ହରିୟାଣାରେ ବିଜେପିର ଐତିହାସିକ ବିଜୟରେ ସେୟାର ମାର୍କେଟକୁ ଫେରିଲା ଉତ୍ସାହ, ନିବେଶକଙ୍କ ଲାଭ ୮ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଯଦିଓ ବିଜେପିକୁ ବଡ଼ ଝଟକା ଲାଗିଛି, କିନ୍ତୁ ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି । ଆଜି ସୁଦ୍ଧା ହରିୟାଣା ଇତିହାସରେ କୌଣସି ଦଳ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରି ନଥିଲା । ନିର୍ବାଚନ ପରିଣାମ ଏବେ ସମ୍ପୂର୍ଣ୍ଣ ଘୋଷଣା ହୋଇନଥିଲେ ବି ବିଜେପି ୫୦ ଆସନ ସହ ସରକାର ଗଢୁଥିବା ଜଣାପଡ଼ୁଛି । ତେବେ ବିଜେପିର ଏହି ବଡ଼ ବିଜୟରେ ସେୟାର ମାର୍କେଟ୍ ମଧ୍ୟ ଉତ୍ସାହିତ ହୋଇଛି । ସେୟାର ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ଲଗାତାର ଛଅ ଦିନ ଲାଲ୍ ସଂକେତରେ ବନ୍ଦ ହୋଇଥିବା ବେଳେ ସପ୍ତମ ଦିନ ସବୁଜ ସଂକେତରେ ବନ୍ଦ ହୋଇଛି । ବାଜରରେ ଆଜିର ବଡ଼ ବୃଦ୍ଧି ଯୋଗୁଁ ନିବେଶକଙ୍କୁ ୮ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି ।

ଛଅ ଦିନ ଲଗାତାର ବଡ଼ ହ୍ରାସ ଦେଖିବା ପରେ ସପ୍ତମ ଦିନରେ ସେୟାର ବଜାର ଭଲ ବୃଦ୍ଧି ସହ ବନ୍ଦ ହୋଇଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ପ୍ରମୁଖ ସୂଚକାଙ୍କ ସେନସେକ୍ସ ୫୮୪.୮୧ ଅଙ୍କ ବଢି ୮୧୬୩୫.୮୧ ଅଙ୍କରରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ନିଫ୍ଟିରେ ମଧ୍ୟ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଏନଏସଇ ନିଫ୍ଟି ୨୧୭.୪୦ ଅଙ୍କ ବଢି ୨୫,୦୧୩.୧୫ ପଏଣ୍ଟରେ ବନ୍ଦ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଲଗାତାର ଛଅ ଦିନରେ ହ୍ରାସ ଯୋଗୁଁ ସେନସେକ୍ସ ପ୍ରାୟ ୪୮୦୦ ଅଙ୍କ ଏବଂ ନିଫ୍ଟି ୧୪୦୦ ପଏଣ୍ଟ ଯାଏ ଖସି ଆସିଥିଲା ।

ସେୟାର ବଜାରରେ ଆଜିର କାରବାରରେ ନିବେଶକଙ୍କୁ ୮ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସଇର ମାର୍କେଟ୍ କ୍ୟାପ୍ ସୋମବାର ୪୫୧ ଲକ୍ଷ କୋଟି ଟଙ୍କା ଥିଲା, ଯାହା ବଢି ଏବେ ୪୫୯ ଲକ୍ଷ କୋଟି ଟଙ୍କା ହୋଇଛି । ବିଏସଇର ମାର୍କେଟ୍ କ୍ୟାପ୍ ନିବେଶକଙ୍କ ଆୟ ସହ ଜଡ଼ିତ ରହିଛି । ଯେତେବେଳେ ବିଏସଇର ମାର୍କେଟ୍ କ୍ୟାପ୍ ବଢେ ତେବେ ନିବେଶକଙ୍କୁ ଲାଭ ହୋଇଥାଏ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.