ଦୁର୍ଘଟଣାରେ ନାବାଳକ ମୃତ, କ୍ଷୀର ଟ୍ୟାଙ୍କର ଜାଳିଦେଲେ ଉତ୍ୟକ୍ତ ଲୋକେ

Published By : Prameya-News7 Bureau | February 26, 2025 IST

ବାଲିପାଟଣା: ବାଲିଅନ୍ତା ଥାନା ସାଇଫନ୍ ଛକରେ ନାବାଳକ ଉପରେ ଚଢ଼ିଗଲା କ୍ଷୀର ଟ୍ୟାଙ୍କର । ଏଥିରେ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଥିବାବେଳେ, ଉତ୍ୟକ୍ତ ଲୋକମାନେ ଟ୍ୟାଙ୍କର ଜାଳିଦେଇଛନ୍ତି। ମୃତ ନାବାଳକ ତଳଗଡ଼ ଗ୍ରାମର ରାହୁଲ ସ୍ୱାଇଁ (୧୨) । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସନ୍ଧ୍ୟାରେ ନାବାଳକ ଜଣକ ନିକଟସ୍ଥ ବାଲିଅନ୍ତା ବଜାରକୁ ସାଇକେଲରେ ଯାଉଥିବା ବେଳେ ଏକ କ୍ଷୀର ଗାଡ଼ି ତାଙ୍କ ଉପରେ ଚଢ଼ିଯାଇଥିଲା । ଯେଉଁଥିରେ ନାବାଳକର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତେବେ ଏହା ପରେ ସ୍ଥାନୀୟ ଲୋକେ ହଂସପାଳ - ଅଭୟମୁଖି ରାସ୍ତାକୁ ଅବରୋଧ କରିଥିଲେ । 

ତେବେ ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ, ସରପଞ୍ଚ କୃଷ୍ଣ କେଶବ ଆପଟ, ବାଲିଅନ୍ତା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା, ଏୟାରପୋର୍ଟ ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର, ପାହାଳ ଥାନା ଅଧିକାରୀ ଅଶ୍ଵିନୀ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଯାହାପରେ ରାସ୍ତା ଅବରୋଧ ହଟିଥିଲା ।

ପୋଲିସ ନାବାଳକ ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ ପଠାଇଥିବାବେଳେ କ୍ଷୀର ଟ୍ୟାଙ୍କର ଚାଳକକୁ ଥାନାରେ ଅଟକ ରଖିଛି ବାଲିଅନ୍ତା ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.