ନୂଆଦିଲ୍ଲୀ: ରାଷ୍ଟ୍ରପତି ପୁଟିନଙ୍କୁ ନେଇ ଟ୍ରମ୍ପଙ୍କ ଅଭିମୁଖ୍ୟରେ ପରିବର୍ତ୍ତନ ଏବେ ମିତ୍ର ରାଷ୍ଟ୍ରଙ୍କ ମଧ୍ୟରେ ଭରସାକୁ ଦୁର୍ବଳ କରିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସୋମବାର ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ । ଏହି ସାକ୍ଷାତ ବେଳେ ଅନେକ ମାମଲା ଉପରେ ଦୁହେଁ ଆଲୋଚନା କରିଥିଲେ । କିଛି ମାମଲାରେ ଉଭୟଙ୍କ ମଧ୍ୟରେ ସ୍ପଷ୍ଟ ଅସହମତି ଦେଖିବାକୁ ମିଳିଥିଲା । ମୁଖ୍ୟତଃ ୟୁକ୍ରେନକୁ ନେଇ ଟ୍ରମ୍ପ ଓ ମାକ୍ରୋନ ମଧ୍ୟରେ ଥିବା ମତଭେଦ ସର୍ବସମ୍ମୁଖକୁ ଆସିଥିଲା । ଡୋନାଲ୍ଡ ଟ୍ରମ୍ପ ମିଡିଆକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ୟୁରୋପୀୟ ଦେଶ ୟୁକ୍ରେନକୁ ସୈନ୍ୟ ସହାୟତା ଦେଇଥିଲେ ଓ ଏବେ ଏହା ବଦଳରେ ଟଙ୍କା ନେଉଛନ୍ତି । ଏହା ସମୟରେ ମାକ୍ରୋନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଧାରେ ଅଟକାଇଥିଲେ । ସେ କହିଥିଲେ, ମୁଁ ଆପଣଙ୍କ କରେକ୍ଟ କରୁଛି । ୟୁକ୍ରେନକୁ ୟୁରୋପ ପ୍ରକୃତ ଟଙ୍କା ଦେଇଛି, ଲୋନ ନୁହେଁ । ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପ ଚୁପ୍ ରହି ସହମତି ଦେଉଥିଲେ ।
ମାକ୍ରୋନ କହିଥିଲେ, 'ସ୍ପଷ୍ଟ ଭାବେ କହିବାକୁ ଗଲେ ଆମେ ମୋଟ ଖର୍ଚ୍ଚର ୬୦ ପ୍ରତିଶତ ଅଂଶ ବିନିଯୋଗ କରିଛୁ । ଆମେରିକା ଲୋନ୍, ଗ୍ୟାରେଣ୍ଟି, ଗ୍ରାଣ୍ଟ ଦେଇଛି, କିନ୍ତୁ ଆମେ ପ୍ରକୃତ ଅର୍ଥରାଶି ଦେଇଛୁ । ୟୁରୋପ ପାଖରେ ଆମ ପାଖରେ ୨୩୦ ବିଲିୟନ ଡଲାରର ରୁଷ ସମ୍ପତ୍ତି ରହିଛି, ଯାହାକୁ ଆମେ ଫ୍ରିଜ୍ କରିଛୁ । କିନ୍ତୁ ଏହା ଲୋନ ପାଇଁ ନୁହେଁ । ଏହା ରୁଷର ସମ୍ପତ୍ତି ଏବଂ ତାହା ସହ ଆମର କୌଣସି ସମ୍ପର୍କ ନାହିଁ । ଏଥିପାଇଁ ଜବତ ଅଛି । ମାକ୍ରୋନ କହିଛନ୍ତି ଯେ ୟୁକ୍ରେନକୁ ମିଳିଥିବା ଆର୍ଥିକ ସହାୟତା ରାଶି ଫେରସ୍ତ କରିବା ଦାୟିତ୍ୱ ହେଉଛି ରୁଷର । ଆମେ ରୁଷ ସହ ଯେବେବି ଆଲୋଚନା କରିବୁ, ସେତେବେଳେ ଲୋନ ଟଙ୍କା ଫେରାଇବା ପାଇଁ କହିବୁ । ରୁଷକୁ ଏହି ଟଙ୍କା ଫେରାଇବାକୁ ହିଁ ପଡ଼ିବ ।' ଟ୍ରମ୍ପ ଏହା ଉପରେ ଜବାବ ଦେଇ କହିଥିଲେ ଯେ ଯଦି ଆପଣଙ୍କ ଏପରି କହୁଛନ୍ତି ତେବେ ଠିକ୍ ।
Moment when French President Emmanuel Macron corrected US President Donald Trump after he claimed Europe was loaning money to Ukraine during a joint meeting at the White House today. pic.twitter.com/FBgDk0SFJr
— EDHUB🌍ℹ (@eddie_wrt) February 24, 2025
ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନ ଉପରେ ଆମେରିକା ଖର୍ଚ୍ଚ କରିଥିବା ଅର୍ଥରାଶିକୁ ଫେରିପାଇବା ରଣନୀତିରେ କାମ କରୁଛନ୍ତି । ଏହି ନୀତିରେ ସେ ୟୁକ୍ରେନର ଖଣିଜ ବିକ୍ରିରୁ ହେବାକୁ ଥିବା ଆୟରୁ ଭାଗ ଚାହୁଁଛନ୍ତି । ଟ୍ରମ୍ପ ଯୁକ୍ତି ରଖନ୍ତି ଯେ ଆମେରିକାର ବାଇଡେନ୍ ପ୍ରଶାସନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଯୁଦ୍ଧ ପାଇଁ ଅର୍ଥ ଦେଇଥିଲା, ତେଣୁ ଆମେରିକା ୟୁକ୍ରେନର ଏହି ଆୟର ଭାଗ ନେବା ପାଇଁ ହକଦାର ।