ଅନୁଗୋଳ/ ସମ୍ବଲପୁର: ସୋମବାର ରାଜ୍ୟର ଦୁଇ ପୃଥକ ପୃଥକ ସ୍ଥାନରେ ହୋଇଥିବା ଲୁଟ୍ରେ ପ୍ରାୟ ୧୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଅନୁଗୋଳରେ ଜଣେ ପଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ବଡ଼ ଧରଣର ଲୁଟ୍ ହୋଇଥିବାବେଳେ, ସମ୍ବଲପୁରରେ ଦମ୍ପତ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ୍ ହୋଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ସାକୋଶିଙ୍ଗାର ଶୁଭମ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ କର୍ମଚାରୀଙ୍କ ଚନ୍ଦନ ଗଡ଼ନାୟକଙ୍କ ଠାରୁ ହୋଇଛି ଲୁଟ୍। ଉଭୟ ଟଙ୍କା ନେଇ ଅନୁଗୋଳ ଗାନ୍ଧୀମାର୍ଗ ଏସବିଆଇ ଶାଖାକୁ ଯାଉଥିବାବେଳେ ସରସ୍ବତୀ ସ୍ଥାନୀୟ ଶିଶୁ ମନ୍ଦିର ନିକଟରୁ ମାଉଜର ଓ ଭୁଜାଲି ଦେଖାଇ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଉଭୟଙ୍କୁ ଧମକାଇଥିଲେ। ତେବେ ଘଟଣାରେ ଅନୁଗୋଳ ପୋଲିସ ତଦନ୍ତ ଆରମ୍ଭ କରିଛି।
ସେପଟେ ସମ୍ବଲପୁର ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲାରେ ଦମ୍ପତ୍ତିଙ୍କ ଠାରୁ ଲୁଟ୍ ହୋଇଛି। ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋରେ ଦମ୍ପତ୍ତି ଧମାସ୍ଥିତ ଘରକୁ ଫେରୁଥିବାବେଳେ ହୋଇଛି ଲୁଟ | ଉଭୟ ଗୋବିନ୍ଦତୋଲାସ୍ଥିତ ଏକ ମିଠା ଦୋକାନକୁ ମିଠା କିଣିବାକୁ ଯାଇଥିବାବେଳେ ଟଙ୍କା ଭର୍ତ୍ତି ବ୍ୟାଗକୁ ଛାଡ଼ି ଦେଇଥିଲେ | ଆଉ ଏହି ସମୟରେ କେହି ଅଜଣା ଦୁର୍ବୃତ୍ତ ଲୁଟ କରି ଫେରାର ମାରିଛନ୍ତି |