କାନାଡ଼ା ହେବ ଆମେରିକାର ୫୧ତମ ରାଜ୍ୟ ? ପୁରୁଣା ଆଭିମୁଖ୍ୟ ଦୋହରାଇଲେ ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ କାନାଡ଼ାକୁ ନେଇ ପୁରୁଣା ଆଭିମୁଖ୍ୟ ଦୋହରାଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ୍ ହାଉସକୁ ପ୍ରବେଶ ପୂର୍ବରୁ ସେ ଏକ ବୟାନ ଦେଇ କହିଛନ୍ତି, କାନାଡ଼ା ଏକ ସ୍ବତନ୍ତ୍ର ଦେଶ ନହୋଇ ଆମେରିକାର ଅଂଶ ହେବା ଦରକାର । ସେ କାନାଡାକୁ ଆମେରିକାର ୫୧ତମ ରାଜ୍ୟ ଭାବେ ଦେଖିବାରୁ ଚାହୁଁଛନ୍ତି ବୋଲି କହିଛନ୍ତି । ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍‌'ରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏଥିପାଇଁ ଇସ୍ତଫା ଦେଲେ, କାରଣ ସେ ଅନୁଭବ କରିସାରିଛନ୍ତି ଯେ ଆମେରିକା, ଆଉ କାନାଡାର ଋଣ ଭାର ଏବଂ ଆର୍ଥିକ ବୋଝକୁ ଉଠାଇବ ନାହିଁ । କାନାଡ଼ାକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ରହିବାକୁ ହେଲେ ଦେଶର ଆର୍ଥିକ ସ୍ଥିତିର ସୁଧାର ହେବା ଆବଶ୍ୟକ । 

ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ଯଦି କାନାଡ଼ା ଏକ ରାଜ୍ୟ ଭାବେ ଆମେରିକାରେ ବିଲୟ ହୁଏ, ତେବେ ନୂଆ ରାଜ୍ୟକୁ କୌଣସି ଟାରିଫ୍  ଲାଗୁ ହେବା ନାହିଁ, ଶୁଳ୍କ ହାର କମିଯିବ ଏବଂ ଋଷ-ଚୀନ୍ ଜାହାଜଙ୍କ ଦ୍ବାରା ଆସୁଥିବା ବିପଦ ଟଳିଯିବ । କାନାଡ଼ାବାସୀ ଆମେରିକାର ୫୧ତମ ରାଜ୍ୟର ଫାଇଦା ଉଠାଇବେ । ଯଦି କାନାଡ଼ା ଆମେରିକାରେ ବିଲୟ ହୁଏ, ତେବେ ଦୁଇ ଦେଶ ମିଶି ଏକ ମହାନଦେଶରେ ପରିଣତ ହେବେ ବୋଲି ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେବା ପରେ  ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଏଭଳି ବୟାନ ଆସିଛି ।  

ସେପଟେ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ଲିବେରାଲ୍ ପାର୍ଟି ଦ୍ବାରା ନୂଆ ନେତା ଚୟନ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କାନାଡ଼ାର ବର୍ତ୍ତମାନର ସ୍ଥିତି ସହିତ ଲଢ଼େଇ କରିବାରେ ସେ ବିଫଳ ହୋଇଛନ୍ତି । ଲିବେରାଲ୍ ପାର୍ଟି ଅଧ୍ୟକ୍ଷଙ୍କୁ ନୂଆ ପ୍ରଧାନମନ୍ତ୍ରୀ ପାଇଁ ନେତା ଚୟନ କରିବାକୁ ଅନୁରୋଧ କରିଛନ୍ତି । ଟ୍ରୁଡୋ ଆହୁରି ମଧ୍ୟ କହିଛନ୍ତି, ସେ ଦେଶ ପାଇଁ କଠୋର ପରିଶ୍ରମ କରିଛନ୍ତି । କାନାଡ଼ା ମଜବୁତ୍ ସ୍ଥିତି ତାଙ୍କୁ ସେବା କରିବା ପାଇଁ ପ୍ରେରିତ କରିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.