କଟକ: ଟାଙ୍ଗି ଓରିକ୍ଲିନ୍ ଡିଟରଜେଣ୍ଟ କମ୍ପାନି ଗେଟ୍ ସମ୍ମୁଖରେ ମୃତଦେହ ରଖି ଧାରଣା । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରରୁ ଜଣଙ୍କୁ ଚାକିରି ଦାବି ହୋଇଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ସମସରପୁର ଗାଁର ମକରା ବେହେରା ଦୀର୍ଘ ୨୧ ବର୍ଷ ହେଲା ଓରିକ୍ଲିନ୍ କାରଖାନାରେ କାମ କରୁଥିଲେ । ସବୁଦିନ ପରି ଆଜି ସକାଳୁ ସେ ଡ୍ୟୁଟିରେ ଯୋଗ ଦେଇଥିଲେ । ହେଲେ ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ ଦିନ ୨ଟା ବେଳେ ଖବର ଦିଆଯାଇଥିଲା । ସମ୍ପର୍କୀୟ କମ୍ପାନିରେ ପହଞ୍ଚି ମକରାଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ । ତେବେ କମ୍ପାନି କର୍ତ୍ତୃପକ୍ଷ ମକରାଙ୍କୁ କାମ ଅତ୍ୟଧିକ ଖରାରେ କାମ କରାଉଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । କମ୍ପାନି ଗେଟ୍ ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରି ଦାବି କରିଛନ୍ତି । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଅନ୍ୟପଟେ କମ୍ପାନି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।