ଓଡ଼ିଶାରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ମାତୃ ବନ୍ଦନା ଯୋଜନା, ଝିଅ ଜନ୍ମ ହେଲେ ମିଳିବ ଅଧିକ ୨ ହଜାର ଟଙ୍କା

Published By : Prameya-News7 Bureau | February 11, 2025 IST

ଭୁବନେଶ୍ୱର: ଏଣିକି କନ୍ୟା ସନ୍ତାନ ଜନ୍ମ ହେଲେ ଗର୍ଭବତୀଙ୍କୁ ମିଳିବ ବର୍ଷକୁ ଅଧିକ ୨ ହଜାର ଟଙ୍କାର ପ୍ରାତ୍ସାହନ ରାଶି । ମଙ୍ଗଳବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯିବ । ଗର୍ଭବତୀ, ପ୍ରସୂତି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। 

ଆହୁରି ମଧ୍ୟ, ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜିମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ । 

ସେହିଭଳି ଗର୍ଭବତୀଙ୍କ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ । ଏହାଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.