ଉତ୍ତରାଖଣ୍ଡରେ ଭୂ-ସ୍ଖଳନ, ଭାସିଗଲା ଲିପୁଲେଖ-ତୱାଘାଟ ସଡ଼କ, ଧାରଚୁଲା ଓ ଗୁଞ୍ଜିରେ ଫଶି ରହିଛନ୍ତି ୩୦୦ ଯାତ୍ରୀ

Published By : Prameya-News7 Bureau | June 01, 2023 IST

ପିଥୋରାଗଡ଼ ୧।୬: ଉତ୍ତରାଖଣ୍ଡ ପିଥୋରାଗଡ଼ ଜିଲ୍ଲାରେ ଭୂ-ସ୍ଖଳନ ଯୋଗୁ ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭାସି ଯାଇଛି। ଫଳରେ ୩୦୦ରୁ ଅଧିକ ଯାତ୍ରୀ ବାଟରେ ଅଟକି ରହିଛନ୍ତି। ଲଖନପୁର ନିକଟରେ ଧାରଚୁଲାରୁ ୪୫ କିଲୋମିଟର ଉପରେ ଲିପୁଲେଖ-ତୱାଘାଟ ସଡ଼କରେ ପାହାଡ଼ର ଏକ ବିଶାଳ ଅଂଶ ଭାଙ୍ଗି ପଡିଛି। ଫଳରେ ପାଖାପାଖି ୧୦୦ ମିଟର ରାସ୍ତା ଭାସି ଯାଇଛି। ଏଣୁ ଧାରଚୁଲା ଓ ଗୁଞ୍ଜିରେ ଅନୁନ୍ୟ ୩୦୦ ଯାତ୍ରୀ ଫଶି ରହିଥିବାର ଆଶଙ୍କା କରାଯାଉଛି।

ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପିଥୋରାଗଡ ବାହ୍ୟାଞ୍ଚଳରେ ଏହି ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ତେବେ ସଡ଼କକୁ ଦିନେ ଦୁଇ ଦିନ ମଧ୍ୟରେ ଯାତାୟାତ ଲାଗି ମରାମତି କରି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ରାଜ୍ୟର ଆଲମୋଡା, ବାଗେଶ୍ୱର, ଚମୋଲୀ, ଚମ୍ପାବତ, ଡେରାଡୁନ, ଗଡ଼ୱାଲ, ହରିଦ୍ୱାର, ନୈନିତାଲ, ପିଥୋରାଗଡ଼, ରୁଦ୍ରପ୍ରୟାଗ, ଟିହରୀଗଡୱାଲ,ଉଦ୍ଦମ ସିଂ ନଗର ଓ ଉତ୍ତର କାଶୀ ଜିଲ୍ଲାରେ ଧୂଳିଝଡ଼ ସାଙ୍ଗକୁ ଘଡଘଡ଼ି ଓ ବର୍ଷାର ପୂର୍ବାନୁମାନ କରିଛନ୍ତି।

{"id":796155,"width":840,"height":517,"sizeSlug":"full","linkDestination":"none"}

ଏଣୁ ପୋଲିସ ମଧ୍ୟ ଆଡଭାଇଜରୀ ଜାରି କରି ସବୁ ତୀର୍ଥ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ଯଦି ନିତ୍ୟାନ୍ତ ଆବଶ୍ୟକତା ନାହିଁ ତେବେ ଯାତ୍ରା ନ କରିବାକୁ ପୋଲିସ ସତର୍କ କରିଛି। ଏଥିରେ ଯଦି ଯାତ୍ରା କରିବାର ଅଛି ତେବେ ପାଗ ସଫା ହେବା ପରେ ଯାତ୍ରା ଯୋଜନା କରାଯାଇ ପାରେ ବୋଲି କୁହାଯାଇଛି। ସେହିପରି ନିଜନିଜ ବାହନଙ୍କୁ ସୁରକ୍ଷିତ ସ୍ଥାନମାନଙ୍କରେ ପାର୍କ କରାଇବା ପାଇଁ ମଧ୍ୟ କୁହାଯାଇଛି।

ଯେଉଁମାନେ ଗଙ୍ଗୋତ୍ରୀ ଓ ୟମୁନେତ୍ରୀ ଯାତ୍ରା କରୁଛନ୍ତି ସେମାନେ ପାଣିପାଗ ପୂର୍ବାନୁମାନ ପାଇବା ପରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ନିଜ ସହିତ ରେନ କଭର, ଛତା ଓ ଉଷୁମ ପୋଷାକ ମଧ୍ୟ ରଖନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.