ଢେଙ୍କାନାଳ: ଚିକେନ୍ ତରକାରୀକୁ ନେଇ ତୁମୁଳକାଣ୍ଡ। ଚିକେନ ତରକାରୀ କରିନଥିବାରୁ ନୃଶଂସ ପାଲଟିଲା ସ୍ବାମୀ। ସ୍ତ୍ରୀକୁ ପିଟି ପିଟି ନିର୍ମମ ଭାବେ କଲା ହତ୍ୟା । ରବିବାର ରାତିରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମରେ। ମୃତ ମହିଳା ହେଉଛନ୍ତି ଧନିଆଁନାଳୀ ମୁଣ୍ଡା ସାହିର କୁନି ପିଙ୍ଗୁଆ । ଅବଶ୍ୟ ପୋଲିସ ଅଭିଯୁକ୍ତ ସ୍ବାମୀ ଜେନା ପିଙ୍ଗୁଆକୁ ଗିରଫ କରିଛି।
ସୂଚନା ଅନୁଯାୟୀ, ରବିବାର ରାତିରେ ଜେନା ପିଙ୍ଗୁଆ ଘରକୁ ଚିକେନ ଆଣିଥିଲେ ଏବଂ କୁନିକୁ ତରକାରୀ କରିବାକୁ କହି ବାହାରକୁ ଯାଇଥିଲେ। ହେଲେ ଫେରିବାବେଳକୁ ଘରେ ଚିକେନ ତରକାରୀ ହୋଇନଥିବା ଦେଖି କୁନିଙ୍କ ସହ ଝଗଡ଼ା କରିଥିଲେ। ଆଉ ରାଗରେ କୁନିଙ୍କୁ ପିଟି ପିଟି ହତ୍ୟା କରିଥିଲେ।
ତେବେ ସୋମବାର ଖବର ପାଇ ଗଁନ୍ଦିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ମୃତ ମହିଳାଙ୍କ ଭାଇ କରିଥିବା ଅଭିଯୋଗ ଆଧାରରେ ଗଁନ୍ଦିଆ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଫରେନସିକ୍ ଟିମ୍ର ସହାୟତା ମଧ୍ୟ ନିଆଯାଇଛି। ସେପଟେ ଘଟଣା ପରେ ଘରୁ ପଳାଇଥିବା ହତ୍ୟା ଅଭିଯୁକ୍ତ ସ୍ୱାମୀ ଜେନା ପିଙ୍ଗୁଆକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।