ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ, ଯୋଜନା ଚାଲିଥିବା କହିଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | October 13, 2024 IST

ପୁରୀ ୧୩।୧୦: ଚାରିଧାମ ଭିତରେ ଜଗନ୍ନାଥ ଧାମ ହେଉଛି ଶ୍ରେଷ୍ଠ ଧାମ । ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିଟି ଭକ୍ତଙ୍କର ଆଶା ଓ ଆକାଂକ୍ଷା ଥାଏ ଯେ ମହାପ୍ରସାଦ କାଣିଚାଏ ପାଇବା ପାଇଁ । ତେଣୁ ଭକ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଯେଉଁ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି ସେମାନେ ଦର୍ଶନ ସାରି ନିଜ ଘରକୁ ଫେରିବା ସମୟରେ କିଭଳି ନିଃଶୁକ୍ଳରେ ଟିକେ ମହାପ୍ରସାଦ ସାଙ୍ଗରେ ନେଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉଭୟ ଭକ୍ତ ଓ ସେବାୟତ । ସରକାରଙ୍କ ଏଭଳି ଚିନ୍ତାଧାରାକୁ ପୂର୍ବତନ ଶ୍ରୀମନ୍ଦିରର ପରିଚାଳନା କମିଟି ସଦସ୍ୟ ତଥା ମହନ୍ତ ରାମଚରଣ ଦାସ ମହାରାଜ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଯେତିକି ତାଠାରୁ ମହାପ୍ରସାଦର ମାହାତ୍ମ୍ୟ ଅଧିକ ରହିଛି । ତେଣୁ ମହାପ୍ରଭୁଙ୍କ ମହାପ୍ରସାଦର ଯେଭଳି ମର୍ଯ୍ୟାଦା ଭଙ୍ଗ ନହେବେ ସେ ଦିଗରେ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । 

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯଦି ଏକ ବଡ ଗୃହ ନିର୍ମାଣ କରି ସେଠାରେ ଭକ୍ତ ମାନଙ୍କୁ ମହାପ୍ରସାଦ ନିଃଶୁକ୍ଳ ଭାବେ ଦେବାର ବ୍ୟବସ୍ଥା କରାଯାଆନ୍ତା ତେବେ ଭଲ ହେବ ବୋଲି ରାମଚରଣ ଦାସ ମହାରାଜ କହିଛନ୍ତି । ସେପଟେ ଭକ୍ତ ମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପିତ୍ତିକୁ ସ୍ବାଗତ କରିଛନ୍ତି । ସେହିପରି ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନକୁ ବିଶେଷ ଗୁରୁତ୍ବ ଦେବା ପାଇଁ ଉଭୟ ସେବାୟତ ଓ ଭକ୍ତ ଦାବି କରିଛନ୍ତି । ବିଶେଷ କରି ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପରେ ମଧ୍ୟ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆସି ପାରୁନାହିଁ । ଫଳରେ ପ୍ରତିଦିନ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଏସି ବ୍ୟବସ୍ଥା କରାଯିବା ସହ ଧାଡ଼ି ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତୁରନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଭକ୍ତ ଓ ସେବାୟତ କହିଛନ୍ତି । ସେହିପରି ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାର ରିପୋର୍ଟକୁ ନେଇ ଏବେ ସମସ୍ତଙ୍କର ଅପେକ୍ଷା ରହିଛି । ରତ୍ନ ଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ ତାହା ସ୍ପଷ୍ଟ ହେବା ନିହାତି ଆବଶ୍ୟକ । ଯଦି ସୁଡ଼ଙ୍ଗ ରହିଛି ତେବେ ଏହା କେଉଁ ପର୍ଯ୍ୟନ୍ତ ଲମ୍ବିଛି ତା'ର ମଧ୍ୟ ଅନୁଧ୍ୟାନ କରାଯିବାର ନିହାତି ଆବଶ୍ୟକତା ରହିଛି । ସେହିପରି ରତ୍ନଭଣ୍ଡାର ଭିତରେ ଆଉ କିଛି ସ୍ବର୍ଣ୍ଣ ଅଳଙ୍କାର ରହିଛି କି ନାହିଁ ତାହା ସାର୍ବଜନୀନ କରାଯାଉ ବୋଲି କହିଛନ୍ତି ମଠ ମହନ୍ତ । 

You Can Read:

ଦୁଇ ଚାରି ଦିନ ଭିତରେ ଆସିବ ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ : ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.