ୍ଷିତ କାର ଭାବରେ ପରିଚିତ ।
ଭାରତ-ଆମେରିକା, କଂଗ୍ରେସ-ପାର୍ଲାମେଣ୍ଟ, କ୍ଷମତା,ଦରମା, ଜୀବନଶୈଳୀ କାହାର କେତେ, ତମାମ ତଥ୍ୟ ଏହି ରିପୋର୍ଟରେ ଆପଣ ପାଇଲେ, ଠିକ୍ ସେମିତି ଅନେକ ଦେଶ-ବିଦେଶର କଥା, ଶିକ୍ଷା, ସ୍ବାସ୍ଥ୍ୟା, ମନୋରଞ୍ଜନର କଥା ଆଉ କ୍ରିଡା ଓ ଅପରାଧ, ଶେଷରେ ଜୀବନଶୈଳୀ କେବଳ ପ୍ରମେୟ ନ୍ୟୁଜ୍ ସେଭେନ୍ ଡିଜିଟାଲ୍ରେ, ଦେଖାହେବ ଆଉ ଏକ ଅଧ୍ୟାୟରେ ? ବିଦାୟ ଦିଅନ୍ତୁ ନମସ୍କାର…