ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପାଇଁ ଅଡ଼ୁଆ ବଢିବାକୁ ଯାଉଛି । ୨୦୨୪ରେ ଭାରତର ସାଧାରଣ ନିର୍ବାଚନ ଉପରେ କରିଥିବା ଟିପ୍ପଣୀ ଉପରେ ସଂସଦର ସ୍ଥାୟୀ କମିଟି ତାଙ୍କୁ ସମନ ପଠାଇବାକୁ ଯାଉଛି । ମାର୍କ ଜୁକରବର୍ଗ କହିଥିଲେ ଯେ କରୋନା ପରେ ୨୦୨୪ରେ ହୋଇଥିବା ନିର୍ବାଚନରେ ଭାରତ ସମେତ ବିଭିନ୍ନ ଦେଶର ସରକାରର ପତନ ଘଟିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମିଛ ବୟାନ ପାଇଁ ଜୁକରବର୍ଗଙ୍କୁ କଡ଼ା ସମାଲୋଚନା କରିଥିଲେ ।
ବିଜେପି ସାଂସଦ ଏବଂ ସଂସଦ ଏବଂ ସୂଚନା ପ୍ରଯୁକ୍ତି ଉପରେ ସଂସଦର କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ କହିଛନ୍ତି ଯେ ଭୁଲ ସୂଚନା ପ୍ରସାର ଅଭିଯୋଗରେ ମେଟାକୁ ତଲବ କରାଯିବ । ନିଶିକାନ୍ତ ଦୁବେ ଏକ୍ସରେ ଲେଖିଛନ୍ତି, 'ଏକ ଗଣତାନ୍ତ୍ରିକ ଦେଶକୁ ନେଇ ଭୁଲ ସୂଚନା ପ୍ରସାର ଏହାର ଛବିକୁ ମଳିନ କରୁଛି । ଏହି ଭୁଲ ପାଇଁ କମ୍ପାନି ସଂସଦ ଏବଂ ଦେଶର ଲୋକଙ୍କୁ ଭୁଲ ମାଗିବା ଦରକାର ।'
ମାର୍କ ଜୁକରବର୍ଗ କଣ କହିଥିଲେ ?
ଜାନୁଆରୀ ୧୦ରେ ଏକ ପଡ୍କାଷ୍ଟରେ ଫେସବୁକ୍ ସହପ୍ରତିଷ୍ଠାତା ଜୁକରବର୍ଗ କହିଥିଲେ ଯେ କରୋନା ମହାମାରୀ ସବୁ ସରକାରଗୁଡ଼ିକ ଉପରୁ ବିଶ୍ୱାସକୁ ଶେଷ କରିଦେଇଛି । ଏହି ଆଲୋଚନାରେ ଭାରତର ଉଦାହରଣ ଦେଇ ଭୁଲ ତଥ୍ୟ ଦେଇଥିଲେ । ସେ କହିଥିଲେ, ୨୦୨୪ ସାରା ଦୁନିଆରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା ଏବଂ ଭାରତ ସମେତ ଏହି ସବୁ ଦେଶରେ ନିର୍ବାଚନ ହୋଇଛି । ନିର୍ବାଚନରେ ଶାସନରେ ଥିବା ସରକାରଙ୍କ ପରଜାୟ ହୋଇଛି । ବିଶ୍ୱ ସ୍ତରରେ ଅନେକ ପ୍ରସଙ୍ଗ ଥିଲା, ତାହା ଦରବୃଦ୍ଧି ହେଉ ବା ଆର୍ଥିକ ସଂକଟ । କରୋନା ବିରୁଦ୍ଧ ଲଢେଇରେ ସରକାରଙ୍କ ନିଷ୍ପତ୍ତି ମଧ୍ୟରେ ଅନେକ ପ୍ରଭାବ ପକାଇଛି । ସେ ଦାବି କରିଛନ୍ତି ଯେ ଗଣତାନ୍ତ୍ରିକ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ମଧ୍ୟ କମ ହୋଇଛି ।
ଅଶ୍ୱିନୀ ବୈଷ୍ଣବଙ୍କ କଡ଼ା ଜବାବ
ଜୁକରବର୍ଗଙ୍କ ଏଭଳି ଦାୟିତ୍ୱହୀନ ବୟାନ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ୍ ମିଡିଆରେ ଲେଖିଥିଲେ, 'ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ଭାବେ, ୨୦୨୪ରେ ଭାରତର ନିର୍ବାଚନରେ ୬୪୦ ମିଲିୟନରୁ ଅଧିକ ମତଦାତା ଭାଗ ନେଇଥିଲେ । ଭାରତର ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ପୁଣି ଥରେ ନିଜ ଭରସା ଦେଖାଇଥିଲେ । ଜୁକରବର୍ଗଙ୍କ ଦାବି ଯେ ୨୦୨୪ ନିର୍ବାଚନରେ ଭାରତ ସମେତ ଅଧିକାଂଶ ଦେଶର ସରକାର କରୋନା ପରେ ପରାଜିତ ହୋଇଛନ୍ତି, ଏହା ତଥ୍ୟାତ୍ମକ ରୂପେ ଭୁଲ ଅଟେ । ୮୦୦ ନିୟୁତ ଲୋକଙ୍କୁ ମାଗଣା ଭୋଜନ, ୨.୨ ବିଲିୟନ ମାଗଣା ଟିକା ଏବଂ କରୋନା ସମୟରେ ଅନ୍ୟ ଦେଶଙ୍କୁ ସହାୟତା ଦେବାଠାରୁ ଆରମ୍ଭ କରି ସବୁଠୁ ଦ୍ରୁତ ବେଗରେ ବଢୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ହେବା ଯାଏଁ, ପିଏମ୍ ମୋଦୀଙ୍କ ତୃତୀୟ ଥର ବିଜୟ ସୁଶାସନ ଏବଂ ଜନତାଙ୍କ ଭରସାର ପ୍ରମାଣ ଅଟେ ।