ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି ସହର, ଜାତୀୟ ରାଜପଥ ଉପରେ ୩ ଫୁଟର ପାଣି

Published By : Prameya-News7 Bureau | September 08, 2024 IST

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା।  ରବିବାର ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଛି। ଆଦର୍ଶ ଥାନା ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୩ ଫୁଟର ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେଉଛି । ଲୋକଙ୍କ ଦୋକାନ ଓ ଘରେ ପାଣି ପଶିଛି । ବିଭିନ୍ନ ସାହି ଓ ବସ୍ତିରେ ମଧ୍ୟ ପାଣି  ପଶିଛି। 

ମାଲକାନଗିରି ଠାରୁ ଜୟପୁର ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପାଙ୍ଗମା ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ସେହିଭଳି ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଥିବା କାଙ୍କୁରୁକୋଣ୍ଡା, ଏମଭି-୯୦ ଓ ଏମଭି-୯୬ ପୋଲ ଉପରେ ମଧ୍ୟ ପାଣି ଚାଲୁଛି। ଫଳରେ ମାଲକାନଗିରି ଠାରୁ କାଲିମେଳା, ମୋଟୁ ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

ବାଲିମେଳା ସହରରେ ଏକ ଅଟୋ ଉପରେ ଗଛ ପଡିଛି । ଅଟୋ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ତୋଟାଗୁଡା ଗ୍ରାମରେ କାନ୍ଥ ଭୁଷୁଡି ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.