ଦିନେ ଛୁଞ୍ଚି ଠାରୁ ମେସିନ ସବୁ ଆମଦାନୀ ହେଉଥିଲା: ମେକ୍ ଇନ୍ ଇଣ୍ଡିଆ ଆରମ୍ଭ ପରେ କ'ଣ ଲାଭ ହେଲା କ'ଣ କ୍ଷତି ଜାଣନ୍ତୁ

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ଦିନେ ଛୁଞ୍ଚି ଠାରୁ ମେସିନ ପର୍ଯ୍ୟନ୍ତ ଆମେ ସବୁକିଛି ଆମଦାନୀ କରୁଥିଲେ। ଏସବୁ ଜିନିଷ ପାଇଁ ଭାରତ ଏକ ପ୍ରକାର ଅନ୍ୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ଏବେ ସମୟ ବଦଳିଛି। ଭାରତ ଆଜି ମୋବାଇଲ ଫୋନ୍‌ ଠାରୁ ମିସାଇଲ, ପର୍ଯ୍ୟନ୍ତ ରପ୍ତାନୀ କରୁଛି। ହେଲେ ଏସବୁ ଏତେ ସହଜରେ ହୋଇନାହିଁ। ଏଥିପାଇଁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି। ଆଉ ଏହି ଉପଲବ୍ଧିରେ ବଡ଼ ଯୋଗଦାନ ରହଛି ମେକ୍‌ ଇନ୍‌ ଇଣ୍ଡିଆର। ୨୦୧୪ ସେପ୍ଟେମ୍ବର ୨୫ରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ୧୦ ବର୍ଷ ପୂରିଛି। ଏହି ୧୦ ବର୍ଷର ଯାତ୍ରା ଭିତରେ କେତେକାଂଶରେ ସଫଳ ମିଳିଛି, ଆଉ କେତେକାଂଶରେ ଆଶା ଅନୁଯାୟୀ ଫଳ ମିଳି ନାହିଁ। ତେଣୁ ଏହି ଅଭିଯାନକୁ ଏକ ନୂଆ ଦିଗର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ହେଉଛି।

ମେକ ଇନ୍‌ ଇଣ୍ଡିଆ ଅଭିଯାନକୁ ପୂରିଛି ୧୦ ବର୍ଷ । ଏହି ଅଭିଯାନ ଦ୍ୱାରା ଭାରତ ସମଗ୍ର ବିଶ୍ୱରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ପ୍ରତିରକ୍ଷା କ୍ଷେତ୍ର ଠାରୁ ଆରମ୍ଭ କରି ଭାକ୍ସିନ ଉତ୍ପାଦନ ଓ ରପ୍ତାନୀରେ କରିଛି ନୂଆ ରେକର୍ଡ। ଭାରତ ଆଜି ବିଶ୍ୱ ସ୍ତରରେ ମ୍ୟାନୁଫାକଚରିଂର ହବ୍‌ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋବାଇଲ ମ୍ୟାନୁଫ୍ୟାକଚରିଂରେ ବି ଭାରତକୁ ଅଭୁତପୂର୍ବ ସଫଳତା ମିଳିଛି। କାରଣ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଫଳରେ ଭାରତ ଆଜି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ମୋବାଇଲ ନିର୍ମାତା ଦେଶ ହୋଇପାରିଛି। ୨୦୧୪ରେ ଦେଶରେ କେବଳ ଦୁଇଟି ଫ୍ୟାକ୍ଟ୍ରିରେ ମୋବାଇଲ୍ ତିଆରି ହେଉଥିଲା। ଏବେ ୨୦୦ରୁ ଅଧିକ ଫ୍ୟାକ୍ଟ୍ରି ମୋବାଇଲ ତିଆରି କରୁଛନ୍ତି। ଯେଉଁଥିରେ ଆପଲ ଭଳି କମ୍ପାନି ରହିଛି। ଭାରତରୁ ମୋବାଇଲ ରପ୍ତାନୀ ୭୫୦୦ ପ୍ରତିଶତ ବଢ଼ିଛି । ୨୦୧୪ରେ ଭାରତ ୧,୫୫୬ କୋଟି ଟଙ୍କାର ମୋବାଇଲ ରପ୍ତାନୀ ଏବେ ବଢ଼ି ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭାରତରେ ବ୍ୟବହାର ହେଉଥିବା ୯୯ ପ୍ରତିଶତ ମୋବାଇଲ ଏବେ ଦେଶରେ ହିଁ ତିଆରି ହେଉଛନ୍ତି । ଆପଲ ମେକ୍‌ ଇନ୍‌ ଇଣ୍ଡିଆ ଅନୁଯାୟୀ ଏହାର ସପ୍ଲାଏ ଚେନ୍‌ର ଏକ ବଡ଼ ଅଂଶ ଭାରତକୁ ଆଣିଛି, ଯେଉଁଥିରେ ଫକ୍ସକନ୍‌ ଭଳି କମ୍ପାନି ନିବେଶ କରିଛନ୍ତି। 

କେବଳ ସେତିକି ନୁହେଁ, ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ସଫଳତା ମିଳିଛି। ଯେଉଁଥିରୁ ଗୋଟିଏ ହେଉଛି ସେମିକଣ୍ଡକ୍ଟର ସେକ୍ଟର। ଗତ କିଛି ବର୍ଷରେ ଭାରତ ସେମିକଣ୍ଡକ୍ଟର ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ରୁତ ଭାବରେ ଆଗକୁ ବଢ଼ିଛି। ଭାରତ ଏହି କ୍ଷେତ୍ରରେ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପାଇଛି। ଦେଶରେ ୫ଟି ପ୍ଲାଣ୍ଟ ପ୍ରସ୍ତୁତ ହେଉଛି। ଏଠାରୁ ୭ କୋଟିରୁ ଅଧିକ ଚିପ୍‌ ତିଆରି ହେବ। କେନ୍ଦ୍ର ସରକାର ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ପିଏଲଆଇ ସ୍କିମ୍‌ ଅନୁଯାୟୀ ୭୬ ହଜାର କୋଟି ଟଙ୍କା ନିବେଶ କରୁଛନ୍ତି। 

ସେହିଭଳି ମେକ୍ ଇନ୍‌ ଇଣ୍ଡିଆର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି ପ୍ରତିରକ୍ଷା କ୍ଷେତ୍ରରେ। ୧୦ ବର୍ଷ ତଳେ ମାତ୍ର ୫୦୦-୬୦୦ କୋଟି ଟଙ୍କାର ରପ୍ତାନୀ କରୁଥିବା ଭାରତୀ ପ୍ରତିରକ୍ଷା ସେକ୍ଟର ୨୦୨୩-୨୪ରେ ୨୧, ୦୮୩ କୋଟି ଟଙ୍କାର ରପ୍ତାନୀରେ ପହଞ୍ଚିଛି। ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ମଧ୍ୟ ବଢ଼ି ୧, ୨୭, ୨୬୪ କୋଟି ଟଙ୍କା ହୋଇଛି। ଆହୁରି ମଧ୍ୟ ଅଟୋମୋବାଇଲ, ଭାକ୍ସିନ, ଖେଳନା, ଷ୍ଟାର୍ଟଅପ୍‌ ଓ ଏମଏସଏମଇ ଭଳି ସେକ୍ଟରରେ ମଧ୍ୟ ଏହା ଖୁବ୍‌ ପ୍ରଭାବ ପକାଇଛି। ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଦ୍ୱାରା ଭାରତ ଏବେ ବିଶ୍ୱରେ ଚତୁର୍ଥ ସବୁଠୁ ବଡ଼ ଅଟୋମୋବାଇଲ ମାର୍କେଟ ହୋଇଛି। ଅନେକ କମ୍ପାନୀ ଏବେ ଦେଶରେ ହିଁ ପ୍ଲାଣ୍ଟ ଲଗାଉଛନ୍ତି। ପୂର୍ବରୁ ଭାକ୍ସିନ ଆମଦାନୀ କରୁଥିବା ଭାରତ ନିଜେ ଏବେ ଦୁନିଆକୁ ୫୦ ପ୍ରତିଶତ ଭାକ୍ସିନ ଦେଉଛି। ବିଦେଶକୁ ଖେଳନା ରପ୍ତାନୀରେ ମଧ୍ୟ ବେଶ୍‌ ଆଗେଇଛି ଭାରତ। ୨୦୧୪-୧୫ର ୯.୬୨ କୋଟି ଡଲାରର ଖେଳନା ରପ୍ତାନୀ ହେଉଥିଲା ତାହା ଏବେ ୨୦୨୩-୨୪ରେ ବଢ଼ି ୩୨.୫୭ କୋଟି ଡଲାରରେ ପହଞ୍ଚିଛି। ଏହା ବାଦ ଷ୍ଟାର୍ଟଅପ୍‌ରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି, ୨୦୧୪ରେ ଯେଉଁଠି ଦେଶରେ କେବଳ ୩୫୦ ଷ୍ଟାର୍ଟଅପ‌ ରହିଥିଲେ ଏବେ ଏମାନଙ୍କ ସଂଖ୍ୟା ୧.୪୮ ଲକ୍ଷ ହୋଇଛି। 

ସେହିପରି ମେକ୍‌ ଇନ୍‌ ଇଣ୍ଡିଆ ଯୋଗୁଁ ଏମଏସଏମଇ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଉଦ୍ୟମ ପୋର୍ଟାଲରେ ପ୍ରାୟ ୪.୯୧ କୋଟି ଏମଏସଏମଇ ସଂସ୍ଥା ପଞ୍ଜିକୃତ ହୋଇଛନ୍ତି। ସେଥିମଧ୍ୟରୁ ୧.୮୫ କୋଟି ସଂସ୍ଥା କେବଳ ମହିଳାଙ୍କର। ଏହି ଏମ୍ଏସଏମ୍ଇ ସଂସ୍ଥା ଦ୍ୱାରା ଦେଶରେ ୨୧.୧୭ କୋଟି ଲୋକ ଚାକିରି ମିଳିଛି। ରିପୋର୍ଟ ଅନୁସାରେ, ୨୦୨୨-୨୩ରେ ଦେଶର ଜିଡିପିରେ MSME କ୍ଷେତ୍ରର ଅବଦାନ ୩୦.୧ ପ୍ରତିଶତ ରହିଥିଲା। ସରକାରୀ ତଥ୍ୟ ଅନୁସାରେ ୨୦୨୩-୨୪ ବର୍ଷରେ ଖଦୀର ମୋଟ ବିକ୍ରି ୧.୫୫ ଲକ୍ଷ କୋଟିରେ ପହଞ୍ଚିଛି। ଏଥିସହ ପିଏଲଆଇ ଯୋଜନା ମାଧ୍ୟମରେ ୧.୨୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିବା ବେଳେ ସାଢ଼େ  ୮ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ସେହିପରି ରପ୍ତାନିରେ ୪ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ହୋଇଛି। 

ମେକ୍ ଇନ ଇଣ୍ଡିଆର ଏତେ ସଫଳତା ପରେ ବି କିଛି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏବେ ବି ସଂଘର୍ଷ ଜାରି ରହିଛି। ଦେଶର ଅଭିବୃଦ୍ଧି ବଡ଼ ଭୂମିକା ରଖୁଥିବା ମ୍ୟାନୁଫାକଚରିଂ ଓ ରପ୍ତାନୀ କ୍ଷେତ୍ରରେ ସେତେଟା ସୁଧାର ଆସି ନାହିଁ। ତେଣୁ ଚ୍ୟାଲେଞ୍ଜ ଏବେ ବି ରହିଛି। ତେଣୁ ଏ ଦିଗରେ  କାହିଁକି ସଫଳତା ମିଳି ନାହିଁ? କ'ଣ ଏମିତି ପଦକ୍ଷେପ ନେଲେ ଏହି ଚ୍ୟାଲେଞ୍ଜକୁ ଚେକ୍ ଦେଇ ହେବ ସେ ନେଇ ଗଣମାଧ୍ୟମରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ନଜର ପକାନ୍ତୁ...

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଦେଶର ଜିଡିପିରେ ମାନୁଫେକ୍ଚରିଂ ସେକ୍ଟରରେ ଯୋଗଦାନ ୧୭ ପ୍ରତିଶତ ରହିଛି । ଯାହା ୨୦୧୪ରେ ମଧ୍ୟ ପ୍ରାୟ  ସମାନ ସ୍ଥିତିରେ ଥିଲା। ତେଣୁ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ମେନୁଫେକ୍ଚିରଂ ସେକ୍ଟରରେ ସେତେଟା ସୁଧାର ଆଣିପାରି ନାହିଁ। ତେଣୁ ଉତ୍ପାଦନ କ୍ଷେତ୍ରର ଦେଶର ଜିଡିପିରେ ଯୋଗଦାନ ବଢ଼ିପାରିନାହିଁ। ତଣୁ ଏଇଠି ବଡ଼ ଚ୍ୟାଲେଞ୍ଜ ରହିଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଦେଶର ମୋଟ ଆୟରେ ମେନୁଫେକ୍ଚରିଂ ସେକ୍ଟରର ଯୋଗାଦାନରେ ସାମାନ୍ୟ ହ୍ରାସ ହୋଇଛି। ୨୦୧୩-୧୪ରେ ସମୁଦାୟ ରୋଜଗାରରେ ମେନୁଫେକ୍ଚରିଂ ସେକ୍ଟରର ଯୋଗଦାନ ୧୧.୬ ପ୍ରତିଶତ ଥିଲା, ଯାହା ୨୦୨୨-୨୩ରେ ଖସି ୧୦.୬ ପ୍ରତିଶତ ରହିଛି। ତେଣୁ ଏ କ୍ଷେତ୍ରରେ ସେତେଟା ରୋଜଗାର ବଢ଼ି ନାହିଁ। 

ସେହିଭଳି ରପ୍ତାନୀର ସ୍ଥିତି ମଧ୍ୟ ସେତେଟା ଭଲ ନାହିଁ। ୨୦୨୩-୨୪ର ଆର୍ଥିକ ସର୍ବେକ୍ଷଣରେ ଭାରତର ରପ୍ତାନୀ କମିଥିବା କୁହାଯାଇଛି। ୨୦୦୧ରୁ ୨୦୧୨ ମଧ୍ୟରେ ଭାରତର ଉତ୍ପାଦନ ସେକ୍ଟରର ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିଥିଲା, କିନ୍ତୁ ୨୦୧୩ ଠାରୁ ଏହା ଖସି ୫.୫ % ରହିଛି। ଭାରତୀୟ ନିର୍ମାତାମାନେ ରପ୍ତାନୀ ଉପରେ ଅଧିକ ଧ୍ୟାନ ଦେଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ବ୍ଲମବର୍ଗ ତା’ ରିପୋର୍ଟରେ ଦର୍ଶାଇଛି। ୨୦୧୨-୧୩ରେ ମୋଟ ବିକ୍ରିର ୨୦% ଅଂଶ ରପ୍ତାନୀରୁ ଆସୁଥିଲା। ହେଲେ କିଛି ବର୍ଷରୁ ଏହା ହ୍ରାସ ପାଇ ୭%କୁ ଖସି ଆସିଛି।  ଯଦି ମୋବାଇଲ ଫୋନ୍‌ ରପ୍ତାନୀରେ ବୃଦ୍ଧି ହୋଇନଥାନ୍ତା, ତେବେ ଏହି ତଥ୍ୟ ଆହୁରି ଖରାପ ହୋଇଥାନ୍ତା।

ଅର୍ଥନୀତିରେ ସଫଳତା ପାଇବାକୁ ହେଲେ ରପ୍ତାନୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ଏ ଦିଗରେ ଭାରତୀୟ ଅଟୋମୋବାଇଲ ଉଦ୍ୟୋଗ ବେଶ୍ ସଫଳ। କାରଣ ଏମାନଙ୍କ ନଜର ବର୍ତ୍ତମାନ ବିଶ୍ୱ ବଜାର ଉପରେ ରହିଛି। ଗ୍ଲୋବାଲ ମାର୍କେଟ ଅନୁସାରେ ଭାରତୀୟ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଗାଡ଼ି ସହ ଏହାର ପାର୍ଟସଗୁଡ଼ିକ ଉତ୍ପାଦନ କରନ୍ତି ଓ ବହୁ ମାତ୍ରାରେ ରପ୍ତାନୀ କରନ୍ତି। ହେଲେ ଘରୋଇ କମ୍ପାନୀଗୁଡ଼ିକ କ୍ଷେତ୍ରରେ ଏଭଳି ଘଟୁନାହିଁ। ସରକାରଙ୍କ ଧ୍ୟାନ ବର୍ତ୍ତମାନ ଘରୋଇ ବଜାର ପାଇଁ ଉତ୍ପାଦନ ବଢାଇବା ଓ ଆମଦାନୀ କମାଇବା ଉପରେ ରହୁଛି। ତେଣୁ ରପ୍ତାନୀ ଅଣଦେଖା ହୋଇଯାଉଛି। 

ବ୍ଲମୁବର୍ଗ ରିପୋର୍ଟ ଅନୁଯାୟୀ ସରକାରଙ୍କୁ ଅଧିକ ଟାରିଫ୍, ସବସିଡି ଏବଂ ବ୍ୟବସାୟ ଉପରେ ଲଗାଯାଇଥିବା ବିଭିନ୍ନ ପ୍ରକାର ନିୟମରେ କୋହଳ କରିବା ଦରକାର। ଭାରତ ଭଳି ବିକାଶଶୀଳ ଦେଶକୁ ରପ୍ତାନୀ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ନୀତି ଉପରେ କାମ କରିବା ଦରକାର। ଲଜିଷ୍ଟିକ୍ସ ସେକ୍ଟର ଉପରେ ଧ୍ୟାନ ଦେବା ବେଶ ଜରୁରି। ବନ୍ଦରଗୁଡ଼ିକରେ ଥିବା ଅଯଥାରେ ନିୟମ କାନୁନ କମ୍‌ କରିବା ଏବଂ ପରିଚାଳନାକୁ ଅଧିକ ଆଧୁନିକ ଏବଂ ପ୍ରଭାବୀ କରିବାକୁ ହେବ। ସରକାରଙ୍କୁ ମଧ୍ୟମ ଆକାରର କମ୍ପାନି, ନୂଆ କରି ବଜାର ପ୍ରବେଶ କରିବାକୁ ଚାହୁଁଥିବା କମ୍ପାନିଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଏବେ ସମୟ ଆସିଛି ନିର୍ମାତାଙ୍କୁ ବିଶ୍ୱ ବଜାର ଆଡ଼କୁ ପ୍ରୋତ୍ସାହିତ କରିବା। ଯାହାଦ୍ୱାରା ଭାରତର ବିକାଶ ହାର ଦ୍ରୁତ ଭାବରେ ବଢ଼ିବ।ଏସବୁ ଦିଗ ବିଷୟରେ ବିଚାର କରିବା ପରେ ମେକ୍‌ ଇନ୍‌ ଇଣ୍ଡିଆକୁ ଏକ ନୂଆ ଦିଗର ଆବଶ୍ୟକତା ରହିଛି ବୋଲି ବ୍ଲୁମବର୍ଗ କହିଛି। 

ଗତ ଅଗଷ୍ଟ ମାସରେ ଭାରତ ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ମୁଦ୍ରା କୋଷ ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଗୀତା ଗୋପୀନାଥନ ମଧ୍ୟ କିଛି ଟିପ୍ସ ଦେଇଥିଲେ। ସେ କହିଥିଲେ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଭାରତ ପଛରେ ପଡ଼ିଯାଇଛି। ଜନସଂଖ୍ୟା ଦୃଷ୍ଟିରୁ ୨୦୩୦ ସୁଦ୍ଧା ଭାରତକୁ ଅତିରିକ୍ତ ୧୪୮ ମିଲିଅନ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ।

ଗୋପୀନାଥ ଆହୁରି କହିଛନ୍ତି ଯେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଦଶନ୍ଧି ମଧ୍ୟରେ ଭାରତ ୬.୬ ପ୍ରତିଶତ ହାରର ଅଭିବୃଦ୍ଧି କରିଛି, କିନ୍ତୁ ନିଯୁକ୍ତି ହାର ୨ ପ୍ରତିଶତରୁ ବି କମ ରହିଛି। ଭାରତରେ ମୌଳିକ ସୁଧାରର ଆବଶ୍ୟକତା ରହିଛି ବୋଲି ଗୋପାନୀଥନ କହିଥିଲେ। ଜିଡିପିର ୭ ପ୍ରତିଶତ ଅଭିବୃଦ୍ଧି ପାଇଁ ଆହୁରି ଅଧିକ ଘରୋଇ ନିବେଶର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। 

ଏଥିସହିତ ଦକ୍ଷ କର୍ମଚାରୀ ସୃଷ୍ଟି କରିବାକୁ ହେଲେ ଶିକ୍ଷ୍ୟା ବ୍ୟବସ୍ଥାରେ ସୁଧାର ଆସିବାର ଆବଶ୍ୟକ ରହିଛି। ଏହା ବାଦ୍ ବ୍ୟବସାୟକୁ ଆହୁରି ସହଜ କରିବା, ଏଥିପାଇଁ ଥିବା ନିୟମ ବ୍ୟବସ୍ଥାରେ ସୁଧାରଣ ଆଣିବା ସହିତ ଟ୍ୟାକ୍ସ ପରିସରକୁ ବଢାଇବାର ଆବଶ୍ୟକତା ରହିଛି ବୋଲି ଗାତୀ ଗୋପୀନାଥ ମନ୍ତ୍ର ଦେଇଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.