ଦୁର୍ଲଭ ପଦ୍ମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମା’ କଟକଚଣ୍ଡୀ

Published By : Prameya-News7 Bureau | February 12, 2025 IST

କଟକ 12/02 :  କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ। ମା’ଙ୍କ ଦର୍ଶନ କରିବାକୁ ଭକ୍ତମାନେ ସବୁବେଳେ ଚାହିଁ ବସିଥାନ୍ତି।  ଆଜି ପବିତ୍ର ମାଘପୁର୍ଣିମା ତଥା କୁମ୍ଭ ସଂକ୍ରାନ୍ତିରେ ମା ଅତି ଦୁର୍ଲଭ ପଦ୍ମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଗତବର୍ଷ ମାଘ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ହେଉଛି ପଦ୍ମ ବେଶର ଦ୍ଵିତୀୟ ବର୍ଷ। ମା’ଙ୍କ ଏହି ଦୁର୍ଲଭ ବେଶ ପାଇଁ ସ୍ଵତନ୍ତ୍ର ସୋଲ , ଜରି, ପଦ୍ମ ଓ ଜମ୍ବୁରା ବ୍ୟବହାର କରାଯାଇଥିଲା। ଶ୍ରୀପଞ୍ଚମୀରେ ହୋଇଥିବା ମହାପ୍ରଭୁଙ୍କ ପଦ୍ମବେଶ କୁମ୍ଭ ସଂକ୍ରାନ୍ତିରେ ବି କରାଯାଇଛି। ଏଥିପାଇଁ ଚଣ୍ଡୀପାଠ ସହ ସ୍ଵତନ୍ତ୍ର ପୂଜା ନୀତି ମଧ୍ୟ କରାଯାଇଥିଲା। ଏହି ଦୁର୍ଲଭ ବେଶ ପାଇଁ କିଛି ଶ୍ରଦ୍ଧାଳୁମାନେ ବ୍ୟକ୍ତିଗତ ଭାବେ ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଜଗତର କଲ୍ୟାଣ ପାଇଁ ମା ଏହି ବେଶରେ ଦର୍ଶନ ଦେଉଥିବା କଥା କହିଛନ୍ତି ପୂଜକ।

 ଅନ୍ୟପଟେ ଆଜି ମା କଟକ ଚଣ୍ଡୀଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଜମିଥିଲା । ମା’ଙ୍କ ଏହି ଦୁର୍ଲଭ ବେଶ୍ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇ ପଡ଼ିଥିଲେ। କରୁଣା ମୟୀ ମା କଟକ ଚଣ୍ଡୀଙ୍କ ଦ୍ଵିତୀୟ ବର୍ଷର ପଦ୍ମ ବେଶ ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ । ଆଜି ଦୁର୍ଲଭ ପଦ୍ମ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ବେଶ୍ ଖୁସି ଥିବା କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.