କଣ ଥିଲା କି ବଡ ବିପଦ? ଗଭୀର ସମୁଦ୍ରରେ କାହିଁକି ବସିଥିଲା କ୍ୟାବିନେଟ ମିଟିଂ ?

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ ୦୮/୧୦: ସାଢେ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାଲଦ୍ୱୀପ ପୁଣି ଥରେ ଚର୍ଚ୍ଚାରେ । କହିବାକୁ ଗଲେ ପାଣିର ସୌନ୍ଦର୍ଯ୍ୟ ପାଇଁ ମାଲଦ୍ୱୀପ ସାରା ବିଶ୍ୱରେ ପ୍ରସିଦ୍ଧ । ଜଳ ସହ ଜଡିତ ରେକର୍ଡ ମଧ୍ୟ ଏହି ଦେଶ ନାମରେ ଅଛି । ଏବେ କିନ୍ତୁ ନୂଆ ଚର୍ଚ୍ଚା ଯୋଡିହୋଇଛି ଏହି ସୁନ୍ଦର ଦେଶ ନାଁରେ । ତାହା ହେଲା ବିଶ୍ୱର ପ୍ରଥମ ଅଣ୍ଡର ୱାଟର କ୍ୟାବିନେଟ ମିଟିଂ । ଯାହାକି ମାଲଦ୍ୱୀପରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା । 

ଏହି କ୍ୟାବିନେଟ ବୈଠକ, ବିଶ୍ୱର ପ୍ରଥମ, ଯାହାକି ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ହେଲେ କଣ ପାଇଁ ବସିଲା ଏମିତି କ୍ୟାବିନେଟ ମିଟିଂ । କଣ ଏହା ପଛର ରହସ୍ୟ । ଗଭୀର ଜଳରେ ମିଟିଂ ହେବାର କାରଣ ବିଶ୍ୱ ତାପମାତ୍ରାର ବିପଦ ବିଷୟରେ ଚର୍ଚ୍ଚା କରିବା । ମାଲଦ୍ୱୀପ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁଥିରେ ବୁଡ଼ିଯିବାର ଆଶଙ୍କା ଅଧିକ । ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରତିବର୍ଷ ମାଲଦ୍ୱୀପ ଚାରିପାଖରେ ଜଳ ସ୍ତର ୩ ରୁ ୪ ମିଲିଲିଟର ବୃଦ୍ଧି ପାଉଛି । 


ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ମାଲଦ୍ୱୀପ ସମୁଦ୍ରରେ ବୁଡ଼ି ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା । ଏହା ସଂପୂର୍ଣ୍ଣ ବୁଡ଼ି ଯାଇପାରେ । ଏହାର କାରଣ ହେଉଛି ବିଶ୍ୱ ତାପମାତ୍ରା ହେତୁ ବରଫ ଶୀଘ୍ର ତରଳିବା ।  ଅକ୍ଟୋବର ୧୯, ୨୦୦୯ରେ ଅନୁଷ୍ଠିତ ଏହି ବୈଠକରେ ମାଲଦ୍ୱୀପର ୧୧ ଜଣ ମନ୍ତ୍ରୀ ପାଣି ଭିତରକୁ ଯାଇ କ୍ୟାବିନେଟ ବୈଠକ କରିଥିଲେ । ଜଳର ଗଭୀରତାରେ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିଥିଲା । ବୈଠକରେ ୯ଟି ପ୍ରସ୍ତାବକୁ ମିଳିଥିଲା ମଞ୍ଜୁରୀ । 

ମାଲଦ୍ୱୀପକୁ କିପରି ଧୀରେ ଧୀରେ ପାଣିରୁ ବୁଡ଼ିଯିବାକୁ ଅଟକାଇ ହେବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ଧାରଣା ତତ୍କାଳୀନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କଠାରୁ ଆସିଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ବିପଦ ଏତେ ବଡ ଯେ ପ୍ରତିବର୍ଷ ଏହି ଦେଶର କିଛି ଅଂଶ ପାଣିରେ ବୁଡ଼ି ଯାଉଛି । ଯଦି ତାପମାତ୍ରା ଦ୍ରୁତ ଗତିରେ ବଢିବାରେ ଲାଗେ ତେବେ ପରିସ୍ଥିତି ଆହୁରି ଖରାପ ହେବ ଏବଂ ଦେଶ ବୁଡ଼ିଯିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.